୪୮୩ଟି ମୋବାଇଲ ଟାୱାର ନିର୍ମାଣ ଲାଗି ଟେଣ୍ଡର ପ୍ରକ୍ରିୟା ଜାରି ରହିଛି: କେନ୍ଦ୍ର

ନୂଆଦିଲ୍ଲୀ: ମାଓପ୍ରବଣ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରସ୍ତାବିତ ୪୮୩ଟି ମୋବାଇଲ ଟାୱାର ସ୍ଥାପନ ଟେଣ୍ଡର ପ୍ରକ୍ରିୟା ଚାଲିଛି ବୋଲି ରାଜ୍ୟସଭାରେ କେନ୍ଦ୍ର ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜି କ୍ରିଷ୍ଣାରେଡ୍ଡୀ ଜଣାଇଛନ୍ତି। ପ୍ରସ୍ତାବିତ ମୋବାଇଲ ଟାୱାର ସ୍ଥାପନର ବାସ୍ତବିକସ୍ଥିତି କ’ଣ ରହିଛି ସେ ବିଷୟରେ ସାଂସଦ ଭାସ୍କର ରାଓଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ଦଶଟି ରାଜ୍ୟର ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ୭୩୩୦ କୋଟି ବ୍ୟୟରେ ୪୦୭୨ଟି ମୋବାଇଲ ସ୍ଥାପନ ପ୍ରସ୍ତାବ ରହିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୨୫୬ଟି ମୋବାଇଲ ଟାୱାର ସମେତ ଦେଶରେ ୨୩୩୫ଟି ମୋବାଇଲ ଟାୱାର ସ୍ଥାପନ ହୋଇଥିଲା। ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ଜଣାଇଛନ୍ତି ଯେ ୨୦୧୭-୧୮ ଓ ୨୦୧୯-୨୦ ବର୍ଷରେ ଓଡ଼ିଶାର ୨୫୦ଟି ପୁଲିସ ଷ୍ଟେସନ (ଏଫପିଏସ) ନିର୍ମାଣ ପ୍ରସ୍ତାବ ରହିଥିଲା। କେନ୍ଦ୍ର ସରକାର ଏହାର ସମୟସୀମା ୨୦୨୦-୨୧ ବର୍ଷକୁ ବୃଦ୍ଧି କରିଛନ୍ତି।
୨୦୦୫-୦୬ରୁ ୨୦୧୮-୧୯ ମଧ୍ୟରେ ସୁରକ୍ଷାଜନିତ ଖର୍ଚ୍ଚ ବାବଦରେ ଓଡ଼ିଶା ସରକାରଙ୍କ ଦାବି ମୁତାବକ ୧୯୪.୮୫ କୋଟି ରାଶି କେନ୍ଦ୍ର ସରକାର ପ୍ରଦାନ କରିବେ କି ସାଂସଦ ରାଓଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି ଯେ ରାଜ୍ୟ ସରକାର ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଜମା କରିଥିବା ସମସ୍ତ କାଗଜପତ୍ରର ଅଡ଼ିଟ ସରିଛି। ଏବାବଦରେ ଗତ ପାଞ୍ଚବର୍ଷ ମଧ୍ୟରେ ଓଡ଼ିଶାକୁ ସମୁଦାୟ ୧୭୬.୭୧ କୋଟି ଅନୁଦାନ ରାଶି ମିଳିଛି। ଏଥିରେ ୨୦୨୦-୨୧ ବର୍ଷରେ ମିଳିଥିବା ୮.୮୦ କୋଟି ଅନ୍ତର୍ଭୁକ୍ତ ରହିଛି।

Comments are closed.