ନିଜ ଉପରେ ଦୃଢ଼ ବିଶ୍ବାସ ସଫଳତାର ଶ୍ରେଷ୍ଠ ମାର୍ଗ – ଲିଆଣ୍ଡର

- ଭୁବନେଶ୍ବରରେ ହେବ ଲିଆଣ୍ଡର ପେସ୍‌ ଅଲିମ୍ପିକ୍‌ସ ଏକାଡ଼େମୀ - ଗ୍ରାମାଞ୍ଚଳ ପ୍ରତିଭାଙ୍କ ଉପରେ ରହିବ ନଜର

ଭୁବନେଶ୍ବର: ସଫଳତା ଆପେଆପେ ଆସିନଥାଏ। ଏହାକୁ ହାସଲ କରିବାକୁ ହୁଏ। କ୍ରୀଡ଼ା ହେଉ କି ଶିକ୍ଷା; ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଧୈର୍ୟ୍ୟ ଓ ଏକାଗ୍ରତାର ଏକାନ୍ତ ଆବଶ୍ୟକ ରହିଛି। କ୍ରୀଡ଼ାକୁ କ୍ୟାରିୟର କରୁଥିବା ପ୍ରତ୍ୟେକ ଖେଳାଳିଙ୍କ ନିକଟରେ ଚମ୍ପିଆନ ହେବାର ଯୋଗ୍ୟତା ରହିଛି। ନିଜ ଉପରେ ଦୃଢ଼ ବିଶ୍ବାସ ଓ କଠିନ ପରିଶ୍ରମ ହିଁ ସଫଳତା ଦେଇଥାଏ। ଯୁବ ପିଢ଼ି ଖେଳ ପ୍ରତି ଯେତିକି ସମର୍ପିତ ଭାବ ସୃ​‌ଷ୍ଟି କରୁଛନ୍ତି; ସେତିକି ମାନସିକ ଓ ଶାରୀରିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ଅଲିମ୍ପିକ୍‌ସ ପଦକ ବିଜେତା ଟେନିସ ତାରକା ପ୍ରଦ୍ମଭୂଷଣ ଲିଆଣ୍ଡର ପେସ୍‌ କହିଛନ୍ତି।

ବୁଧବାର ଦୈନିକ ଖବରକାଗଜ ସମ୍ବାଦ ପକ୍ଷରୁ ଲିଆଣ୍ଡର ପେସ୍‌ ୪ର୍ଥ ପ୍ରେରଣାଦାୟୀ ବକ୍ତୃତା ସମାରୋହ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲିଆଣ୍ଡର ନିଜ ଟେନିସ୍ ଜୀବନର ସଫଳତମ ଅନୁଭୂତିକୁ ବଖାଣିଥିଲେ। ଟେନିସ୍‌ ଖେଳିବା ପାଇଁ ନିଜକୁ ୨ ଶହ ପ୍ରତିଶତ ଫିଟ୍‌ ରଖିବା ଆବଶ୍ୟକ। ନିୟମିତ ବ୍ୟାୟାମ ସହ ରୁଟିନ୍‌ ଅନୁଯାୟୀ କାର୍ୟ୍ୟ କରିଚାଲିଲେ ସମୟକୁ ଜିଣି ସଫଳତାର ସ୍ବାଦ ପାଇବା ସହଜ ହେବ ବୋଲି ଲିଆଣ୍ଡର କହିଥିଲେ। ଖେଳ ଆରମ୍ଭ କରିବାର ମାତ୍ର ୧୦ ବର୍ଷ ମଧ୍ୟରେ ଅଲିମ୍ପିକ୍‌ସ ପଦକ ଜିତି ପାରିଥିଲି। ଏକମାତ୍ର ଲକ୍ଷ୍ୟ ଥିଲା ଭଲ ଖେଳିବା। ବିଶ୍ବ ଟେନିସର ଖ୍ୟାତନାମା ଖେଳାଳି ପିଟ୍‌ ସାମ୍ପ୍ରାସ, ଆନ୍ଦ୍ରେ ଆଗାସି, ରଜର ଫେଡେରରଙ୍କ ସହ ଖେଳିବା ନେଇ ଭୟ ଲାଗୁଥିଲେ ମଧ୍ୟ ମନ କେବେ ଦୁର୍ବଳ କରିନଥିଲି। କ୍ରୀଡ଼ାବିତ୍‌ ସବୁବେଳେ ଦୃଢ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇବା ଆବଶ୍ୟକ। ବିପକ୍ଷ ଖେଳାଳି ଯେତେ ଖ୍ୟାତନାମା ହେଉ ପଛେ; ନିଜକୁ ଚମ୍ପିଆନ ଖେଳାଳି ଭାବେ ଖେଳିଲେ ସଫଳତା ନିଶ୍ଚିତ ମିଳିବ ବୋଲି ଲିଆଣ୍ଡର ଯୁବ ପ୍ରତିଭାଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ମୋତେ ଅଭିଭୂତ କରିଛି। ଭୁବନେଶ୍ବର​‌େ​‌ର ଲିଆଣ୍ଡର ପେସ୍‌ ଅଲିମ୍ପିକ୍‌ସ ଟେନିସ ଏକାଡ଼େମୀ ନିର୍ମାଣ କରିବା ସହ ଗ୍ରାମାଞ୍ଚଳରୁ ପ୍ରତିଭା ଖୋଜି ବାହାର କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ଲିଆଣ୍ଡର ସୂଚନା ଦେଇଥିଲେ।

