ଓଡ଼ିଆଙ୍କ ଯତ୍ନ ନେବାର ପ୍ରତିଶ୍ରୁତି ଦେଲେ ୫ ମୁଖ୍ୟମନ୍ତ୍ରୀ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କରୋନା ଲକ୍‌ଡାଉନ୍‌ କାରଣରୁ ଓଡ଼ିଶାର ଅନେକ ଲୋକ କେରଳ, ହରିୟାଣା, ତାମିଲନାଡୁ, ଲେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପରିପ୍ରେକ୍ଷୀରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ.ପଲାନିସ୍ବାମୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଜୀଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ବିଟ୍‌ କରିଛନ୍ତି ଯେ ଓଡ଼ିଆ ଭାଇଭଉଣୀମାନଙ୍କର ରହିବା, ଖାଇବା, ସ୍ବାସ୍ଥ୍ୟ ବ୍ୟବସ୍ଥା ବିଶେଷ ଭାବରେ ସାମାଜିକ ଦୂରତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚଟି ରାଜ୍ୟ ସରକାରଙ୍କୁ ସୁବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କଲି। ଓଡ଼ିଆ ଭାଇଭଉଣୀଙ୍କ ସମସ୍ୟା ସମ୍ପର୍କରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଅବଗତ ଥିବା ଓ ଉପଯୁକ୍ତ ଗୁୁରୁତ୍ବର ସହ ସେମାନଙ୍କର ଆବଶ୍ୟକ ଯତ୍ନ ନେବାର ପ୍ରତିଶ୍ରୁତି ଦେଲେ। ଓଡ଼ିଆ ଭାଇଭଉଣୀ ଓ ଗୁରୁଜନମାନେ ଯେଉଁଠି ଅଛନ୍ତି ସେହିଠାରେ ରହିବାକୁ ଅନୁରୋଧ। ସମ୍ପୃକ୍ତ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସହ ଯୋଗସୂତ୍ରରେ ରହି ଆପଣଙ୍କୁ ସହଯୋଗ କରିବାକୁ ଆମେ ସବୁ ପ୍ରକାର ପ୍ରଚେଷ୍ଟା କରୁଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଭଲରେ ରଖିବେ ବୋଲି ମୋର ଦୃଢ଼ ବିଶ୍ବାସ ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି।