ପୁଣି କଳା ପଲସର ଆତଙ୍କ; ମହିଳାଙ୍କଠୁ ଝାମ୍ପିନେଲେ ସୁନାଚେନ୍‌

ଚନ୍ଦ୍ରଶେଖରପୁର: ପାର୍ବଣ ପାଖେଇ ଆସୁଥିବାବେଳେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଲୋକେ ଅାତଙ୍କରେ ଦିନ କାଟୁଛନ୍ତି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଏବଂ ଶୈଳଶ୍ରୀବିହାର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦ୍ୱାରା ଗୋଟିଏ ଦିନରେ ଦୁଇଟି ଛିନ୍‌ତାଇ ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁସାରେ ଶୈଳଶ୍ରୀବିହାର ଭିଆଇଆଇଏମରେ ରହୁଥିବା ଶାନ୍ତିଲତା ବେହେରା ମଙ୍ଗଳବାର ସକାଳୁ ଫୁଲ ତୋଳୁଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଫୁଲ ତୋଳିବା ବାହାନା କରି ବୃଦ୍ଧାଙ୍କ କାନରୁ ସୁନାକାନ ଫୁଲ ଟାଣି ଦୌଡ଼ି ପଳାଇଥିଲା। କିଛି ଦୂରରେ ବାଇକରେ ଆସି ଅପେକ୍ଷା କରିଥିବା ଅନ୍ୟ ଜଣଙ୍କ ସହ ଘଟଣାସ୍ଥଳରୁ ସେ ଚମ୍ପଟ ମାରିଥିଲା। ସେହିପରି ମଙ୍ଗଳବାର ପୂର୍ବାହ୍ନ ୧୧ଟାବେଳେ ଧ୍ରୁବଚରଣ ତ୍ରିପାଠୀ ଓ ପତ୍ନୀ ପ୍ରିୟା ମହାପାତ୍ର ବାଇକରେ ପଟିଆ ବିଗ୍‌ବଜାର ଛକରୁ ଗ୍ରାମ ଆଡ଼କୁ ଯାଉଥିଲେ। ଏହି ସମୟରେ ଦଇଜଣ ଦୁର୍ବୃତ୍ତ କଳା ପଲ୍‌ସରରେ ପଛରୁ ଆସି ଶ୍ରୀମତୀ ମହାପାତ୍ରଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଏନେଇ ଶ୍ରୀ ତ୍ରିପାଠୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।

Comments
Loading...