ଏହି ଅବସରରେ ସମ୍ବାଦ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଟେନିସ ଆସୋସିଏସନ ସଭାପତି ଅସିତ୍‌ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ବିଜ୍‌ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଲିଆଣ୍ଡର ପୁରସ୍କାର ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମ ଆରମ୍ଭରୁ ଅନୁଷ୍ଠାନ ପକ୍ଷରୁ ଲିଆଣ୍ଡର ପେସ୍‌ ଓ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ଦେଶରେ ଶ୍ରେଷ୍ଠ; ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ଲିଆଣ୍ଡର ପେସ୍‌ ୨ୟ ଥର ଭୁବନେଶ୍ବର ଗସ୍ତରେ ଆସିଥିଲେ। ୨୦୧୮ ହକି ବିଶ୍ବକପ ସମୟରେ ଭୁବନେଶ୍ବର ଆସିଥିବା ଲିଆଣ୍ଡର ହକି ପ୍ରତି ଉତ୍ସାହକୁ ଦେଖି ବିମୋହିତ ହୋଇ ପଡ଼ିଥିଲେ। ଏଭଳି କ୍ରୀଡ଼ା ଭିତ୍ତିଭୂମି ପାଇଁ ଓଡ଼ିଶା ସରକାର, ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଢେର ପ୍ରଶଂସା କରିଥିଲେ। ଓଡ଼ିଶାରେ ସୃଷ୍ଟି ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ଦେଶର ଶ୍ରେଷ୍ଠ ବୋଲି ଲିଆଣ୍ଡର ପ୍ରକାଶ କରିଥିଲେ।

