ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ : ଅଶ୍ବିନ ଫେରିଲେ,ଧୋନି ଉତ୍ସାହଦାତା

ଧାୱନ ଓ ଚହଲ ବାଦ୍‌

ନୂଆଦିଲ୍ଲୀ : ଓମାନ୍ ଓ ୟୁଏଇରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ବୁଧବାର ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ୪ ବର୍ଷ ହେଲା ଭାରତ ପାଇଁ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିନଥିବା ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ୧୫ ଜଣିଆ ଭାରତୀୟ ଦଳକୁ ଫେରିଛନ୍ତି। ୨୦୦୭ରେ ଭାରତର ନେତୃତ୍ବ ନେଇ ଦେଶକୁ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚମ୍ପିଆନ୍ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳର ଉତ୍ସାହଦାତା ବା ମେଣ୍ଟର ଭାବେ ରଖାଯାଇଛି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଧୋନି ମିଶିକରି କାମକରିବେ। ଧୋନି ଦଳକୁ ସମର୍ଥନ ଏବଂ ଦିଗ୍‌ଦର୍ଶନ ଦେବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି।
ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଅକ୍ଟୋବର ୧୭ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ସୁପର-୧୨ ପର୍ଯ୍ୟାୟ ଅକ୍ଟୋବର ୨୩ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବ। ସେମିଫାଇନାଲ ୨ଟି ନଭେମ୍ବର ୧୦ ଓ ୧୧ରେ ଏବଂ ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ଏହି ବିଶ୍ବକପ୍‌ରେ ଗ୍ରୁପ୍ ‘ବି’ରେ ଥିବା ଭାରତ ଅକ୍ଟୋବର ୨୪ରେ ସୁପର-୧୨ ପର୍ଯ୍ୟାୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଗ୍ରୁପ୍‌ ‘ବି’ରେ ଥିବା ଅନ୍ୟ ୪ଟି ଦଳ ହେଲେ ଆଫ୍‌ଗାନିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଯୋଗ୍ୟତା ପର୍ଯ୍ୟାୟର ୨ଟି ଦଳ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲ ଖେଳିବେ। ବିରାଟ କୋହଲି ଦଳର ନେତୃତ୍ବ ନେବେ। ଏହି ବିଶ୍ବକପ୍‌ ୟୁଏଇରେ ଖେଳାଯିବାର ଥିବାରୁ ଭାରତୀୟ ଦଳରେ ୫ ଜଣ ସ୍ପିନରଙ୍କୁ ରଖାଯାଇଛି। ସେମାନେ ହେଲେ ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ବିନ, ରାହୁଲ ଚହର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ। ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଦଳରୁ ବାଦ୍‌ ପଡ଼ିଛନ୍ତି। ଦଳରେ ମାତ୍ର ୩ ଜଣ ପେସ୍ ବୋଲର ଅଛନ୍ତି। ସେମାନେ ହେଲେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଭୁବନେଶ୍ବର କୁମାର। ୨ ୱିକେଟ ରକ୍ଷକ ହେଲେ ଋଷଭ ପନ୍ତ୍ ଓ ଈଶାନ୍ କିଷନ୍। ସଞ୍ଜୁ ସାମ୍‌ସନଙ୍କୁ ଦଳରେ ସ୍ଥାନ ମିଳିନାହିଁ। ବ୍ୟାଟ୍‌ସମ୍ୟାନ୍ ଭାବେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି। ଶ୍ରୀଲଙ୍କାରେ ଭାରତୀୟ ଟି୨୦ ଦଳର ନେତୃତ୍ବ ନେଇଥିବା ଶିଖର ଧାୱନଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଶ୍ରେୟାସ ଆୟର, ସାର୍ଦ୍ଦୁଳ ଠାକୁର ଓ ଦୀପକ ଚହରଙ୍କୁ ଅତିରିକ୍ତ ଖେଳାଳି ଭାବେ ରଖାଯାଇଛି। ଆହତ ଥିବାରୁ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ।

Comments are closed.