ଦୁଇ ଦିନରେ ଖେଳ ଶେଷ, ୩ୟ ଟେଷ୍ଟ ଜିତିଲା ଭାରତ

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି। ଆଉ ଗୋଟିଏ ମ୍ୟାଚ୍‌ ବାକି ଥିବାବେଳେ ସିରିଜ ହାତେଇବା ଲାଗି ଭାରତକୁ ଅତି କମ୍‌ରେ ତାହାକୁ ଡ୍ର ରଖିବାକୁ ପଡ଼ିବ। ଅନ୍ୟପଟେ ସିରିଜକୁ ଡ୍ର କରିବା ଲାଗି ଭ୍ରମଣକାରୀ ଦଳକୁ ଶେଷ ମ୍ୟାଚ ଜିତିବାକୁ ହେବ।

ବିଶ୍ଵର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ମାନ୍ୟତା ପାଇଥିବା ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମ ବୁଧବାର ଉଦ୍‌ଘାଟିତ ହେବା ସହିତ ଏଠାରେ ପ୍ରଥମ ଦିବାରାତ୍ର ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା। ସ୍ପିନରମାନଙ୍କୁ ସୁହାଉଥିବା ଏହି ପିଚ୍‌ରେ ଟେଷ୍ଟ ମ୍ୟାଚ ୨ଦିନ ବି ସମ୍ପୂର୍ଣ୍ଣ ହୋଇ ନ ଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଯିବା ପରେ ଭାରତ ୧୪୫ ରନ୍‌ରେ ସମସ୍ତ ଉଇକେଟ୍‌ ହରାଇଥିଲା। ୨ୟ ଇନିଂସରେ ମଧ୍ୟ ଇଂଲଣ୍ଡ ଭଲ ପ୍ରଦର୍ଶନ କରିପାରି ନ ଥିଲା। ମାତ୍ର ୮୧ ରନ୍‌ରେ ଭ୍ରମଣକାରୀ ଦଳ ଅଲଆଉଟ୍‌ ହୋଇଯାଇଥିଲା।

ପ୍ରଥମ ଇନିଂସରେ ୩୩ ରନରେ ପଛୁଆ ଥିବା ଇଂଲଣ୍ଡ ଘରୋଇ ଦଳକୁ ମୋଟ ୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରି ଭାରତ ୭.୪ ଓଭର ଖେଳି ବିନା କୌଣସି ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

ଏହି  ସମ୍ପୂର୍ଣ୍ଣ ମ୍ୟାଚରେ ସ୍ପିନରମାନଙ୍କର ଦବ୍‌ଦବା ଦେଖିବାକୁ ମିଳିଥିଲା। ଦୁଇଟି ଯାକ ଇନିଂସରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ୧୧ଟି ଏବଂ ରବିଚନ୍ଦ୍ରନ ଅଶ୍ଵିନ ୭ଟି ଉଇକେଟ୍‌ ହାସଲ କରିଥିଲେ। ସେହିପରି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୫ଟି ଏବଂ ଜ୍ୟାକ୍‌ ଲିଚ୍‌ ୪ଟି ଉଇକେଟ୍‌ ନେଇଥିଲେ। ପେସ୍‌ ବୋଲରମାନଙ୍କୁ ବେଶି  ସଫଳତା ମିଳି ନ ଥିଲା।

Comments are closed.