ସୁଟିଂ ଫ୍ଲୋର୍‌କୁ ଓହ୍ଲାଇଲା ଧାରାବାହିକ, ଥର୍ମାଲ ସ୍କ୍ରିନିଂ ପରେ କଳାକାରଙ୍କୁ ଅଭିନୟ ପାଇଁ ମିଳୁଛି ଅନୁମତି

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି । ଏହାଦ୍ବାରା କରୋନା ସଂକ୍ରମଣକୁ ଆଶଙ୍କା କରି ଟେଲିଭିଜନ୍‌ରେ ପ୍ରସାରିତ ଧାରାବାହିକ ସୁଟିଂ ମଧ୍ୟ ବନ୍ଦ ରହିଥିଲା । ଏବେ ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଓଡ଼ିଆ ଧାରାବାହିକ ସୁଟିଂ ଫ୍ଲୋର୍‌କୁ ଫେରିଛି। ରାଜ୍ୟର ଦୁଇ ପ୍ରମୁଖ ଘରୋଇ ଚ୍ୟାନେଲ୍‌ ମଧ୍ୟରୁ ‘ଜି-ସାର୍ଥକ’ ଏବଂ ‘ତରଙ୍ଗ’ ସୁଟିଂ ଫ୍ଲୋରକୁ ଓହ୍ଲାଇଛି । ତେବେ ସରକାରୀ ନିୟମ ମୁତାବକ ଥର୍ମାଲ୍‌ ସ୍କ୍ରିନିଂ ପରେ କଳାକାରମାନଙ୍କୁ ଅଭିନୟ ପାଇଁ ଅନୁମତି ଦିଆଯାଉଛି । ସେହିପରି ଧାରାବାହିକ ସୁଟିଂରେ ସାମିଲ ହୋଇଥିବା ନିର୍ଦେଶକ, ପ୍ରଯୋଜକ, କ୍ୟାମେରାମ୍ୟାନ୍, ଟେକ୍ନିସିଆନ୍, ସ୍ପଟ୍‌ବୟ ଇତ୍ୟାଦିଙ୍କ ମଧ୍ୟ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ସେମାନଙ୍କୁ ସୁଟିଂସେଟ୍‌ରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଉ ନାହିଁ ବୋଲି ପ୍ରଯୋଜନା ଓ ଟେଲିଭିଜନ୍‌ ସଂସ୍ଥାଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି।
ଲକ୍‌ଡାଉନ୍‌ ଯୋଗୁ କିଛି ପ୍ରମୁଖ ଧାରାବାହିକଗୁଡ଼ିକରେ କରୋନା ସଙ୍କଟ ଦେଖାଦେଇଛି । ଫଳରେ କେତେକ ପ୍ରମୁଖ ଧାରାବାହିକ ଅଧାରୁ ବନ୍ଦ ହୋଇଯିବା ସମ୍ଭାବନା ଦେଖାଦେଇଛି। ଜି-ସାର୍ଥକ ପକ୍ଷରୁ କୁହାଯାଇଛି ଯେ ଇଣ୍ଡିଆନ୍‌ ବ୍ରଡକାଷ୍ଟିଂ ଫେଡେରେସନ୍‌ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି ଆଧାରରେ ଧାରାବାହିକର ସୁଟିଂ ପୁନଃ ଆରମ୍ଭ ହୋଇଛି। ପ୍ରତ୍ୟେକ କଳାକାରଙ୍କର ଥର୍ମାଲ ସ୍କ୍ରିନିଂ ପରେ ସେମାନଙ୍କୁ ସୁଟିଂ ପାଇଁ ଅନୁମତି ଦିଆଯାଉଛି। ‘ତରଙ୍ଗ’ ଚ୍ୟାନେଲ୍‌ ପକ୍ଷରୁ କୁହାଯାଇଛି ଯେ ଅଟକି ରହିଥିବା କିଛି ଧାରାବାହିକ ଜୁନ୍‌ ପହିଲାରୁ ତାରିଖରୁ ପ୍ରସାରଣ କରାଯିବ । ଏଥିପାଇଁ ସୁଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁଟିଂ ବେଳେ ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍‌କୁ ସାବଧାନତାର ସହିତ ଅନୁକରଣ କରାଯାଉଛି। ସୁଟିଂରେ ସାମିଲ୍‌ ହେଉଥିବା ସଦସ୍ୟଙ୍କ ସଂଖ୍ୟା ୨୦ରୁ ୨୫ଜଣରେ ସୀମିତ ରହିଛି । ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ କଳାକାରଙ୍କୁ ସୁଟିଂସେଟ୍‌କୁ ଆସିବାକୁ ଅନୁମତି ଦିଆଯାଇନାହିଁ। ଇନଡୋର୍‌ ସୁଟିଂ ହେଉଥିବା ବେଳେ ଷ୍ଟୁଡିଓକୁ ସାନିଟାଇଜ୍‌ କରାଯାଉଛି । ଖାଦ୍ୟପେୟ ବେଳେ ୟୁଜ୍‌ ଆଣ୍ଡ୍‌ ଥ୍ରୋ ଜିନିଷର ବ୍ୟବହାର କରାଯାଉଛି। କଳାକାରମାନେ ଆସୁଥିବା ଗାଡ଼ିକୁ ସାନିଟାଇଜ୍‌ କରାଯାଉଛି।

Comments are closed.