ରମ୍ପେଲାକେମ୍ପ ଇଞ୍ଜିନିୟରଙ୍କ କମାଲ; ତିଆରି କଲେ ଟେମ୍ପର୍ ପ୍ରୁଫ୍ ଭୋଟିଂ ମେସିନ୍

ରେଙ୍ଗାଲି : ସଂପ୍ରତି ଇଭିଏମ୍ ମେସିନ୍  ରେ ଚାଲିଥିବା ଭୋଟ୍ ବ୍ୟବସ୍ଥା କୁ ନେଇ  ବ୍ୟାପକ ତର୍କ ବିତର୍କ ହେବା ସହିତ ଇଭିଏମ୍ ମେସିନ୍ କୁ ଟେମ୍ପରିଂ କରଯାଉଛି ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରୁଛନ୍ତି।  ଏପରିକି ଇଭିଏମ୍ ମେସିନ ରେ ଭୋଟ୍ ନକରି ପୂର୍ବଭଲି ବାଲାଟ୍ ପେପରରେ ଭୋଟ୍  ଗ୍ରହଣ କରାଯାଉ ବୋଲି ନିର୍ବାଚନ କମିଶନ ନିକଟରେ ବାରମ୍ବାର ଦାବି ହେଉଛି। ଇଭିଏମ୍ ମେସିନ୍ କୁ ନେଇ ଏଭଲି ବାଦ ବିବାଦ ଚାଲିଥିବା ବେଳେ ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପର ଆଶିଷ ମାହାଣା ନାମକ ଯୁବ ଇଞ୍ଜିନିୟର ଟେମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍ ତିଆରି କରି ଏକ ଉଦାହରଣ ସୃଷ୍ଟି କରିବା ସହିତ ସରକାର ଏବଂ ରାଜନୈତିକ ଦଳ ମାନଙ୍କୁ ସ୍ୱଚ୍ଛ ଏବଂ ପାରଦର୍ଶି ଭୋଟ୍‌ ଗ୍ରହଣ ର ବାର୍ତ୍ତା ଦେବା ର ପ୍ରୟାସ କରିଛନ୍ତି। ହିଣ୍ଡାଲ୍କୋ ରେ ଇଞ୍ଜିନିୟର ଥିବା ଆଶିଷ ମାହାଣା ଟେମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍  ତିଆରି ପାଇ ବ୍ୟାଟେରୀ  ଅକାମୀ ହୋଇ ପଡିଥିବା ଫ୍ୟାନ୍ ରେ ଲାଗିଥିବା ପୁସ୍ ସୁଇଚ୍, ଅଚଳ ମୋଟର ସାଇକେଲ୍ ର ସ୍ପିଡୋ ମିଟର, ଖେଳଣା ମାନଙ୍କ ରେ ଲାଗିଥିବା ମୋଟର, କାଉଣ୍ଟର ଏବଂ ସାଇକେଲ୍ ଘଣ୍ଟି ବ୍ୟବହାର କରିଛନ୍ତି। ଶ୍ରୀ ମାହାଣା ଙ୍କ କହିବା ଅନୁଯାୟୀ ଏହି ଭୋଟିଂ ମେସିନ୍ କୁ କେହି ଟେମ୍ପରି କରି ପାରିବେ ନାହିଁ । ଭୋଟିଂ ମେସିନ୍ ଲକ୍ ଏବଂ  ଏବଂ ଅନ୍ ଲକ୍ ସୁଇଚ୍ ପ୍ରିଜାଇଡିଂ ଅଫିସର ଙ୍କ ପାଖ ରେ ରହିବ। ଭୋଟର ଭୋଟ୍ ଦେବାକୁ ମେସିନ୍ ପାଖକୁ ଗଲେ ସେସିନ୍ ଅନ୍ ଲକ୍ ହେବ ଏବଂ ଭୋଟର ନିଜ ପସନ୍ଦ ଚିହ୍ନ ରେ ଭୋଟ ଦେଲା ପରେ ଏଲଇଡି ବଳ୍ବ ଜଳି ଉଠିବା ସହିତ ଘଣ୍ଟି ବାଜିବ ଏବଂ  ଭୋଟ୍ ମେସିନ୍ ରେଥିବା କାଉଣ୍ଟରରେ ଭୋଟ୍ ରେକର୍ଡ ହୋଇଯିବ । ଏହାପରେ ଅଟୋମେଟିକ୍ ମେସିନ୍ ଲକ୍ ହୋଇଯିବ। ଅଟୋମେଟିକ୍ ଲକ୍ ଯୋଗୁଁ ଜଣେ ଭୋଟର ଏକାଧିକ ଭୋଟ୍ ଦେବା ଅସମ୍ଭବ । ପୁଣି ଅନ୍ୟ ଭୋଟର ଭୋଟ୍ ଦେବାକୁ ଆସିଲେ ପ୍ରିଜାଇଡିଂ ଅଫିସର ମେସିନ୍ ଅନଲକ୍ କଲେ ସଂପୃକ୍ତ ଭୋଟର୍ ଭୋଟ ଦେଇପାରିବେ। ନିର୍ବାଚନ ରେ ଯେତେ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବେ ମେସିନ୍ ରେ ସେତେ ସଂଖ୍ୟକ ମିଟର ଏବଂ ମୋଟର ଲାଗିବ ବୋଲି ଶ୍ରୀ ମହାଣା କହିଛନ୍ତି। ସମାନ୍ୟ ପରିବର୍ତ୍ତନ କରି ଏହି ମେସିନ୍ ରେ ମୋଟର କାଉଣ୍ଟର ବଦଳରେ ସିରଏଲ୍ ଷ୍ଟମ୍ପିଂ ମେସିନ୍ ବ୍ୟବହାର କଲେ ସମ୍ପୂର୍ଣ୍ଣ ମେକାନିକାଲ୍ ଅର୍ଥାତ୍ ବ୍ୟାଟେରୀ ବିହୀନ ଭୋଟିଂ ମେସିନ୍ ତିଆରି ହୋଇପାରିବ। କିଏ କେତେ ଭୋଟ୍ ପାଇଲା ଜାଣିବାକୁ ଚାହିଁଲେ ମଧ୍ୟ ସାଙ୍ଗେ ସାଙ୍ଗେ ଗଣତି କରାଯାଇ ପାରିବ। ଏହି ମେସିନ୍ ଟେମ୍ପରିଂ ପ୍ରୁଫ୍ ହୋଇଥିବାରୁ ନିର୍ବାଚନରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ରହିବ ବୋଲି ଶ୍ରୀ ମାହାଣା ଆଶାପ୍ରକାଶ କରିଛନ୍ତି। ଏହି ମେସିନ୍ ମାତ୍ର ଦୁଇ ହଜାର ଟଙ୍କାରେ ତିଆରି କରାଯାଇ ପାରିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଢାଞ୍ଚାରେ ତିଆରି ହୋଇ ପାରୁଥିବା ଏହି ଭୋଟିଂ ମେସିନ୍ ଅନେକଙ୍କୁ ଆତ୍ମ ନିଯୁକ୍ତି ତଥା ରୋଜଗାର ଯୋଗାଇ ଦେବାରେ ସହାୟକ ହୋଇପାରିବ। ଏହା ବ୍ୟତୀତ ସରକାର ଦେଉଥିବା ଭୋକାଲ୍ ଫତ୍ ଲୋକାଲ୍ ସ୍ଲୋଗାନ୍ ର ସଫଳ ରୂପାୟନ ମଧ୍ୟ ହୋଇ ପାରିବ ବୋଲି ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି।

ସୂଚିତ ଯେ ବୈଶ୍ୱିକ ମହାମାରୀ କରୋନା କଟକଣା ସମୟରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା  ଓ ସେବା ପ୍ରଦାନ ପାଇଁ    ଆକ୍ରାନ୍ତ ବ୍ୟକ୍ତିର ପାଖ କୁ ନଯାଇ ଦୂରରୁ ସେବା ପ୍ରଦାନ କରା ଯାଉଥିବା ବେଳେ ଶ୍ରୀ ମହାଣା ରୋବୋଟିକ୍ ନର୍ସ ତିଆରି କରି ଚହଳ ସୃଷ୍ଟି କରିଥିଲେ।

Comments are closed.