ତେଜସ୍ବୀଙ୍କ ସାରଥି ସଞ୍ଜୟ

ଲାଲୁ ଛାୟାରୁ ମୁକୁଳାଇବାର ରଣନୀତି ସଫଳ

ପାଟନା: ‌ବିହାର ନିର୍ବାଚନରେ ଏନ୍‌ଡିଏ ଏହାର ସଫଳତା ଦୋହରାଇଛି; କିନ୍ତୁ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ଆରଜେଡି ସର୍ବାଧିକ ଆସନ ହାସଲ କରିବା ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ତାଙ୍କ ଦଳର ସମସ୍ତ ନେତା ଓ ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର ତେଜସ୍ବୀ ତଥା ତାଙ୍କ ପରିବାର ଉପରେ ଅତି ନିମ୍ନ ମାନର ମନ୍ତବ୍ୟ ଦେଇଥିଲେ। ତେଜସ୍ବୀଙ୍କ ବାପା ଲାଲୁପ୍ରସାଦ ଯାଦବଙ୍କ ଶାସନ ସମୟର ଜଙ୍ଗଲ ରାଜ ବିହାରକୁ ନ ଫେରୁ, ସେଥିପାଇଁ ମତଦାତାଙ୍କୁ ସେମାନେ ନିବେଦନ କରିଥିଲେ। ଏହା ସତ୍ତ୍ବେ ବିଧାନସଭାରେ ସର୍ବବୃହତ୍‌ ଦଳ ଭାବେ ଆରଜେଡିର ସଫଳତା ପାଇଁ ତେଜସ୍ବୀଙ୍କୁ ସମସ୍ତ ଶ୍ରେୟ ଦିଆଯାଉଛି। ଏହାର ସବୁଠୁ ବଡ଼ କାରଣ ହେଉଛି ଲାଲୁପ୍ରସାଦଙ୍କ ବିନା ସେ ମହାଗଠବନ୍ଧନର ଧ୍ବଜା ଧରିଥିଲେ। ନୀତୀଶ ଓ ମୋଦୀଙ୍କ ତୀବ୍ର ବିରୋଧକୁ ସେ ଦକ୍ଷତାର ସହ ସମ୍ମୁଖୀନ ହୋଇଥିଲେ। ସେ ଏକାକୀ ରାଜ୍ୟ ସାରା ବୁଲି ୨୫୦ରୁ ଅଧିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗୋଟିଏ ଦିନରେ ସେ ୧୯ଟି ଶୋଭାଯାତ୍ରା କରିଥିଲେ; ଯାହାକୁ ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ। ତେଜସ୍ବୀ ପ୍ରତି ବୁଥ୍‌ରେ ନିଜ ଦଳର ୫ ଯୁବକଙ୍କୁ ନିଯୁକ୍ତ କରିଥିଲେ; ଯେଉଁମାନେ ହେଉଛନ୍ତି ଯାଦବ ଓ ମୁସଲମାନ ସମ୍ପ୍ରଦାୟର କର୍ମୀ। ସବୁଠୁ ବଡ଼ କଥା ହେଉଛି, ମୋଦୀ ଓ ନୀତୀଶଙ୍କୁ ଜବାବ ଦେବା ପାଇଁ ତେଜସ୍ବୀ ତାଙ୍କ ପୋଷ୍ଟରରେ ବାପା ଲାଲୁ କିମ୍ବା ମାଆ ରାବଡ଼ିଙ୍କ ଛବି ଲଗାଇ ନ ଥିଲେ। ବସ୍ତୁତଃ ସେ ଲାଲୁଙ୍କ ତଥା ତାଙ୍କ ପରିବାରର ଛାୟାରୁ ମୁକ୍ତ ହୋଇ ନିର୍ବାଚନ ଲଢ଼ୁଥିବା ଦେଖାଇଥିଲେ। ଏହା ହିଁ ତାଙ୍କୁ ସଫଳତା ଦେଇଥିବା କୁହାଯାଉଛି।

