ଟେନିସ: ଫାଇନାଲରେ ବୋପନ୍ନା-ଦିବିଜ୍‍, ଅଙ୍କିତାଙ୍କୁ ବ୍ରୋଞ୍ଜ୍‍

0

ପାଲେମବାଙ୍ଗ୍‍ : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ଟେନିସ୍‍ ଡବଲ୍‍ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପନ୍ନା ଓ ଦିବିିଜ୍‍ ସରନ୍‍ଙ୍କ ଯୋଡ଼ି। ଏହି ଭାରତୀୟ ଦଳ ସେମିଫାଇନାଲରେ ଜାପାନର କାଇଟୋ ୟୁଇସୁଗି ଓ ସୋ ସିମାବୁକୁରୋ ଯୋଡ଼ିକୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ରେ ୪-୬, ୬-୩, ୧୦-୮ ସେଟ୍‍ରେ ପରାସ୍ତ କରିଥିଲେ। ବୋପନ୍ନା-ଦିବିିଜ୍‍ ଯୋଡ଼ି ଫାଇନାଲରେ ପ୍ରବେଶ କରିଥିବାରୁ ଅତିକମ୍‍ରେ ରୌପ୍ୟ ପଦକ ପାଇବା ନିଶ୍ଚିତ ହୋଇଯାଇଛି।
ଏକଘଣ୍ଟା ୧୨ମିିନିଟ୍‍ ଧରି ଚାଲିଥିବା ସେମିଫାଇନାଲର ପ୍ରଥମ ସେଟ୍‍ରେ ବୋପନ୍ନା-ଦିବିଜ୍‍ ଯୋଡ଼ି ପରାସ୍ତ ହୋଇଥିଲେ। ତେବେ ଦ୍ୱିତୀୟ ସେଟ୍‍ରେ ଏହି ଯୋଡ଼ି ପ୍ରତିପକ୍ଷଙ୍କ ସର୍ଭିସ ବ୍ରେକ କରି ବିଜୟୀ ହେବା ସହ ଖେଳକୁ ସମାନ ସ୍ତରକୁ ଆଣିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‍ ବେଶ୍‍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏହି ସେଟ୍‍ରେ ଫଳାଫଳ ଟାଇବ୍ରେକର ମାଧ୍ୟମରେ ନିର୍ଣ୍ଣୟ ହୋଇଥିଲା। ତୃତୀୟ ସେଟ୍‍କୁ ଜିତି ବୋପନ୍ନା-ଦିବିିଜ୍‍ ଯୋଡ଼ି ଫାଇନାଲରେ ପ୍ରବେଶ କରିଥିଲେ।
ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍‍ସ ବିଭାଗରେ ଭାରତୀୟ ଖେଳାଳି ଅଙ୍କିତା ରାଇନାଙ୍କୁ ବ୍ରୋଞ୍ଜ୍‍ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ବିଭାଗ ସେମିଫାଇନାଲ ମ୍ୟାଚ୍‍ରେ ଅଙ୍କିତା ଚୀନ୍‍ର ଝାଙ୍ଗ ସୁଆଇଙ୍କ ଠାରୁ ସିଧାସଳଖ ୪-୬, ୬-୭ ସେଟ୍‍ରେ ପରାସ୍ତ ହୋଇଥିଲେ। ଦୀର୍ଘ ଦୁଇଘଣ୍ଟା ୧୧ ମିନିଟ୍‍ ଧରି ଚାଲିଥିବା ଏହି ମ୍ୟାଚ୍‍ର ପ୍ରଥମ ସେଟ୍‍ରେ ଅଙ୍କିତା ଏକଦା ୪-୩ରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଚୀନ୍‍ ଖେଳାଳି କ୍ରମାଗତ ୩ଟି ଗେମ୍‍ରେ ବିଜୟୀ ହୋଇ ସେଟ୍‍କୁ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‍ରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ମୂଳରୁ ଝାଙ୍ଗ ୩-୧ ଗେମ୍‍ରେ ଅଗ୍ରଣୀ ହୋଇଥିଲେ। ତେବେ ଅଙ୍କିତା ପରବର୍ତ୍ତୀ ସମୟରେ ଚମତ୍କାର ପ୍ରଦର୍ଶନ କରି ସେଟ୍‍କୁ ୩-୩ ସ୍ତରକୁ ଆଣିବାରେ ସକ୍ଷମ ହୋଇଥିଲେ। ଉଭୟ ଖେଳାଳି ୬-୬ ଗେମ୍‍ ଜିତି ସମାନସ୍ତରରେ ରହିଥିବା ବେଳେ ଫଳାଫଳ ନିର୍ଣ୍ଣୟ ପାଇଁ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଟ୍ରାଇବ୍ରେକରରେ ଅଙ୍କିତା ପରାସ୍ତ ହୋଇଥିଲେ।
ପୁରୁଷ ସିଙ୍ଗଲ୍‍ସ ବିଭାଗ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଭାରତର ପ୍ରଜ୍ଞନେଶ୍‍ ଗଣେଶ୍ୱରନ୍‍। କ୍ୱାର୍ଟର ଫାଇନାଲରେ ପ୍ରଜ୍ଞନେଶ୍‍ ଏକ ସଂଘଷପୂର୍ଣ୍ଣ ମ୍ୟାଚ୍‍ରେ ଦକ୍ଷିଣ କୋରିଆର ୱନ୍‍ ସୁନ୍‍ୱୋଙ୍କୁ ୬-୭, ୬-୪, ୭-୬ ସେଟ୍‍ରେ ପରାସ୍ତ କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଖେଳାଯାଇଥିବା ଏହି ମ୍ୟାଚ୍‍ର ପ୍ରଥମ ସେଟ୍‍ରେ ପ୍ରଜ୍ଞନେଶ୍‍ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ସେଟ୍‍ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲେ।

Leave A Reply