ଭାବବିହ୍ବଳ ହେଲେ; ଅଶ୍ରୁ ଝରାଇଲେ
ଟେନିସ ଜୀବନର ସଫଳତାକୁ ବଖାଣିବା ଅବସରରେ ଲିଆଣ୍ଡର କାନ୍ଦି ପକାଇଥିଲେ। ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍‌ସରେ ସେମିଫାଇନାଲରେ ଆ​‌େ​‌ନ୍ଦ୍ର ଆଗାସିଙ୍କ ନିକଟରୁ ପରାସ୍ତ ହେବା ଓ ବ୍ରୋଞ୍ଜ ପଦକ ବିଜୟୀ ହେବା କଥା ମନେପକାଇ ଲିଆଣ୍ଡର କାନ୍ଦି ପକାଇଥିଲେ। ଏହା ଦେଖି ଉପସ୍ଥିତ ଜନସାଧାରଣ ମଧ୍ୟ ସ୍ତମ୍ଭିଭୂତ ହୋଇ ପଡ଼ିଥିଲେ। ଲିଆଣ୍ଡର ପ୍ରଥମ ଟେନିସ୍ ଖେଳାଳି ଭ​‌ାବେ ଅଲିମ୍ପିକ୍‌ସରେ ସିଙ୍ଗଲ୍‌ସ ପଦକ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

୧୮ ଗ୍ରାଣ୍ଡସ୍ଲାମ ଟାଇଟଲ ଗୋଟିଏ ଅଲିମ୍ପିକ୍‌ସ ବ୍ରୋଞ୍ଜଠାରୁ ବି କମ୍‌
ଅଲିମ୍ପିକ୍‌ସ ସବୁବେଳେ ସ୍ବତନ୍ତ୍ର। ଏଥିରେ ସଫଳତା ଅତୁଳନୀୟ। ଜୀବନରେ ୧୮ଟି ଡବଲ୍‌ସ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିଛି। କିନ୍ତୁ ଆଟ୍‌ଲାଣ୍ଟା ଅଲିମ୍ପିକ୍‌ସ ବ୍ରୋଞ୍ଜ ପଦକରୁ ଏହା କମ୍। ଜୀବନରେ ଅନେକ ସଫଳତା ହାସଲ କରିଛି। କିନ୍ତୁ ଅଲିମ୍ପିକ୍‌ସ ସଫଳତା ସବୁବେଳେ ଶ୍ରେଷ୍ଠ। ଉକ୍ତ ମୁହୂର୍ତ୍ତ ମୋ ହୃଦୟରେ ଘର କରି ରହିଯାଇଛି।

ଫୁଟବଲ ଖେଳାଳିରୁ ଟେନିସ୍‌ ତାରକା
ଦଳଗତ କ୍ରୀଡ଼ାରେ ସଫଳତା ପାଇଁ ସମସ୍ତ ୧୧ ଖେଳାଳିଙ୍କ ପ୍ରଦର୍ଶନ ଆବଶ୍ୟକ। କିନ୍ତୁ ବ୍ୟକ୍ତିଗତ କ୍ରୀଡ଼ାରେ ନିଜ ଉଦ୍ୟମରେ ଦେଶ ପାଇଁ ସୁନାମ ଆଣିପାରିବୁ। ବାପାଙ୍କ ଏହି ପଦ କଥା ଟେନିସ ଖେଳିବା ପାଇଁ ପ୍ରେରଣା ଯୋଗାଇ ଥିଲା। ବାପା ଓ ମା’ କ୍ରୀଡ଼ାବିତ୍‌ ଥିବାରୁ ପିଲାବେଳୁ ଫୁଟବଲ ପ୍ରତି ଆଗ୍ରହ ରହିଥିଲା। କଲକାତାରେ ରହିବା ବେଳେ ଫୁଟବଲ ଖେଳୁଥିଲି। କିନ୍ତୁ ବାପା ଟେନିସ ଖେଳିବାକୁ ପରାମର୍ଶ ଦେଇଥିଲେ। ପରେ ଟେନିସ୍‌ ଖେଳିବା ଆରମ୍ଭ କରିଥିଲି। ୧୯୯୨ ମ୍ୟୁନିକ୍‌ ଅଲିମ୍ପିକ୍‌ସରେ ପରାଜୟ ମୋତେ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍‌ସରେ ପଦକ ଦେବାରେ ସହାୟକ ହୋଇଥିଲା ବୋଲି ଲିଆଣ୍ଡର କହିଥିଲେ।

Comments are closed.