ତହସିଲଦାରଙ୍କ ଦ୍ଵାରା ୨ଟି ପ୍ରୋକଲିନ ଏବଂ ୨ଟି ହାଇୱା ଜବତ 

ବେଗୁନିଆ : ବେଗୁନିଆ ତହସିଲ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ଥିବା ସରକାରୀ ଜମିରୁ ମାଫିଆମାନେ ମାଙ୍କଡ଼ା ପଥର ସହିତ ମୋରମ ଚୋରା ଚାଲାଣ କରୁଥିବା ଜଣାଯାଇଛି। ଆଜି ସକାଳେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଗୋବିନ୍ଦପୁର ଏବଂ କୁଂଜୁରୀ ପଞ୍ଚାୟତ ଅଧିନସ୍ଥ ଗୋପାଳପୁର-ଛଣିଆର ଏକ ସରକାରୀ ଜମିରୁ ମୋରମ ଖୋଳା ହେଉଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨ ଟି ପ୍ରୋକଲିନ ଦ୍ୱାରା ମୋରମ ଖୋଳା ଯାଉଥିବାବେଳେ ୨ଟି ହାଇୱା ଯୋଗେ ମୋରମ ଚାଲାଣ ହେଉଥିବାର ଦେଖିବାକୁ ପାଇଥିଲେ। ବେଆଇନ ଭାବେ ମୋରମ ଚାଲାଣ ହେଉଥିବା ଅଭିଯୋଗରେ ତହସିଲଦାର ଶ୍ରୀ ମଣ୍ଡଳ ପ୍ରୋକଲିନ ଏବଂ ହାଇୱାଗୁଡିକ ଜବତ କରିଥିଲେ। ଆଜି ସକାଳ ୯.୩୦ରେ ତହସିଲଦାର ଖବର ପାଇ ବେଗୁନିଆ ଆରଆଇ ବିଜୟ କୁମାର ମାର୍ଥା, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅମିନ ବୁଟୁ ସାହୁଙ୍କୁ ମୋରମ ଖୋଳାଯାଉଥିବା ସ୍ଥାନକୁ ପଠାଇଥିଲେ। ସେମାନେ ଘଟଣାସ୍ଥଳକୁ ଯାଇ ମୋରମ ଚାଲାଣ ହେଉଥିବାର ଦେଖି ତହସିଲଦାରଙ୍କୁ ଖବର ଦେବାରେ ସେ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ିଗୁଡିକ ଜବତ କରିଥିଲେ। ପୋଲିସ ସହାୟତା ନଥିବା ଯୋଗୁଁ ପ୍ରୋକଲିନ ଦୁଇଟି ଜବତ କରି ଘଟଣାସ୍ଥଳରୁ ଆଣି ପାରି ନଥିବା ବେଳେ ହାଇୱା ଦୁଇଟିକୁ ଜବତ କରି ଆଣି କାର୍ୟ୍ୟାଳୟରେ ରଖିଛନ୍ତି। ସମ୍ପୃକ୍ତ ସ୍ଥାନରୁ କେତେ ମୋରମ ଖୋଲାଯାଇଛି ମାପ କରାଯିବା ପରେ ପ୍ରୋକଲିନ ମାଲିକଙ୍କ ନାମରେ ମୋକଦମା ଦାଏର କରିବା ପାଇଁ ତହସିଲଦାର କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ଜଣାପଡିଛି।

Comments are closed.