ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ବାର ବିକାଶ ପାଇଁ ୨୩ କୋଟି

ଭୁବନେଶ୍ବର : ରାଜ୍ୟରେ ସର୍ବଧର୍ମ ସମନ୍ବୟ ଲକ୍ଷ୍ୟ ନେଇ ଓଡ଼ିଶାର ପ୍ରମୁଖ ତୀର୍ଥ ସ୍ଥଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅନୁଦାନ ପ୍ରଦାନ କରାଯିବ। ଏହି ପାଣ୍ଠି ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ବାର ବିକାଶ ପାଇଁ ଖର୍ଚ୍ଚ କରାଯିବ। ପ୍ରତ୍ୟେକ ଧାର୍ମିକ ସ୍ଥଳ ପାଇଁ ୧ କୋଟି ଲେଖାଏଁ ଦିଆଯିବ। ଏହି ପାଣ୍ଠିରେ ୧୦ଟି ମନ୍ଦିର, ୫ଟି ଚର୍ଚ୍ଚ, ୬ଟି ମସଜିଦ୍ ଓ ଦୁଇଟି ଗୁରୁଦ୍ବାର ବିକାଶ ପାଇଁ ଯୋଜନା ରହିଛି। ଧର୍ମ ଓ ଧାର୍ମିକ ଅନୁଷ୍ଠାନକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ବି​‌େ​‌ଦ୍ବଷ ଦେଖା ଦେଇଥିବା ବେଳେ ତୀର୍ଥ ସ୍ଥଳର ଉନ୍ନତି ପାଇଁ ଏହି ଅନୁଦାନ ବ୍ୟବସ୍ଥା ଜରିଆରେ ରାଜ୍ୟ ସରକାର ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି।
ହସ୍ତଗତ ସୂଚନା ଅନୁସାରେ ବରଗଡ଼ ଧନୁପାଲିର ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗୀର ହରିଶଙ୍କର ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢ଼େଙ୍କାନାଳର କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉ ବିଜେ ମନ୍ଦିର, ଜଗତସିଂହପୁରର ମା’ ଶାରଳା ମନ୍ଦିର, ଯାଜପୁରର ବିରଜା ମନ୍ଦିର, କେନ୍ଦୁଝରର ବଳଦେବ ଜୀଉ ମନ୍ଦିର, କୋରାପୁଟର ଗୁପ୍ତେଶ୍ବର ମନ୍ଦିର, ନବରଙ୍ଗପୁରର ନୀଳକଣ୍ଠେଶ୍ବର ମନ୍ଦିରକୁ ଏକ କୋଟି ଲେଖାଏଁ ଅନୁଦାନ ମିଳିବ। ସେହିପରି ପୁରୀର ଜାହାନିଆ ପୀର, ସୋନପୁରର ହାଜିର ଅବଦୁଲ ସକୁର ବାବା ତରଭା ସରିଫ୍ ମସଜିଦ୍, ଭଦ୍ରକର ଧାମନଗର ସ୍ଥିତ ଦରଘା-ଏ-ହଜୁର-ମୁଜାହିଦ-ଇ-ମିଲାତ, ବାଲେଶ୍ବରର ଭୁଜାଖିଆ ପୀର, ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଜାମା ମସଜିଦ୍ ଓ ଖୋର୍ଦ୍ଧାର ହଜରତ ବୁଖାରୀ ପୀର ବାବା ମସଜିଦ୍‌ ଏହି ଯୋଜନାରେ ସାମିଲ ହୋଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ୫ଟି ଚର୍ଚ୍ଚକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ବଲାଙ୍ଗୀରର ସିଏନ୍‌ଆଇ ଚର୍ଚ୍ଚ, ଖୋର୍ଦ୍ଧାର ବାପ୍ଟିଷ୍ଟ ଚର୍ଚ୍ଚ, କଟକ ଚାନ୍ଦିନୀ ଚୌକ ସ୍ଥିତ ମାଉଣ୍ଟ ହାଉସ ଚର୍ଚ୍ଚ, କଳାହାଣ୍ଡିର ସେଣ୍ଟ ପଲ୍ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଓ ଭୁବନେଶ୍ବରର ୟୁନିଟ୍-୪ ସ୍ଥିତ ଚର୍ଚ୍ଚ ଅଫ୍ କ୍ରାଏଷ୍ଟକୁ ଅନୁଦାନ ପ୍ରଦାନ କରାଯିବ। ଅପରପକ୍ଷେ ପୁରୀ ସ୍ଥିତ ବଉଳି ମଠ ଗୁରୁଦ୍ବାର ଏବଂ ସୁନ୍ଦରଗଡ଼ ସ୍ଥିତ ଗୁରୁ ସିଂହ ସାହେବ ଗୁରୁଦ୍ବାରକୁ ୧ କୋଟି ଲେଖାଏଁ ପାଣ୍ଠି ଯୋଗାଇ ଦିଆଯିବ।
ଚଳିତ ବର୍ଷ ରାଜ୍ୟ ସରକାର ତୀର୍ଥ ସ୍ଥଳ ଓ ଧାର୍ମିକ ଅନୁଷ୍ଠାନର ବିକାଶ ପାଇଁ ଅଧିକ ଗୁରୁତ୍ବ ପ୍ରଦାନ କରୁଥିବା ଦେଖାଯାଇଛି। ପୁରୀରେ ବହୁ ଆକାଂକ୍ଷିତ ବିଶ୍ବସ୍ତରୀୟ ଐତିହ୍ୟ କରିଡର୍ ପାଇଁ ଚଳିତ ବଜେଟ୍‌ରେ ସରକାର ୬୯୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଅବଢ଼ା ଯୋଜନାରେ ଏହି ଅର୍ଥ ଯୋଗାଇ ଦିଆଯିବ। ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ବିକାଶ ନିମନ୍ତେ ସରକାର ଏକାମ୍ର ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯୋଜନାର ସଫଳ ରୂପାୟନ ପାଇଁ ସରକାର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ କମିଟି ଗଠନ କରିଛନ୍ତି। ପୁରୀକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ପାଇଁ ସରକାର ୩୨୦୮ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୨୨ ସୁଦ୍ଧା ଏହି ପାଣ୍ଠି ବିନିଯୋଗ ହେବ। ତେବେ ବର୍ତ୍ତମାନ ହିନ୍ଦୁ ଧାର୍ମିକ ସ୍ଥଳ ବ୍ୟତୀତ ଇସଲାମ୍, ଖ୍ରୀଷ୍ଟ ଧର୍ମ ଓ ଶିଖ୍‌ ସମ୍ପ୍ରଦାୟର ଧାର୍ମିକ ସ୍ଥଳର ବିକାଶ ଯୋଜନା ହାତକୁ ନେଇଛନ୍ତି। ପ୍ରତ୍ୟେକ ଧାର୍ମିକ ସ୍ଥଳରେ ୧ କୋଟି ଟଙ୍କା ବ୍ୟୟରେ ସେଠାକାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଯୋଜନା ରହିଛି।

 

Comments are closed.