ଫଳକ ମାଳମାଳ, କାମ ଦୁର୍ବଳ: ଗ୍ରାମ୍ୟ ଉନ୍ନୟନ ବିଭାଗର ତେଲକୋଇକୁ ଅବହେଳା

ତେଲକୋଇ: ତେଲକୋଇ ବ୍ଲକ ଏକ ଆଦିବାସୀ ବହୁଳ ବଣ ଜଙ୍ଗଲ ଘେରା ଅଞ୍ଚଳ। ବିଭିନ୍ନ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବା ଦୃଶ୍ୟ ଏ ଅଞ୍ଚଳରେ ଅତି ସାଧାରଣ। ବିଭିନ୍ନ ଗ୍ରାମକୁ ରାସ୍ତା ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ହାତକୁ ନିଆଯାଇ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବିଭିନ୍ନ ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। କିନ୍ତୁ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ଯ ଶେଷ ହେବାର ନାଁ ଧରୁନି। କିଛି ରାସ୍ତାର କାର୍ଯ୍ୟ ଶେଷ ସମୟ ସରି ରକ୍ଷଣାବେକ୍ଷଣ ସମୟ ବି ଶେଷ ହେଲାଣି କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି।

ଏଥିମଧ୍ୟରୁ ବହୁ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଖୋଦ ତେଲକୋଇ ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ରହି ଫଳକ ଉନ୍ମୋଚନ କରିଥିଲେ। ବ୍ଲକର କରଦାଙ୍ଗି ପଞ୍ଚାୟତ ସାପଲାଞ୍ଜି, ପଡାଙ୍ଗ ପଞ୍ଚାୟତ ସାଙ୍କୋଇ ଓ କରମଙ୍ଗି ପଞ୍ଚାୟତ କାନ୍ତଲସୁଆଁ ଏବଂ ବନ୍ଦା-ଅଲୁଣି ରାସ୍ତା ନିର୍ଦ୍ଧାରିତ ସମୟ ପାର ହୋଇ ସାରିଥିଲେ ହେଁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିବା ବେଳେ ଏଇ ଅଳ୍ପ ଦିନ ତଳେ ଖୋଦ ମନ୍ତ୍ରୀ ଓ ସାଂସଦ ବଳଭଦ୍ରପୁର ପଞ୍ଚାୟତର କାଟେଣୀପଶି ଏବଂ ଟୁଙ୍ଗୁରୁବାହାଳରୁ ଗୋବିନ୍ଦପୁର ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ସମାପ୍ତ ହୋଇନଥିବା ବେଳେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଦ ମନ୍ତ୍ରୀ ଏବଂ ସାଂସଦ ଙ୍କ ଦ୍ବାରା ଭିତ୍ତିପ୍ରସ୍ତର ଫଳକ ଉନ୍ମୋଚନ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକରୀ ଏବଂ ଠିକାଦାରମାନଙ୍କ ଏଭଳି ଅବହେଳାପୂର୍ଣ୍ଣ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

Comments are closed.