ଆଗକୁ ବଢ଼ିବ ତାତି

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ହେତୁ ରବିବାର ୭ ସହରର ପାରଦ ୩୮ ଡିଗ୍ରୀ ଉପରେ ରହିଛି। ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ଅନୁଗୋଳ ଏବଂ ସମ୍ବଲପୁରରେ ୩୮.୭ ଡିଗ୍ରୀ ରହିଛି। ଉଭୟ ସହର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି; କିନ୍ତୁ ଭୁବନେଶ୍ବରରେ ତାପମାତ୍ରା ଗତକାଲି ଅପେକ୍ଷା ଆଜି ୨ ଡିଗ୍ରୀ କମିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରୀ ଅଧିକ ରହିବ। ଆଗକୁ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ। ସୋମବାର ଭଦ୍ରକ, ଯାଜପୁର, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ ଏବଂ କେନ୍ଦ୍ରାପଡା। ମଙ୍ଗଳବାର ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଏବଂ ନୟାଗଡ ଜିଲାରେ କୁହୁଡି ଅନୁଭୂତ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନରେ ପାରଦ ୧୪ରୁ ୨୬ ଡିଗ୍ରୀ ମଧ୍ୟରେ ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ, ସୋମବାରରୁ ରାଜ୍ୟର ସମସ୍ତ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡିଶାରେ ତାପମାତ୍ରା ବଢିବ। ଟିଟିଲାଗଡ, ଅନୁଗୋଳ ଏବଂ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ। ୧୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ଭିତରେ ରହିବ; କିନ୍ତୁ ୧୫ରୁ କେତେକ ସ୍ଥାନରେ ପୁଣି ତାପମାତ୍ରା ବୃଦ୍ଧି ପାଇଁ ୪୨ ଡିଗ୍ରୀ ଛୁଇଁବ। ଭୁବନେଶ୍ବର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲାଗୁଡିକରେ ୧୦ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ। ୧୧ରୁ ତାପମାତ୍ରା ବୃଦ୍ଧି ପାଇ ୧୫ ତାରିଖ ବେଳକୁ ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Comments are closed.