ତେଲଙ୍ଗାନାରେ ‘ଲକ୍ ଡାଉନ’
ପରିବାରର ଜଣଙ୍କୁ ବାହାରକୁ ଯିବାକୁ ଅନୁମତି ରାସନ କାର୍ଡ ପିଛା ୧୫୦୦ ଟଙ୍କା

ହାଇଦରାବାଦ : କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା ଲାଗି ତେଲଙ୍ଗାନା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକର ନିଷ୍ପତ୍ତି ଅନୁଯାୟୀ ସମଗ୍ର ତେଲଙ୍ଗାନା ରାଜ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଲକ ଡାଉନ’ରେ ରହିବ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଲାଗି ପରିବାରର ଜଣେ ମାତ୍ର ସଦସ୍ୟଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ। ତେଲଙ୍ଗାନାର ସମସ୍ତ ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯିବ। ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ଓ ଔଷଧ ପରିବହନ କରୁଥିବା ଗାଡିଗୁଡିକୁ ରାଜ୍ୟ ଭିତର ଓ ବାହାରକୁ ଯିବାକୁ ଦିଆଯିବ। ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ରାଜ୍ୟର ପ୍ରତ୍ୟେକ ରାସନ କାର୍ଡ ଧାରୀଙ୍କୁ ୧୫୦୦ଟଙ୍କା ଓ ମୁଣ୍ଡପିଛା ୧୨ କିଲୋ ଚାଉଳ ଦିଆଯିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବେ। ଅନ୍ୟ ବିଭାଗର ୨୦ପ୍ରତିଶତ କର୍ମଚାରୀ ରୋଷ୍ଟର ଡ୍ୟୁଟି କରିବେ।