ଟିଟିଲାଗଡ଼ରେ ପାରଦ ୪୫.୫ ଉପରେ; ୪ ଦିନ ନିସ୍ତାର ନାହିଁ

ଭୁବନେଶ୍ବର: ଆହୁରି ଚାରିଦିନ ତାତି । ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉ ଥିବାରୁ ଆଗାମୀ  ୪ ଦିନ ଯାଇଁ କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଦେଓଗଡ, ଏବଂ ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଅମ୍ପନ ପରେ ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ତାତି ଲୋକଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି । ଅସହ୍ୟ ଗରମରେ ଲୋକମାନେ ସନ୍ତୁଳି ହେଉଛନ୍ତି । ତେବେ ଖୁବ୍ ଶୀଘ୍ର ଏଥିରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ ।  ୨୪ ଘଣ୍ଟାରେ ୟେଲୋ ୱାର୍ଣ୍ଣିଂ ଏବଂ ପରବର୍ତ୍ତୀ ୩୬ ଘଣ୍ଟା ପାଇଁ ଏହି ଜିଲ୍ଲା ଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ପଶ୍ଚିମ ଭାରତରେ ତାତି ବଢ଼ିଛି ଓ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେଉଛି । ଚଳିତ ସପ୍ତାହରେ ପଶ୍ଚିମ ଭାରତରେ ତାତି ୪୭ ଅତିକ୍ରମ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ତେଣୁ ଏହାର ପ୍ରଭାବ ଏଠାରେ ସ୍ବାଭାବିକ ପଡ଼ିବ ବୋଲି ଆକଳନ କରାଯାଇଛି ।  ବାୟୁମଣ୍ଡଳରେ ଚାପର ତାରତମ୍ୟ ରହୁ ଥିବାରୁ ଉପକୂଳ ଓଡିଶା ଏବଂ ତାର ଆଖପାଖ ଅଂଚଳରେ ସମୁଦ୍ରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗ ଯାଇଁ  ପବନ ରହିବାର ସମ୍ଭାବନା ରହିଛି । ସେଥିଲାଗି ମତ୍ସ୍ୟଜୀବୀଙ୍କୁ ୨୫ ଏବଂ ୨୬ ତାରିଖ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।  ଆସନ୍ତା ୨୮ ତାରିଖରୁ ଦୁଇ ଦିନ ଧରି କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘଡଘଡି ହୋଇପାରେ ପାଣିପାଗ ବିଭାଗ ଆକଳନ କରିଛି ।

Comments are closed.