MEllora 950×100

ଶିକ୍ଷକ ଆନ୍ଦୋଳନ ସ୍ଥଗିତ

କମିଟି ଗଢ଼ିଲେ ସରକାର, ୨୦ ଦିନ ମହଲତ ଦେଲା ସଂଘ, ସମାଧାନ ନ ହେଲେ ୨୧ରୁ ସମୂହ ଛୁଟି

ଭୁବ‌େ‌ନଶ୍ବର : ୩ ଦଫା ଦାବି ନେଇ ଭୁବନେଶ୍ବରରେ ୪ ଦିନ ହେଲା ଚାଲିଥିବା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ବୁଧବାର ରାଜ୍ୟ ସରକାରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ମହାସଂଘର ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ଶିକ୍ଷକଙ୍କ ୩ ଦଫା ଦାବି ପୂରଣ ନେଇ ବୁଧବାର ମହାସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶିକ୍ଷକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସରକାର ଏକ କମିଟି ଗଠନ କରିଥିବା ଅବଗତ କରାଯାଇଥିଲା। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ସଦସ୍ୟ ରହିଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସଦସ୍ୟ ଆବାହକ ରହିଛନ୍ତି । କମିଟି ଆସନ୍ତା ଡିସେମ୍ବର ୧୬ ରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ମହାସଂଘ ସହ ଆଲୋଚନା କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମହାସଂଘର କହିବା କଥା, ଆଲୋଚନାବେଳେ ମୁଖ୍ୟ ସଚିବ ଏକ ଳିଖିତ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସରକାରଙ୍କ ଉପରେ ଆମେ ବିଶ୍ବାସ ରଖି ଆନ୍ଦୋଳନକୁ ଡିସେମ୍ବର ୨୦ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଲୁ। ସରକାର ୨୦ ଦିନର ମହଲତ ମାଗିଛନ୍ତି। ଦାବି ପୂରଣ ପାଇଁ ସମୟ ଲାଗିବ ବୋଲି ସରକାର କହିଛନ୍ତି। ତେଣୁ ଏହାକୁ ଅନୁଭବ କରି ସରକାରଙ୍କୁ ସମୟ ଦେଇଛୁ। ଯଦି ୨୦ତାରିଖ ଭିତରେ କୌଣସି ସମାଧାନ ନ ହୁଏ ତେବେ ୨୧ରୁ ଆନ୍ଦୋଳନ ସହ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ତିନି ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରବିବାର ଠାରୁ ବିକ୍ଷୋଭ ଆରମ୍ଭ ହୋଇଥିଲା। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ବହୁ ବିଦ୍ୟାଳୟରେ ତାଲା ପଡ଼ିଥିଲା। ଫଳରେ ପିଲାଙ୍କ ପାଠପଢ଼ା ମଧ୍ୟ ବ୍ୟାହତ ହୋଇଥିଲା।

Comments are closed.