ଟି-୨୦ ସିରିଜ୍ : ଚୂଡ଼ାନ୍ତ ଏକାଦଶକୁ ନେଇ ଚିନ୍ତାରେ ଭାରତ

ଅହମ୍ମଦାବାଦ : ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ। ଏହି ସିରିଜ୍‌​ ପୂର୍ବରୁ ପ୍ରତିପକ୍ଷର ଶକ୍ତି ଆକଳନ କରିବା ଅପେକ୍ଷା ନିଜର ଏକାଦଶ ଚୂଡ଼ାନ୍ତ କରିବା ନେଇ ଭାରତୀୟ ଦଳ ମାନସ ମନ୍ଥନ ଚଳାଇଛି। କାରଣ ଦଳରେ ଏକାଧିକ ସ୍ଥାନ ପାଇଁ ଏକାଧିକ ବିକଳ୍ପ ଖେଳାଳି ରହିଛନ୍ତି। ଦଳରେ ୧୯ ଜଣ ଖେଳାଳି ଥିବା ବେଳେ ପ୍ରତି ସ୍ଥାନ ପାଇଁ ୨ ଜଣ ଦାବିଦାର ଅଛନ୍ତି। ତେଣୁ ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ବାଛିବା ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବଡ଼ ଆହ୍ବାନ ହେବ।
ପୁଣି ଭାରତୀୟ ଦଳ ଏପରି ବି କରିପାରେ ଯେ ପ୍ରଥମ ପସନ୍ଦର ଏକାଦଶକୁ ନେଇ ସିରିଜ୍ ବିଜୟ ନିଶ୍ଚିତ କରିବା ପ​‌େ​‌ର ଏକାଦଶରେ ପରୀକ୍ଷା ନିରୀକ୍ଷା କରିବା। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଦଳ ହେଉଛି ବିଶ୍ବର ଏପରି ଦଳ; ଯାହାର ପ୍ରଶଂସକଙ୍କ ସଂଖ୍ୟା ବିଶ୍ବରେ ସର୍ବାଧିକ। ତେଣୁ ପ୍ରଶଂସକଙ୍କ ପାଇଁ ବିଜୟ ନିଶ୍ଚିତ କରିବା ଦଳର ପ୍ରଥମ ଦାୟିତ୍ବ। ଦଳ ସମସ୍ତ ମ୍ୟାଚ୍ ଗୋଟିଏ ଷ୍ଟାଡିୟମ୍‌ରେ ଖେଳିବାର ଥିବାରୁ ମ୍ୟାଚ୍‌ ପରେ ମ୍ୟାଚ୍ ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ। ଟେଷ୍ଟ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ ବଳରେ ଟ୍ବେଣ୍ଟି୨୦ ଦଳ​‌େ​‌ର ଋଷଭ ପନ୍ତ୍ ସ୍ଥାନପାଇବା ଦଳର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। କିଛିମାସ ତଳେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତର ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଥିବା କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ପନ୍ତ୍ ୱିକେଟ ରକ୍ଷଣ କରିବା ନିଶ୍ଚିତ। ଧଳାବଲ୍‌ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ବିକଳ୍ପ ଓପ୍‌ନର ଭାରତୀୟ ଦଳରେ ନାହାନ୍ତି। ରୋହିତ ଓପନ୍‌ କରିବା ନିଶ୍ଚିତ ହୋଇଥିବା ବେଳେ ୨ୟ ଓପ୍‌ନର