MEllora 950×100

ରାସ୍ତାକଡ଼ରେ ଭବିଷ୍ୟତ ନିର୍ମାଣ

ନୂଆପଡା ଜିଲା ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର

ନୂଆପଡା :  ନୂଆପଡା ଜିଲା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲା ଡେଲ୍ଟା Ñକିଂରେ ନଂ ୧ରେ ରହିଛି। ଶିକ୍ଷା କ୍ଷେତ୍ରରେ ଜିଲାର Ñକିଂ ସମଗ୍ର ଭାରତର ଆକାଂକ୍ଷୀ ଜିଲା ଭିତରେ ୬ନଂରେ ରହିଛି। ବର୍ତ୍ତମାନ ସମୟରେ ଖୋଦ ଯୋଜନା ସଂଯୋଜନା ମନ୍ତ୍ରୀ ଜିଲାର ଅଛନ୍ତି। କିନ୍ତୁ ବାସ୍ତବରେ ଜିଲାର ପ୍ରାଥମିକ ଶିକ୍ଷାର ଚିତ୍ର ଅତ୍ୟନ୍ତ ଦୟନୀୟ। ଶ୍ରେଣୀ ଗୃହ ଅଭାବରୁ ରାସ୍ତାକଡ଼ ଗଛମୂଳରେ ଦେଶର ଭବିଷ୍ୟତମାନଙ୍କୁ ଗଢ଼ା ଯାଉଥିବା ଭଳି ସ୍ଥିତି ଏହି ଜିଲାରେ ଦେଖିବାକୁ ମିଳିଛି।
ନୂଆପଡା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତ ଟାମକିଦାଦର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହାର ଏକ ଉଦାହରଣ। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଥିବା ଏହି ବିଦ୍ୟାଳୟରେ ମୋଟ ୧୩୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୬ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି। ତେବେ ବିଦ୍ୟାଳୟରେ ରହିଥିବା ୬ଟି ଶ୍ରେଣୀଗୃହ ବ୍ୟବହାର ଉପଯେ​‌ାଗୀ ହୋଇ ରହିନାହିଁ। ବିପଦସଙ୍କୁଳ ଗୃହରେ ପାଠ ପଢ଼ାଇବା ଶିକ୍ଷକମାନେ ଉଚିତ ମନେ କରୁନାହାନ୍ତି। କିଛି ଶ୍ରେଣୀଗୃହର ଛାତ ଫାଟି ଆଁ କଲାଣି ତ କିଛି ଶ୍ରେଣୀଗୃହର କାନ୍ଥଫାଟି ଯାଇଛି। ଏପରିକି କିଛି ଦିନ ତଳେ ଜଣେ ଶିକ୍ଷକଙ୍କ ଉପରେ ଛାତର ସିମେଣ୍ଟ ଖଣ୍ଡପଡି ସେ ଗୁରୁତର ମଧ୍ୟ ହୋଇଛନ୍ତି। ଏପରି ସ୍ଥଳରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଶ୍ରେଣୀଗୃହ ମଧ୍ୟରେ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ବସାଇବାର ସାହାସ ଜୁଟାଇ ପାରୁନାହାନ୍ତି। ଏହା ସତ୍ତ୍ବେ ଶିକ୍ଷାଦାନ କିନ୍ତୁ ଜାରି ରହିଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ବାରଣ୍ଡା, ବିଦ୍ୟାଳୟ ପରିସରସ୍ଥ ଗଛମୂଳ ଏବଂ ବିଦ୍ୟାଳୟ ସମ୍ମୁଖ ରାସ୍ତା କଡ଼ ବରଗଛ ମୂଳରେ ପାଠ ପଢାଉଥିବା ଦେଖିବାକୁ ମିଳିଛି। ବାରଣ୍ଡାରେ ନିମ୍ନ ପ୍ରାଥମିକ ପିଲା ବସି ପାଠ ପଢୁଥିଲାବେଳେ ପରିସର ମଧ୍ୟରେ ପଞ୍ଚମ ଷଷ୍ଠ ଓ ରାସ୍ତାକଡରେ ସପ୍ତମ ଶ୍ରେଣୀର ପିଲାବସି ପାଠ ପଢୁଛନ୍ତି। ଏପରିକି ଯେଉଁ ରାସ୍ତା କଡରେ ବସି ପିଲାଏ ପାଠ ପଢୁଛନ୍ତି, ସେହି ରାସ୍ତା ନୂଆପଡା ଜିଲା ସୀମାରୁ ପଡୋଶୀ ବରଗଡ ଜିଲା ଝାରବନ୍ଧ ବ୍ଲକ ଡଭା ପଞ୍ଚାୟତକୁ ସଂଯୋଗ କରୁଛି। ତେଣୁ ପ୍ରତ୍ୟହ ଅନେକ ବାଇକ, ଟ୍ରାକ୍ଟର, ଟ୍ରକ ଏହି ରାସ୍ତା ଦେଇ ଯାତାୟାତ କରୁଛି। ପିଲା ବସିଥିବା ସ୍ଥଳରେ କେବଳ ଜାଣିବାପାଇଁ ଫଳକ ଥୋଇ ବିପଦ ସଂକୁଳ ଅବସ୍ଥାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢାଉଛନ୍ତି। ଖୋଲା ଅକାଶ ତଳେ ରାସ୍ତା ଉପରେ ଦେଶର ଭବିଷ୍ୟତ ନିର୍ମାଣ ଚାଲିଛି। ଅବଶ୍ୟ ଏହାକୁ ଦେଖିଲେ ପୁରୁଣା ଗୁରୁକୁଳ ଅବସ୍ଥା ମନେ ପଡିଯାଏ। କିନ୍ତୁ ସେଠାରେ ମଧ୍ୟ ଛାତ୍ରଛାତ୍ରୀ ସୁରକ୍ଷିତ ଅବସ୍ଥାରେ ଅଧ୍ୟୟନ କରୁଥିଲେ।
