ବିଜେପି ନେତାଙ୍କ ଘରେ ଆତଙ୍କବାଦୀ ଆକ୍ରମଣ, କନଷ୍ଟେବଳ ଶହୀଦ

ଜାମ୍ମୁ: ଶ୍ରୀନଗରର ନୌଗାମରେ ଥିବା ବିଜେପି ନେତା ଅନୱର ଖାନଙ୍କ ଘରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମ୍ପର୍କରେ ଖବର ପାଇ ପୁଲିସ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା। ସେଠାରେ ପୁଲିସ ଟିମ୍‌ ବି ଆକ୍ରମଣର ଶିକାର ହୋଇଛି। ଏଥିରେ ଜଣେ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି।

ଗୁରୁବାର କିଛି ଆତଙ୍କବାଦୀ ଅନୱରଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆକ୍ରମଣରେ କନଷ୍ଟେବଳ ରମିଜ ରାଜା ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଆତଙ୍କବାଦୀମାନେ ଆହତ କନଷ୍ଟେବଳଙ୍କଠାରୁ ବନ୍ଧୁକ ନେଇଯାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିରେ ଅନ୍ୟ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ଅନୱର ଖାନ ବିଜେପିର ବାରାମୂଳା ଜିଲା ସାଧାରଣ ସମ୍ବାଦକ ଅଛନ୍ତି। ଏହା ପୂର୍ବରୁ ବାରାମୂଳା ଜିଲାର ସୋପର ଅଞ୍ଚଳରେ ଥିବା ନଗର ପାଳିକା କାର୍ଯ୍ୟାଳୟରେ ଗତ ସୋମବାର ଅପରାହ୍ନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ବିଡିସି ସଦସ୍ୟ ରିୟାଜ ଅହମଦ ଏବଂ ତାଙ୍କ ସୁରକ୍ଷାକର୍ମୀ ସଫାତ ଅହମଦଙ୍କ ଉପରେ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ। ଆହତ ହୋଇଥିବା ଅନ୍ୟ ଜଣେ କାଉନସିଲରଙ୍କର ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Comments are closed.