ଠିକା ଦେବା ନାଁରେ ୫୦ ଲକ୍ଷ ଟଙ୍କା ଠକେଇ: ଭୁବନେଶ୍ବରରୁ ଗିରଫ ହେଲେ ରେଳବାଇ ଇଞ୍ଜିନିୟର

ଭୁବନେଶ୍ବର : ତିନି କୋଟି ଟଙ୍କାର  ଏକ ଠିକାକାମ  କରାଇଦେବା ଲାଗି ୫୦ ଲକ୍ଷ  ଟଙ୍କା ଠକି ନେଇଥିବା ଅଭିଯୋଗରେ ପ୍ରଶାନ୍ତ କୁମାର ବାଘ(୫୨) ନାମକ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପ୍ରଶାନ୍ତ ହେଲେ ପୂର୍ବତଟ ରେଳବାଇ ନିର୍ମାଣ ବିଭାଗର କାର୍ଯ୍ୟରତ ଡ଼େପୁଟି ଚିଫ୍‍ ଇଞ୍ଜିନିୟର। ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଗାୟତ୍ରୀବିହାରରେ ରହୁଥିବା ପ୍ରଶାନ୍ତଙ୍କ ଘର ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ ନୂଆଗାଁ।
ପୁଲିସ ସୂଚନା ଅନୁସାରେ ପୂର୍ବତଟ ରେଳବାଇର ୩ କୋଟି ଟଙ୍କାର ରେଲୱେ ଟ୍ରାକ୍‍ ନିର୍ମାଣ ଟେଣ୍ଡର ପାଇବା ଲାଗି ଓମ୍‍ ଷ୍ଟିଲ କମ୍ପାନୀର ମାଲିକ ତଥା ପୁରୀ ନିମାପଡ଼ା ଥାନା ଅଧୀନ ପଳଶ୍ରୀ ଗ୍ରାମର ଚିତ୍ରସେନ ବାଘ(୫୧) ଆବେଦନ କକରିଥିଲେ। ତେବେ ଅଭିଯୁକ୍ତ ଡ଼େପୁଟି ଚିଫ୍‌ ଇଞ୍ଜିନିୟର ଶ୍ରୀ ବାଘଙ୍କ ସମ୍ପର୍କିୟ ଭାଇ ପ୍ରଭାତ ବାଘ ରେଲବାଇର ଏହି ଟେଣ୍ଡର ଓମ୍‍ ଷ୍ଟିଲ କମ୍ପାନୀ ନାମରେ କରାଇ ଦେବ ବୋଲି ଚିତ୍ରସେନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ଟେଣ୍ଡର ପାସ କରିବାକୁ ୫୦ ଲକ୍ଷ ଟଙ୍କା ଛିଡିଥିଲା। କଥା ଅନୁସାରେ ୨୦୧୭ରେ ଡେପୁଟି ଚିଫ୍ ଇଞ୍ଜିନିୟର ଶ୍ରୀ ବାଘଙ୍କ ଆକାଉଣ୍ଟରେ ୫୦ହଜାର ଟଙ୍କା ଜମା କରିଥିଲେ। ପରେ ୨୦୧୯ ଜାନୁଆରୀ ୨୨ରେ ୩.୮୨ଲକ୍ଷ ଏବଂ ମାର୍ଚ୍ଚ ୩୧ରେ ୩୫ଲକ୍ଷ ଟଙ୍କାର ଏକ ଚେକ୍‍ ଦେଇଥିଲେ। ତେବେ ଏହାର କିଛି ଦିନ ପରେ ଚିତ୍ରସେନଙ୍କ ନାଁରେ ଟେଣ୍ଡର ନ ହୋଇ ଅନ୍ୟଜଣଙ୍କୁ ଏହି  ଟେଣ୍ଡର ମିଳିଥିଲା। ଟେଣ୍ଡର ନ ପାଇବାରୁ ଠିକାଦାର ଚିତ୍ରସେନ ମଧ୍ୟସ୍ଥି ପ୍ରଭାତ ଏବଂ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ବାରମ୍ବାର ଫୋନ ଦ୍ୱାରା ଯୋଗାଯୋଗ କରିଥିଲେ। ହେଲେ  କୌଣସି ଫଳ ମିଳି ନ ଥିଲା। ଶେଷରେ ଠକେଇର ଶିକାର ହୋଇଥିବା ଚିତ୍ରସେନ ଜାଣିପାରି ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ। ଟଙ୍କା ଫେରସ୍ତ ବଦଳରେ ସେମାନେ ଚିତ୍ରସେନଙ୍କୁ ଓଲଟି ଜୀବନରେ ମାରିଦେବା ପାଇଁ ଧମକ୍‍ଚମକ ଦେଇଥିଲେ।  ଶେଷରେ ଚିତ୍ରସେନ ନିରାଶ ହୋଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Comments are closed.