ସ୍ଥାନ ପାଇଁ ରାହୁଲ ଓ ଶିଖର ଧାୱନଙ୍କ ମଧ୍ୟରେ ମୁକାବିଲା ହେବା ନିଶ୍ଚିତ। ରାହୁଲ ଭାରତ ପାଇଁ ଓ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ବେଳେ ଓପ୍‌ନିଂ ସ୍ଥାନ ପାଇଁ ବଡ଼ ଦାବିଦାର। ବାମହାତି ଧାୱନ୍ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି। ଅଧିନାୟକ ବିରାଟ କୋହଲି ୩ନଂ ସ୍ଥାନରେ ବ୍ୟାଟିଂ କରିବାର ଥିବା ବେଳେ ଋଷଭ ପନ୍ତ୍ ୫ ଓ ହାର୍ଦିକ ପାଣ୍ଡ୍ୟା ୬ନଂରେ ଖେଳିବେ। ତେଣୁ ୪ନଂରେ ଖେଳିବେ କିଏ? ରାହୁଲଙ୍କ ସହ ଏହି ସ୍ଥାନ ପାଇଁ ଶ୍ରେୟାସ ଆୟର ଓ ସୂର୍ଯ୍ୟକୁମାର ଯାଦବ ଦାବିଦାର ଅଛନ୍ତି। ଆୟର ଗତ ବର୍ଷେ/ଦୁଇବର୍ଷ ହେଲା ଏହି ସ୍ଥାନରେ ଖେଳୁଥିବା ବେଳେ ଆଇପିଏଲ୍‌ ଓ ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରି ମୁମ୍ବଇର ସୂର୍ଯ୍ୟକୁମାର ଯାଦବ ଦଳରେ ସ୍ଥାନ ପାଇଛନ୍ତି। ଯଦି ପୁରୁଣା ଏକାଦଶ ନେଇ ଭାରତ ଖେଳିବାକୁ ଚାହିଁବ; ତେବେ ଆୟର ଖେଳିବେ ଏବଂ ସୂର୍ଯ୍ୟକୁମାର ଅପେକ୍ଷା କରିବେ।​‌ ତଥାପି ତାଙ୍କ ବ୍ୟାଟିଂ ଫର୍ମ ଏବଂ ବଡ଼ ସଟ୍‌ ଖେଳିବାର ଦକ୍ଷତା ଯୋଗୁଁ ରାହୁଲଙ୍କୁ ବାଦ୍‌ଦେବା ସହଜ ହେବନାହିଁ। ବହୁତଦିନ ପରେ ଭୁବନେଶ୍ବର କୁମାର ଟ୍ବେଣ୍ଟି୨୦ ଦଳକୁ ଫେରିଛନ୍ତି। ତାଙ୍କ ସହ ସାର୍ଦ୍ଦୁଳ ଠାକୁର ଓ ଦୀପକ ଚହରଙ୍କ ମଧ୍ୟରୁ ୨ ଜଣ ଖେଳିବେ। ଅଭିଜ୍ଞତା ଦୃଷ୍ଟିରୁ ଭୁବନେଶ୍ବର ବହୁତ ଆଗରେ ଅଛନ୍ତି। କାରଣ ଶେଷ ଓଭରରେ ଅନ୍ୟ ଦୁହିଁଙ୍କଠାରୁ ଭୁବନେଶ୍ବର ଭଲ ବୋଲର। ୩ୟ ପେସ୍ ବୋଲର ସ୍ଥାନ ପାଇଁ ଟି. ନଟରାଜନ୍ ଓ ନବଦୀପ ସୈନିଙ୍କ ମଧ୍ୟରେ ମୁକାବିଲା ହେବ। ୟର୍କର ପକାଇବା ଦକ୍ଷତା ଯୋଗୁଁ ବାମହାତି ନଟରାଜନ୍‌ଙ୍କ ଖେଳିବା ସମ୍ଭାବନା ଅଧିକ। ସ୍ପିନର ଭାବେ ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦର ଖେଳିବା ନିଶ୍ଚିତ। ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଇଶାନ୍ କିଷନ୍ ଓ ଅଲ୍‌ରାଉଣ୍ଡର ରାହୁଲ ତିୱତିଆଙ୍କୁ ଆରମ୍ଭରେ ନ ହେଲେ ମଧ୍ୟ ପରେ ସୁଯୋଗ ମିଳିପାରେ। ତେଣୁ ଚୂଡ଼ାନ୍ତ ଏକାଦଶ ମନୋନୟନ ନେଇ ଭାରତ ଚିନ୍ତାରେ ରହିଛି।

Comments are closed.