ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ଜଣେ ଯବାନ ଶହୀଦ, ୨ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଲାୱେପୋରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିବାରୁ ଜଣେ ଯବାନ ଶହୀଦ ହୋଇଛନ୍ତି। ସେହିପରି ଯବାନଙ୍କ ପ୍ରତିଆକ୍ରମଣରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ କାରରେ ଥିବା ୨ ଆତଙ୍କବାଦୀ ଧରାପଡ଼ିଯିବା ଭୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯାଇଥିବାବେଳେ ବୁଧବାର ଏହାକୁ ୬ମାସ ପୂରଣ ହୋଇଛି।

Comments are closed.