ବିଜେପି,କଂଗ୍ରେସ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି କେସିଆର

0

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଚଳିତ ଦିନରେ ବିଜେପି, କଂଗ୍ରେସର ବିକଳ୍ପ ଭାବେ ତୃତୀୟ ମଞ୍ଚ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ କେସିଆର ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଏହା କେସିଆରଙ୍କ ଦ୍ୱିତୀୟ ସାକ୍ଷାତକାର। ରବିବାର କେସିଆର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଉଭୟଙ୍କ ସାକ୍ଷାତ ପରେ କେସିଆର ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନର ରଣନୀତି ପାଇଁ ଉଭୟ ରାଜ୍ୟ ମୁଖିଆଙ୍କ ଆଲୋଚନା ସଫଳ ହୋଇଛି ବୋଲି ସୂଚନା ଦେଇଥିଲେ। ଆଗାମୀ ରଣନୀତି ପ୍ରସ୍ତୁତ କରିବା ଓ ଚୂଡ଼ାନ୍ତ କରିବା ନିମନ୍ତେ କେସିଆର ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ଆଗାମୀ ଦିନରେ ପୁଣି ଥରେ ହେବ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ।
ଗୋଟିଏ ପଟେ କେସିଆର ଅଣ ବିଜେପି ଓ କଂଗ୍ରେସ ମେଣ୍ଟ ପାଇଁ ଗଣମାଧ୍ୟରେ ସିଧାସଳଖ ମନ୍ତବ୍ୟ ଦେଉଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଶ୍ୟ ଏଭଳି କୌଣସି ସମ୍ଭାବନା ସମ୍ପର୍କରେ ମୌନ ରହିଛନ୍ତି। କେସିଆର ଓଡ଼ିଶା ଗ୍ରସ୍ତର ମୁଖ୍ୟ ଉଦ୍ଦେଶ୍ୟ ଅଣ ବିଜେପି, କଂଗ୍ରେସ ମେଣ୍ଟ ଗଠନ ବୋଲି ଗଣମାଧ୍ୟମରେ କହୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପ୍ରସଙ୍ଗରେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। କେସିଆର ତେଲେଙ୍ଗାନାରେ ବିଜୟଲାଭ କରିବା ପରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ବୋଲି ରାଜ୍ୟରେ ପ୍ରଚାର କରାଯାଇ ଥିଲା। ଏପରିକି ଲୋକସଭା ନିର୍ବାଚନକୁ ନେଇ ଅଦ୍ୟାବଧି ବିଜେଡି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନକୁ ଆଡ଼େଇ ଯାଇଥିଲେ ମୁଖ୍ୟମନ୍ତ୍ରୀ।
ଅପରପକ୍ଷରେ ଶ୍ରୀ ରାଓ ଗଣମାଧ୍ୟମରେ ତାଙ୍କ ସ୍ପଷ୍ଟ ମତ ରଖିଛନ୍ତି। ଦେଶରେ ଅଣ ବିଜେପି ଓ ଅଣ କଂଗ୍ରେସ ବିକଳ୍ପ ପ୍ରସ୍ତୁତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏଥି ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକ ଏକଜୁଟ୍‍ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ରାଓ ମତବ୍ୟକ୍ତ କରିଥିଲେ। ଦେଶରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଥିପାଇଁ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ଯଦିଓ ଏ ସମ୍ପର୍କରେ କୌଣସି ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହୋଇ ନାହିଁ ତଥାପି ଅଧିକ ନେତାଙ୍କୁ ସାମିଲ କରିବାକୁ ଉଦ୍ୟମ କରାହେଉଛି ବୋଲି କେସିଆର ଗୁରୁତ୍ୱାରୋପ କରିଥିଲେ।
୨୦୧୪ସାଧାରଣ ନିର୍ବାଚନକୁ ତର୍ଜମା କଲେ କେସିଆରଙ୍କ ଏହି ସାକ୍ଷାତକାର ବେଶ୍‍ ଗୁରୁତ୍ୱପୂର୍ଣ୍ଣ। କେସିଆର ନବୀନ ପଟ୍ଟନାୟକ ଓ ମମତାଙ୍କୁ ଭେଟିଛନ୍ତି। ଉଭୟ ନେତା ସେମାନଙ୍କ ରାଜ୍ୟରେ ବେଶ୍‍ ଶକ୍ତିଶାଳୀ। ୩ଜଣଙ୍କ ରାଜ୍ୟର ଲୋକସଭା ଆସନକୁ ମିଲାଇଲେ ମୋଟ୍‍ ୮୦ଟି ଆସନ ରହିଛି। ଏହି ରାଜ୍ୟରେ ମୋଦୀ ପ୍ରବାହ ଆଖି ଦୃଶିଆ ଫଳ କରି ନଥିଲା। ବିଜେପିକୁ ଏହି ୩ରାଜ୍ୟରୁ କେବଳ ୪ଟି ଆସନ ମିଳିଥିଲା। ଆଗାମୀ ଦିନରେ ମୋଦୀ ଏହି ରାଜ୍ୟରେ କେତେଦୂର ନିଜ ପ୍ରଭାବ ବିସ୍ତାର କରିବ ଏହା ଉପରେ ଆଗାମୀ ରଣନୀତି ନିର୍ଭର କରୁଛି।
ପଶ୍ଚିମବଙ୍ଗରେ ମୋଟ୍‍ ୪୨ଟି ଲୋକସଭା ଆସନ ରହିଛି। ୨୦୧୪ ସାଧାରଣ ନିର୍ବାଚନରେ ୩୪ଟି ଆସନ ତୃଣମୂଳ କଂଗ୍ରେସକୁ ମିଳିଥିଲା। ଏହା ବ୍ୟତୀତ କଂଗ୍ରେସ ୨, ବିଜେପି ୨ ଓ ସିପିଏମକୁ ୪ଟି ଆସନ ମିଳିଥିଲା। ସେହିପରି ଓଡ଼ିଶାରେ ମୋଟ୍‍ ୨୧ଟି ଆସନ ରହିଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୨୦ଟି ଆସନ ଜିତିଥିବାବେଳେ ବିଜେପି କେବଳ ଗୋଟିଏ ଆସନ ଜିତିଥିଲା। ତେଲେଙ୍ଗାନାର ୧୭ଟି ଲୋକସଭା ଆସନ ମଧ୍ୟରୁ କେସିଆରଙ୍କୁ ୧୨ଟି ଆସନ ମିଳିଥିବାବେଳେ ବିଜେପି କେବଳ ଗୋଟିଏ ଆସନ ଜିତିବାରେ ସଫଳ ହୋଇଥିଲା।

Leave A Reply