୪୬ ବର୍ଷରେ ପାଦ ଦେଲେ ତେନ୍ଦୁଲକର

ମୁମ୍ବଇ  : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୁଧବାର ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ପରିଗଣିତ ସଚିନ ଅନେକ ରେକର୍ଡର ଅଧିକାରୀ। କ୍ରିକେଟ୍ ଜଗତର ଭଗବାନ ଭାବେ ପରିଚିତ ସଚିନଙ୍କ ନାମରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି। ସେ ଅନେକ ଯୁବ କ୍ରିକେଟର୍‌ଙ୍କ ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଭାରତ ତରଫରୁ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳି ସଚିନ ୧୮,୪୨୬ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ରହିଛି। ଦିନିକିଆରେ ସଚିନଙ୍କ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୨୦୦ ରନ୍‌। ସେହିପରି ସଚିନ ୨୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୫,୯୨୧ ରନ୍‌ ସଂଗ୍ରହ କରିଛନ୍ତି। ସେଥିରେ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ରହିଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ଅପରାଜିତ ୨୪୦ ରନ୍‌। ବୋଲିଂରେ ସଚିନ ଦିନିକିଆରେ ୧୫୪ଟି ଓ ଟେଷ୍ଟରେ ୪୬ଟି ୱିକେଟ୍‌ ହାସଲ କରିଛନ୍ତି।
ଜନ୍ମଦିନ ଅବସରରେ ତେନ୍ଦୁଲକରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ବିସିସିଆଇ, ବିଶ୍ବକପ୍‌ ଆୟୋଜକ କମିଟି, ଭାରତୀୟ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ବାଗ, ଅଜିଙ୍କ୍ୟ ରାହାଣେ, ମହମ୍ମଦ କୈଫ୍‌, ହରଭଜନ୍‌ ସିଂହ, ପ୍ରଜ୍ଞାନ ଓଝା, କେଏଲ୍‌ ରାହୁଲ, ଆକାଶ ଚୋପ୍ରା, କୁଲଦୀପ ଯାଦବ, ଦକ୍ଷିଣ ଆଫ୍ରିକାର କ୍ରିକେଟର୍‌ ହର୍ସେଲ ଗିବ୍‌ସ ପ୍ରମୁଖ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Comments are closed.