୨୦୨୨ରୁ ଆଇପିଏଲରେ ଖେଳିବେ ୧୦ଟି ଦଳ, ପ୍ରଥମ ଶ୍ରେଣୀ କ୍ରିକେଟରଙ୍କୁ ମିଳିବ କ୍ଷତିପୂରଣ

ଆଇପିଏଲ ଆୟୋଜନ କ୍ଷେତ୍ରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ବିସିସିଆଇର ୮୯ ତମ ବାର୍ଷିକ ସାଧାରଣ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ଆଇପିଏଲରେ ପୂର୍ବ ଭଳି ୮ଟି ଦଳ ପ୍ରତିଯୋଗିତାରେ ଭାଗ ନେବେ କିନ୍ତୁ ୨୦୨୨ରେ ସେଥିରେ ଆଉ ଦୁଇଟି ଦଳ ସାମିଲ ହେବେ। ଆହୁରି ମଧ୍ୟ, ପ୍ରତ୍ୟେକ ପ୍ରଥମ ଶ୍ରେଣୀ କ୍ରିକେଟର (ମହିଳା ଏବଂ ପୁରୁଷ) କରୋନା ଜନିତ କ୍ଷତି ପାଇଁ କ୍ଷତିପୂରଣ ପାଇବେ ବୋଲି ବିସିସିଆଇ ନିଷ୍ପତ୍ତି ଗ୍ରହଣ କରିଛି।

ଆଜି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜୀବ ଶୁକ୍ଲାଙ୍କୁ ବିସିସିଆଇର ଉପାଧ୍ୟକ୍ଷ ଭାବରେ ଆନୁଷ୍ଠାନିକ ଭାବେ ନିଯୁକ୍ତ କରାଯାଇଛି।

ଆଜିର ବୈଠକରେ ଗ୍ରହଣ କରାଯାଇଥିବା ୧୦ଟି ନିଷ୍ପତ୍ତି:
– ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସ୍ପଷ୍ଟୀକରଣ ପରେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳ ଅନ୍ତର୍ଭୁକ୍ତ କରିବାକୁ ଆଇସିସିର ନିଷ୍ପତ୍ତିକୁ ବିସିସିଆଇ ସମର୍ଥନ କରିବ।
– ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡରେ ନିର୍ଦ୍ଦେଶକ ରହିବେ। ତାଙ୍କ ଅନୁପସ୍ଥିତିରେ ସଚିବ ଜୟ ଶାହା ଏହି ଦାୟିତ୍ୱ ସମ୍ଭାଳିବେ ।
– ଶାହା ଆଇସିସିରେ ଭାରତର ପ୍ରତିନିଧିତ୍ବ କରିବେ। ସେ ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ବୋର୍ଡର ପ୍ରତିନିଧିତ୍ୱ କରିବେ।
– ୨୦୨୧ ଜାନୁଆରୀରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି -20 ଚାମ୍ପିଅନସିପ୍ ପରେ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।
– ରାଜୀବ ଶୁକ୍ଲା ବୋର୍ଡର ଡେପୁଟି ଚେୟାରମ୍ୟାନ୍ ଭାବରେ ଆନୁଷ୍ଠାନିକ ଭାବରେ ନିଯୁକ୍ତ ହୋଇଛନ୍ତି। ମହୀମ ଚୌଧରୀଙ୍କ ପରେ ଏହି ପଦବୀ ଖାଲି ଥିଲା।
– ବିସିସିଆଇ ସଚିବ ଜୟ ଶାହା ଏବଂ କୋଷାଧ୍ୟକ୍ଷ ଅରୁଣ ଧୁମାଲ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ଏବଂ ୨୦୨୩ ଏକଦିବସୀୟ ବିଶ୍ୱକପ ପାଇଁ ଟିକସ ଛାଡ କରିବାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। ଉଭୟ ବିଶ୍ୱକପ ଭାରତ ଆୟୋଜନ କରିବ। ଟି -୨୦ ବିଶ୍ୱକପ ପାଇଁ ଟିକସ ଛାଡ ନ ହେଲେ ବିସିସିଆଇ ପ୍ରାୟ ୯୦୪ କୋଟି ଟଙ୍କା ହରାଇବ।
– ବିସିସିଆଇ କ୍ରିକେଟ ଖେଳାଳିଙ୍କ ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି।
– ବୋର୍ଡ ଅମ୍ପାୟାର, ମ୍ୟାଚ୍ ରେଫରି ଏବଂ ସ୍କୋରରଙ୍କ ଅବସର ବୟସକୁ ୫୫ରୁ ୬୦କୁ ବୃଦ୍ଧି।
– ଆଇପିଏଲର ୧୪ତମ ସିଜିନ୍ ସହିତ ଜୁନିୟର ଏବଂ ସିନିୟର ସ୍ତରରେ ମହିଳା ଏବଂ ପୁରୁଷ ବର୍ଗରେ ଟୁର୍ଣ୍ଣାମେଣ୍ଟ ମଧ୍ୟ ଭାରତରେ ଅନୁଷ୍ଠିତ ହେବ। ୨୩ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଏବଂ ୧୬ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହେବ।
– ବୈଠକରେ ଆସନ୍ତା ବର୍ଷ ମହିଳା ଟେଷ୍ଟ କ୍ରିକେଟ୍ ଆୟୋଜନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ତେବେ ବିସିସିଆଇ ଶୀର୍ଷ ପରିଷଦ ଏହା ଉପରେ ନିଷ୍ପତ୍ତି ନେବ।

Comments are closed.