ତେଜସ୍ବୀଙ୍କୁ ଲାଲୁଙ୍କ ଛାୟାରୁ ମୁକ୍ତ କରିବା ପଛରେ ତାଙ୍କର ଜଣେ ତଥାକଥିତ ବଡ଼ ଭାଇଙ୍କ ଭୂମିକା ରହିଥିବା ଏବେ ଚର୍ଚ୍ଚା ହେଉଛି। ଏହି ବଡ଼ ଭାଇ ହେଉଛନ୍ତି ସଞ୍ଜୟ ଯାଦବ। ଗତ କିଛି ବର୍ଷ ଧରି ସଞ୍ଜୟ ହିଁ ରହିଥିଲେ ତାଙ୍କର ମାର୍ଗଦର୍ଶକ। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାଠାରୁ ଦଳର ୱେବ୍‌ସାଇଟ୍‌ ଖୋଲି ଏହାକୁ ସକ୍ରିୟ କରିବା, ଡିଜିଟାଲ ତଥା ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ବଳିଷ୍ଠ କରିବା ଇତ୍ୟାଦି କ୍ଷେତ୍ରରେ ସଞ୍ଜୟଙ୍କ ବଡ଼ ଭୂମିକା ରହିଥିଲା। ୨୦୧୩ରେ ମାତ୍ର ୨୩ ବର୍ଷରେ ବିହାର ରାଜନୀତିରେ ପାଦ ଦେଇଥିବା ତେଜସ୍ବୀଙ୍କ ସହିତ ୩୬ବର୍ଷୀୟ ସଞ୍ଜୟ ଛାଇ ପରି ଲାଗି ରହିଥିବା କୁହାଯାଏ। ସେବେଠାରୁ ସଞ୍ଜୟ ତେଜସ୍ବୀଙ୍କ ପରିବାରର ସଦସ୍ୟ ପାଲଟି ଯାଇଥିଲେ। ଗତ ଜୁନରେ ସେ ରାଞ୍ଚିରେ ଲାଲୁଙ୍କୁ ଭେଟି ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ତାଙ୍କୁ ନିଶ୍ଚିନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଭରସା ଏବେ ଅନେକାଂଶରେ ଚରିତାର୍ଥ ହୋଇଛି। ସଞ୍ଜୟ ଅନ୍ୟତମ ରାଜନୈତିକ ରଣକୌଶଳ ବିଶାରଦ ଭାବେ ଉଭା ହୋଇଛନ୍ତି।

ସଞ୍ଜୟ ହେଉଛନ୍ତି ହରିୟାଣାବାସୀ। ମହେନ୍ଦ୍ରଗଡ଼ ଅନ୍ତର୍ଗତ ଗାଁରେ ସେ ବଢ଼ିଛନ୍ତି। ତାଙ୍କ ବାପା ଜଣେ ସେନା କର୍ମଚାରୀ। ୨୦୧୩ରେ ସେ ଗୁରୁଗ୍ରାମରୁ ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ଏହି ସମୟରେ ତେଜସ୍ବୀଙ୍କ ସହିତ ସାକ୍ଷାତ ହୋଇଥିଲା। ସେ ଆରଜେଡିକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରସ୍ତୁତ କରିଥିଲେ ଏବଂ ଆଧୁନିକ ନିର୍ବାଚନ ରଣକୌଶଳ ପ୍ରୟୋଗ କରିଥିଲେ। ତାଙ୍କ ପରାମର୍ଶରେ ଆରଜେଡି ଦେଶର ପ୍ରଥମ ଦଳ ଭାବେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ଦଳୀୟ ପଦପଦବୀ ସଂରକ୍ଷିତ ରଖିଥିଲା। ତେଜସ୍ବୀଙ୍କୁ ନମ୍ର ହେବା ସହ ବିଭିନ୍ନ ପ୍ରସଙ୍ଗରେ କିପରି ଆଚରଣ କରିବାକୁ ହେବ ତାହା ସେ ବତାଉଥିଲେ। ଲାଲୁଙ୍କ ଶୈଳୀରୁ ବାହାରି ତେଜସ୍ବୀ ଭିନ୍ନ ଭାବେ ନିଜକୁ ଉପସ୍ଥାପିତ କରିବା ତାଙ୍କଠାରୁ ଶିଖିଥିଲେ। ନିର୍ବାଚନରେ ଆରଜେଡି ବେକାରୀ ଓ ନିଯୁକ୍ତିକୁ ପ୍ରସଙ୍ଗ କରିବା ତାଙ୍କର କୌଶଳ ଥିଲା।

Comments are closed.