ତେଲଙ୍ଗାନା ପାୱାର ଷ୍ଟେସନରେ ଅଗ୍ନିକାଣ୍ଡ, ୯ଜଣଙ୍କର ମୃତ୍ୟୁ

 

ହାଇଦରାବାଦ : ତେଲଙ୍ଗାନାର ଶ୍ରୀଶୈଳମରେ ଥିବା ଟିଏସ୍ ଜେନକୋ ପାୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଫସି ରହିଥିବା ସମସ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାରୀମାନେ ଏହି କର୍ମଚାରୀଙ୍କ ମୃତଦେହ ପାଇଛନ୍ତି। ତେବେ ଉଦ୍ଧାରକାରୀ ଦଳ ୧୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ଦୁର୍ଘଟଣାର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ଗତରାତିରେ ବିଦ୍ୟୁତ କେନ୍ଦ୍ରର ୟୁନିଟ୍ ୪ରେ ନିଆଁ ଲାଗିଯାଇଥିଲା।

ତେଲଙ୍ଗାନା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଶ୍ରୀଶୈଳମ୍ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡରେ ଏହି ୯ ଜଣଙ୍କର ମୃତ୍ୟୁ ଘଟିଛି। ନାଗରକର୍ଣ୍ଣୁଲର ଜିଲ୍ଲାପାଳ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତେଲେଙ୍ଗାନା ସୀମାରେ ଥିବା ଶ୍ରୀଶୈଳମ୍ ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡରେ ଲୋକଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୃତାହତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣାରେ ମୃତମାନଙ୍କ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ। ମୃତ ଓ ଆହତଙ୍କ ପରିବାର ପ୍ରତି ସେ ସମବେଦନା ଜଣାଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣା ନେଇ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ମୁଁ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

Comments are closed.