ବାଇକ ଦୁର୍ଘଟଣାରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମ ମୁଣ୍ଡରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୋଳାଗାଡ଼ିଆ ଗ୍ରାମର ଯୁଗଳ ନାୟକଙ୍କ ପୁଅ ଲିକୁ ନାୟକ (୧୫) ଶନିବାର ଅପରାହ୍ନ ୩ଟା ସମୟରେ ବାଇକ ଯୋଗେ ଭୀମକାଣ୍ଡ ଅଭିମୁଖେ ଯାଉଥିବା ବେଳେ ଗୋଳାଗାଡ଼ିଆ ଗାଁ ମୁଣ୍ଡରେ ଭାରସାମ୍ୟ ହରାଇ ଖସି ପଡିଥିଲେ। ସେ କରଦାଙ୍ଗି ପଞ୍ଚାୟତ ସରେଇ ସ୍ଥିତ ଶିକେଶ୍ବର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି।

ଘଟଣାସ୍ଥଳରେ ଗୁରୁତର ହୋଇ ପଡିରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ୧୦୮ ରୋଗୀଯାନ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆଗାମୀ ଦିନରେ ଦଶମ ଶ୍ରେଣୀର ପରୀକ୍ଷା ହେବାକୁ ଥିବା ବେଳେ ଏସମୟରେ ଦୁର୍ଘଟଣା ଘଟିଥିବାରୁ ପରୀକ୍ଷା ନେଇ ଛାତ୍ର ଜଣକ ଚିନ୍ତିତ ହୋଇପଡିଛନ୍ତି। ଅଳ୍ପବୟସ୍କଙ୍କ ହାତରେ ବାଇକ ଦେଉଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ହେଁ ଏଥିପ୍ରତି ନା ଅଭିଭାବକ ସଚେତନ ହେଉଛନ୍ତି ନା ପ୍ରଶାସନ। ସେହିପରି ବିଭିନ୍ନ ବିଦ୍ୟାଳୟର ଛାତ୍ର ମଧ୍ୟ ମୋଟରସାଇକେଲ ଯୋଗେ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳୁଛି।

Comments are closed.