ଜୁଲାଇ ୨୦ରୁ ୪୧ ସ୍ବାସ୍ଥ୍ୟକେନ୍ଦ୍ରରେ ଟେଲି ମେଡିସିନ ସେବା

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ମହାମାରୀର ଭୟାବହତା ଓ କଟକଣା ଦୃଷ୍ଟିରୁ ସାଧାରଣ ରୋଗୀ ଠିକଣା ଭାବେ ଚିକିତ୍ସା ପାଇପାରୁ ନାହାନ୍ତି। ସେମାନଙ୍କୁ କିଭଳି ହାତପାଆନ୍ତାରେ ଉତ୍ତମ ଚିକିତ୍ସା ମିଳିପାରିବ ସେନେଇ ସରକାର ଗୁରୁତ୍ବ ଦେଇଛନ୍ତି। ଏହାକୁ ନେଇ ଗୁରୁବାର ଲୋକସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକର ସୂଚନା ଅନୁଯାୟୀ ଟେଲି ମେଡିସିନ ସେବାକୁ ଲୋକାଭିମୁଖୀ କରାଯିବ। ଯାହାଫଳରେ ଲୋକେ ଡାକ୍ତରମାନଙ୍କୁ ସେମାନଙ୍କ ରୋଗ ସମ୍ପର୍କରେ ସିଧାସଳଖ ଯୋଗାଯୋଗ କରି ପାରିବେ ଓ ରୋଗର ଉପଚାର ପାଇପାରିବେ।

ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଏହି ସେବା ସବୁ ଜିଲା ମୁଖ୍ୟଚିକିତ୍ସାଳୟ, ୭ଟି ସରକାରୀ ମେଡ଼ିକାଲ କଲେଜ, ଆରଜିଏଚ୍, ରାଉରକେଲା, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ ଶିଶୁଭବନ ଭଳି ୪୧ଟି ସ୍ଥାନରେ ଟେଲି ମେଡିସିନ ସେବା ଆରମ୍ଭ ହେବ। ଜିଲା ହସ୍ପିଟାଲଗୁଡ଼ିକରେ ଏହି ସେବା ଓପିଡ଼ି ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ମେଡ଼ିକାଲ କଲେଜରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ। ଏହି ଟେଲି ମେଡ଼ିସିନ୍ ସେବା ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଓକାକ୍ ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ ସେଟ୍ ସହିତ ସିମକାଡ଼୍ ଯୋଗାଇ ଦିଆଯିବ। ଏହି ଫୋନ୍ ନମ୍ବର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବୈଠକରେ ସ୍ବାସ୍ଥ୍ୟବିଭାଗ ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଡ଼ିଏମ୍ଇଟି ଡ଼ା ସି ବି କେ ମହାନ୍ତି, ସ୍ୱାସ୍ଥ୍ୟ ନିର୍ଦେଶକ ଡ଼ା.ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Comments are closed.