ଭିନ୍ନ ଅବତାରରେ ଫେରିଲେ ତେଜପ୍ରତାପ

0

ପାଟନା : ଦୀର୍ଘ ତୀର୍ଥଯାତ୍ରାରୁ ଫେରିବା ପରେ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜସ୍ବୀ ଯାଦବ ଶକ୍ତି ସଞ୍ଚୟ ପୂର୍ବକ ସାନ ଭାଇ ତେଜସ୍ବୀଙ୍କ ବିରୋଧରେ ପରୋକ୍ଷ ରଣହୁଙ୍କାର ଦେଇଛନ୍ତି। ପୂର୍ବରୁ ସେ ନିଜକୁ କୃଷ୍ଣ ଓ ଭାଇ ତେଜସ୍ବୀଙ୍କୁ ସେ ମହାଭାରତର ଅର୍ଜୁନ ଭାବେ ବର୍ଣ୍ଣନା କରି ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ହସ୍ତାନ୍ତର ପୂର୍ବକ ଦ୍ବାରକା ଚାଲିଯିବେ ବୋଲି କହିଥିଲେ। ନିଜ ନିର୍ବାଚନ ମଣ୍ଡଳୀ ମହୁଆକୁ ସେ ହସ୍ତିନାପୁର ଭାବେ ବର୍ଣ୍ଣନା କରିଥିଲେ; କିନ୍ତୁ ଏବେ ଭିନ୍ନ ଭୂମିକା ନିଭାଇଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛନ୍ତି; ଯାହା ଚର୍ଚ୍ଚାର ବିଷୟ ହୋଇଛି। ତୀର୍ଥଯାତ୍ରାରୁ ସେ କୃଷ୍ଣଙ୍କ ଆଶୀର୍ବାଦ ଲାଭ କରି କୁରୁକ୍ଷେତ୍ର ବିହାରକୁ ଫେରିଛନ୍ତି ଓ ସୁଦର୍ଶନ ଚକ୍ରରେ ରାଜନୈତିକ ପାପୀମାନଙ୍କୁ ନିଃଶେଷ କରିବେ ବୋଲି କହିଛନ୍ତି। ସମ୍ପ୍ରତି ସେ ଆରଜେଡି କାର୍ଯ୍ୟାଳୟକୁ ଯାଇ ସେଠାରେ ଯୁବ ସଦସ୍ୟମାନଙ୍କୁ ଭେଟିଛନ୍ତି ଏବଂ ପ୍ରତ୍ୟହ ପୂର୍ବାହ୍ଣରେ ଜନ ଦରବାର ଆୟୋଜନ ହେବ ବୋଲି କହିଛନ୍ତି।
ବର୍ଷକ ପୂର୍ବେ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ବିକଳ୍ପ ଭାବେ ପ୍ରତିଷ୍ଠା କରିଥିବା ଧର୍ମ ନିରପେକ୍ଷ ସେବକ ସଙ୍ଘ (ଡିଏସ୍‌ଏସ୍‌) ମାଧ୍ୟମରେ ସାରା ରାଜ୍ୟ ଭ୍ରମଣ କରିବେ। ଲୋକସଭା ନିର୍ବାଚନ ସମୟରେ ବିହାର କୁରୁକ୍ଷେତ୍ରରେ ପରିଣତ ହେବ ଏବଂ ଭୋଟ୍‌ ରୂପକ ସୁଦର୍ଶନ ଚକ୍ର ଦଳର ପାପୀମାନଙ୍କୁ ଧ୍ବଂସ କରିବ ବୋଲି ତେଜ ପ୍ରତାପ ଘୋଷଣା କରିଛନ୍ତି। ଏହା ମାଧ୍ୟମରେ ସେ ପୁନର୍ବାର ବିହାର ରାଜନୀତିକୁ ପ୍ରତ୍ୟକ୍ଷ ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ଦେଇଛନ୍ତି। ଡିଏସ୍‌ଏସ୍‌ ପ୍ରତିଷ୍ଠାବେଳେ ସେ ଏହାକୁ କେବଳ ‘ଟ୍ରେଲର’; ଆଗକୁ ପୁରା ସିନେମା ରହିଛି ବୋଲି ସେ କହିଥିଲେ। ସେତେବେଳେ ସେ ନିଜକୁ କୃଷ୍ଣ ଅବତାରରେ ସଜାଇଥିଲେ। ଏବେ ସେ ତେଜସ୍ବୀଙ୍କ ବିରୋଧରେ ପଦଟିଏ କହି ନ ଥିଲେ ମଧ୍ୟ ଡିଏସ୍‌ଏସ୍‌ ମାଧ୍ୟମରେ ରାଜ୍ୟ ରାଜନୀତିରେ ନିଜର ପ୍ରଭାବ ବୃଦ୍ଧି ପାଇଁ ଯୋଜନା କରିଥିବା ଇଙ୍ଗିତ ଦେଇଛନ୍ତି। ଆରଜେଡିର ପ୍ରସାର ପାଇଁ ବାପା ଲାଲୁ ତାଙ୍କୁ ଆଶୀର୍ବାଦ ଦେଇଥିବା ସେ ଘୋଷଣା କରିଛନ୍ତି।
ଲାଲୁ ପ୍ରସାଦ ନିଜର ଉତ୍ତରାଧିକାରୀ ଭାବେ ତେଜ ପ୍ରତାପଙ୍କ ଅପେକ୍ଷା ସାନପୁଅ ତେଜସ୍ବୀଙ୍କୁ ନିର୍ଣ୍ଣୟ କରିଛନ୍ତି। ତେଜସ୍ବୀ ମଧ୍ୟ ବଡ଼ ଭାଇଙ୍କ ତୁଳନାରେ ଅଧିକ ଦକ୍ଷତା ରଖିଛନ୍ତି; କିନ୍ତୁ ଦଳ ଓ ରାଜନୈତିକ କ୍ଷେତ୍ରରେ ସାନ ଭାଇଙ୍କ ଗୁରୁତ୍ବ ବୃଦ୍ଧିକୁ ସେ ସହ୍ୟ କରିପାରୁ ନ ଥିବା ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି। ହୁଏତ ଏହାକୁ ପରଦା ପଛରେ ରଖି ସେ ଆଧ୍ୟାତ୍ମିକ ଯାତ୍ରାରେ ମନୋନିବେଶ କରିଛନ୍ତି। ବିବାହର ମାତ୍ର ୬ମାସରେ ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରି ପ୍ରାୟ ତିନି ମାସ ହେଲା ତୀର୍ଥଯାତ୍ରାରେ ବୁଲୁଛନ୍ତି। ଦୁଇ ମାସ ପୂର୍ବେ ରାଞ୍ଚିସ୍ଥିତ ଡାକ୍ତରଖାନାରେ ବାପାଙ୍କୁ ଭେଟିବାବେଳେ ସେ ରୁଦ୍ରାକ୍ଷ ପିନ୍ଧି ଥିବା ଲକ୍ଷ୍ୟକରାଯାଇଥିଲା। ସେବେଠାରୁ ସେ ନିଖୋଜ ଥିଲେ। ପରେ ତାଙ୍କୁ ବିନ୍ଧ୍ୟାଞ୍ଚଳ, ବାରାଣସୀ, ବୃନ୍ଦାବନ, ହରିଦ୍ବାରଠାରେ ଠାବକରାଯାଇଥିଲା। ଏବେ ତାଙ୍କ ବେକରେ ମୋଟା ତୁଳସୀ ମାଳ ଓ କପାଳରେ ତିଳକ ଶୋଭା ପାଉଛି।

Leave A Reply