ଗରିବ ଅସହାୟ ପରିବାର ପାଇଁ ଆବାସ ଯୋଜନା ବାଟବଣା

ତେଲକୋଇ: ଗରିବ ଅସହାୟ ପରିବାର ପାଇଁ ଆବାସ ଯୋଜନା ବାଟବଣା। ସରକାର ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ତେବେ ଯୋଜନା ସବୁ ଲୋକଙ୍କ ପାଖରେ ଅପହଞ୍ଚ ହୋଇଛି। ଲୋକଙ୍କ ଝାଟିମାଟି କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାର ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ଏହି ସବୁ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ବହୁ ଗରିବ ପରିବାର ଆବାସ ଯୋଜନାରୁ ବଂଚିତ ହେଉଛନ୍ତି। ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକ ଖୁଣ୍ଟାପଡା ପଂଚାୟତ ଗୁଣ୍ଡୁରୀଯୋଡ଼ା ଗାଁର ଆମ୍ବତଇଲା ସାହିରେ ଦେଖିବାକୁ ମିଳିଛି।

ଉକ୍ତ ସାହିର ଶୁକ୍ରା ମୁଣ୍ଡାଙ୍କ ପରିବାର ଏକ ବିପଦ ସଂକୁଳ ଚାଳ ଛପର ଘରେ ୬ପ୍ରାଣୀ କୁଟୁମ୍ବ ଜୀବନ କାଟୁଛନ୍ତି। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚାଳ ଉପରେ ଏକ ପଲିଥିନ ଘୋଡ଼ାଇ ଥିବା ବେଳେ ମାଟି କାନ୍ଥ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। ଶୁକ୍ରାଙ୍କ କହିବା ଅନୁଯାୟୀ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଘର ଖଣ୍ଡିଏ ତିଆରି କରିବା ମୋ ପକ୍ଷରେ ବହୁ କଷ୍ଟ ସାଧ୍ୟ ହୋଇପଡ଼ିଛି। ସେହିପରି ଅନ୍ୟ ଦିନ ଗୁଡ଼ିକରେ ଖୋଲା ଆକାଶ ତଳେ ରୋଷେଇ କରୁଥିବା ବେଳେ ବର୍ଷା ଦିନେ ବର୍ଷା ହେଲେ ରୋଷେଇ କରି ଖାଇବା ମଧ୍ୟ ବନ୍ଦ ହୋଇ ଯାଇଥାଏ। ତେବେ ପ୍ରଶାସନ ଗରିବଙ୍କୁ ଅନ୍ଧ ପୁଟୁଲି ବାନ୍ଧି ଥିଲାବାଲାଙ୍କୁ ଆବାସ ଯୋଜନା ଯୋଗାଇ ଦେଉଥିବା ସ୍ପଷ୍ଟ ବାରି ହେଉଛି। ଆବାସ ଯୋଜନାରେ ଘର ପାଇଁ ଅନେକବାର ବ୍ଲକ ଠାରୁ ଆରମ୍ଭ କରି ପଂଚାୟତକୁ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମଧ୍ୟ ଆବାସ ଖଣ୍ଡିଏ ମିଳି ପାରିନାହିଁ। ତେଣୁ ତୁରନ୍ତ ଶୁକ୍ରା ପରିବାରକୁ ଆବାସ ଖଣ୍ଡିଏ ଯୋଗାଇ ଦେବା ପାଇଁ ସାହି ବାସିନ୍ଦା ନିବେଦନ କରିଛନ୍ତି।

Comments are closed.