କଣ୍ଢେଇର ମୂଲ୍ୟ ୬ଲକ୍ଷ ଟଙ୍କା !

ପୂର୍ବେ ପିଲାମାନେ ମାଟି କଣ୍ଢେଇ ପରେ ପ୍ଲାଷ୍ଟିକ୍, ଉଲ୍‌ କଣ୍ଢେଇରେ ଖେଳୁଥିଲେ। ଏବେ କିନ୍ତୁ ସିଲିକନ୍ କଣ୍ଢେଇରେ ଖେଳିବାର ଯୁଗ ଆସିଯାଇଛି। ସେଇ କଣ୍ଢେଇର ଦର ମଧ୍ୟ କିଛି କମ୍ ନୁହେଁ, ଅନ୍-ଲାଇନ୍‌ରେ ଏହା ଉପଲବ୍ଧ ହେଉଥିବାବେଳେ ଏଇ ବିଶେଷ ଡିଜାଇନର କଣ୍ଢେଇ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଆରମ୍ଭ। କାନାଡା ବାସିନ୍ଦା ହେଲେ ୪୯ ବର୍ଷୀୟା ସୁଜେନ୍ ଗିବ୍ସ। ୨୦୧୦ରୁ ସେ କଣ୍ଢେଇ ବ୍ୟବସାୟ ଆରମ୍ଭ କରିଥିବାବେଳେ ତାଙ୍କ ଦାମୀ କଣ୍ଢେଇର ଆଦର ସବୁଠି। କାରଣ ଏଇ କଣ୍ଢେଇଗୁଡ଼ିକ ଅବିକଳ ନବଜାତ ଶିଶୁଙ୍କ ପରି ଦେଖାଯାନ୍ତି। ଯେ କେହି ଏହି ସିଲିକନ୍ କଣ୍ଢେଇକୁ ହାତରେ ଧରିଲେ ଭାବିବ ବୋଧହୁଏ ନବଜାତ ଶିଶୁ ଶୋଇଛି। ପିଲାଦିନରୁ କଣ୍ଢେଇ ଖେଳିବାକୁ ପସନ୍ଦ କରୁଥିବା ସୁଜେନ୍ କହିଛନ୍ତି, ଏକ ନୂଆ ପ୍ରକାରର କଣ୍ଢେଇ ତିଆରି କରିବାର ସେ ଲକ୍ଷ୍ୟ ରଖିଲେ ଓ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ଗୋଟିଏ ମାସରେ ସେ ଅତିବେଶୀରେ ଦୁଇଟି କଣ୍ଢେଇ ତିଆରି କରିପାରନ୍ତି। ଏସବୁର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଅଧିକ। ଇଉରୋପ ଓ ଆମେରିକାର ନାମୀ ପ୍ରସୂତି ଚିକିତ୍ସାଳୟ ସହ ତାଙ୍କର ବ୍ୟବସାୟ ରୀତିମତ ଚାଲିଛି। ଯେଉଁ ମହିଳାମାନଙ୍କର ପ୍ରସବ ପରେପରେ ଶିଶୁ ପ୍ରାଣ ହରାଇଥାନ୍ତି, ସେମାନଙ୍କ ମାନସିକ ସ୍ଥିତି ସୁଧାରିବା ନିମନ୍ତେ ଏଇ ସିଲିକନ୍ କଣ୍ଢେଇର ଆବଶ୍ୟକତା ପଡ଼େ। ଡାକ୍ତରମାନେ ମଧ୍ୟ କହିଛନ୍ତି, ସୁଜେନ୍‌ଙ୍କ ସିଲିକନ୍ କଣ୍ଢେଇ ଶିଶୁ ଏହି ବର୍ଗର ମହିଳାଙ୍କ ପାଇଁ ଥେରାପି ଭଳି କାମ କରିଥାଏ। କେତୋଟି ହଲିଉଡ ଚଳଚ୍ଚିତ୍ରର ସୁଟିଂରେ ମଧ୍ୟ ସୁଜେନ୍‌ଙ୍କ କଣ୍ଢେଇ ନବଜାତ ଶିଶୁର ସ୍ଥାନ ନେଇଛନ୍ତି। ଆଗାମୀ ଦିନରେ ଅନ୍ୟ ଡିଜାଇନର ପୋଷାଜନ୍ତୁ ତିଆରି କରିବାର ଯୋଜନାରେ ସୁଜେନ୍ ଅଛନ୍ତି।

Comments are closed.