ଅଫଲାଇନ ପରୀକ୍ଷାକୁ ବିରୋଧ; ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା, ପୁଲିସର ଲାଠିମାଡ଼

ସମ୍ବଲପୁର: ଯୁକ୍ତ ୩ ତୃତୀୟ ସେମିଷ୍ଟରର ଅଫଲାଇନ୍‌ ପରୀକ୍ଷାକୁ ବିରୋଧ କରି ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ମଙ୍ଗଳବାର ଅନେକ ଛାତ୍ର ବିଶ୍ଵବିଦ୍ୟାଳୟ ପରିସରରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି। ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଛି।

ସୂଚନା ଅନୁସାରେ, ଅଫଲାଇନ ପରୀକ୍ଷାକୁ ବିରୋଧ କରି କେତେକ ଛାତ୍ର ଏକ ବସରେ ଆଜି ବିଶ୍ଵବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ବିଶ୍ଵବିଦ୍ୟାଳୟ ପରିସରକୁ ଯାଇ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। କୁଳପତିଙ୍କ କଥା ନ ଶୁଣି ପାଟିତୁଣ୍ଡ କରିବା ସହିତ ବିଭିନ୍ନ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଘଉଡ଼ାଇବା ଲାଗି ଲାଠି ଚାଳନା କରିଥିଲା। ଫଳରେ ଛାତ୍ରମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ପ୍ରାୟ ୫ ଛାତ୍ରଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Comments are closed.