ବର୍ତ୍ତମାନ ସମୟରେ ପଡୋଶୀ ବରଗଡ ଜିଲାର ପଦ୍ମପୁର ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ହେଉଥିବାରୁ ନୂଆପଡା ଜିଲାରେ ଓଡିଶା ସରକାର ଡେରା ପକାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖୋଦ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନୂଆପଡାରେ ଅବସ୍ଥାନ କରୁଥିଲାବେଳେ ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ବେଲଟୁକୁରି ଦେଇ ଝାରବନ୍ଧ ବ୍ଲକକୁ ନିର୍ବାଚନ ପ୍ରଚାରରେ ଯାଉଛନ୍ତି। ବେଲଟୁକୁରିଠାରୁ ମାତ୍ର ୫କିମି ଦୂରରେ ଟାମକିଦାଦାର ଗାଁ ଯେଉଁଠାରେ କି ଦେଶର ଭବିଷ୍ୟତ ନିର୍ମାଣ ରାସ୍ତା ଉପରେ ଚାଲିଛି। କିନ୍ତୁ ରାଜ୍ୟର ମନ୍ତ୍ରୀ ମାନଙ୍କ ନିକଟରେ ଟିକିଏ ବି ସମୟ ନାହିଁ ବିଦ୍ୟାଳୟକୁ ଆଡ ଆଖିରେ ମଧ୍ୟ ଚାହିଁବା ପାଇଁ। ଏସଂକ୍ରାନ୍ତରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କହିବା ମୁତାବକ ବିଦ୍ୟାଳୟର ସମସ୍ତ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦୁଇଟି ଗୃହ ଟିକିଏ ଭଲ ଅବସ୍ଥାରେ ଥିଲା ତେଣୁ ଆମେ ସବୁ ଛାତ୍ରଛାତ୍ରୀମାନଙ୍କୁ ସେହି ଗୃହରେ ବସାଉଥିଲୁ; କିନ୍ତୁ ଗତ ପାଖାପାଖି ଦେଢମାସ ହେବ ସେହି ଗୃହର ମଧ୍ୟ ଛାତରୁ ଅତଡା ଖସିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାହାରେ ବସାଇବାକୁ ବାଧ୍ୟ ହେଉଛୁ। ଏସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ସାରିଛୁ। କିନ୍ତୁ ଏଯାଏଁ କୌଣସି ନୂତନ ନିର୍ମାଣ ଆରମ୍ଭ ହୋଇନାହିଁ। ଗ୍ରାମବାସୀଙ୍କ କହିବା କଥା ହେଲା ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଓ ଅଧିକାରୀମାନେ ବିଭିନ୍ନ ସମୟରେ ବିଦ୍ୟାଳୟ ପରିଭ୍ରମଣ କଲାପରେ ମଧ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିଛି। ଏସମ୍ପର୍କରେ ନୂଆପଡା ଗୋଷ୍ଠୀ ଶିକ୍ଷାଧିକାରୀ ହେମସାଗର ମହାନନ୍ଦଙ୍କୁ ପଚାରିବାରୁ ଆମେ ଏ ସମ୍ପର୍କରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ତୁରନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ଆବେଦନ କରିଥିଲୁ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ବିଦ୍ୟାଳୟ ପରିଭ୍ରମଣ କରି ନୂତନ କୋଠା ନିର୍ମାଣପାଇଁ ୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି; କିନ୍ତୁ ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦ କାରଣରୁ ଏଯାବତ ନୂତନ କୋଠା ନିର୍ମାଣ ସ୍ଥାନ ଚିହ୍ନଟ ହୋଇପାରୁନାହିଁ ବୋଲି ଜଣାଇଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠେ ଗୋଟିଏ ବିଦ୍ୟାଳୟର ସମସ୍ତଶ୍ରେଣୀ ଗୃହ ଜରାଜୀର୍ଣ୍ଣ ହେବା ପର୍ଯ୍ୟନ୍ତ କଣ ଶିକ୍ଷା ବିଭାଗ ଅପେକ୍ଷାରେ ଥିଲା। ୮ଟି ଶ୍ରେଣୀକୁ ୬ଟି ଶ୍ରେଣୀଗୃହ ଥିଲାବେଳେ ପୂର୍ବରୁ ଏଥିପାଇଁ ବିହିତ ପଦକ୍ଷେପ ନିଆଗଲା ନାହିଁ କାହିଁକି? ଜିଲାର ଶିକ୍ଷା ବିଭାଗ ଓ ପ୍ରଶାସନକୁ କଣ ବିଦ୍ୟାଳୟ ବିଷୟରେ ପୂର୍ବରୁ ଅବଗତ ନଥିଲା। ଛାତ୍ରଛାତ୍ରୀ ବାହାରେ ରାସ୍ତାକଡ଼ରେ ବସି ପାଠପଢୁଥିବା କଣ ପ୍ରଶାସନକୁ ଜଣାନାହିଁ। ଜିଲାର ଜିଲାପାଳ ହେମକାନ୍ତ ସାୟ ପ୍ରତି ଦିନ ଜିଲାର କୋଣ ଅନୁକୋଣକୁ ପରିଦର୍ଶନରେ ଯାଉଛନ୍ତି। କିନ୍ତୁ ଆଜିପର୍ଯ୍ୟନ୍ତ କଣ ଜିଲାପାଳଙ୍କ ଦୃଷ୍ଟି ଗୋଚର ହୋଇନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Comments are closed.