ନବରଙ୍ଗପୁରରେ ଜିଲାସ୍ତରୀୟ କାଉନସିଲିଂ ସ୍ଥଗିତ : ଶିକ୍ଷକ ସଂଘ ଧାରଣା ପ୍ରତ୍ୟାହାର

ନବରଙ୍ଗପୁର : ଦୁଇ ଦିନ ଧରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚାଲିଥିବା ପ୍ରାଥମିକ ଶିକ୍ଷକ ସଂଘର ଧାରଣା ପ୍ରତ୍ୟାହର କରାଯାଇଛି । ଜିଲାର ଶିକ୍ଷକ ପଦୋନ୍ନତି ଓ ବଦଳିକୁ ଜିଲାସ୍ତରୀୟ କାଉନସିଲିଂ ମାଧ୍ୟମରେ କରାଯିବାକୁ ଜିଲା ଶିକ୍ଷା ଅଧିକାରୀଙ୍କର ନିର୍ଦ୍ଦେଶକକୁ ଜିଲା ପ୍ରାଥମିକ ଶିକ୍ଷକ ସଂଘ ବିରୋଧ କରି ବୁଧବାରଠାରୁ ପ୍ରତୀକ ଧାରଣା ଦିଆଯାଇଥିଲା । ତେବେ ଗୁରୁବାର ଦ୍ୱିତୀୟ ଦିନରେ ଶତାଧିକ ଶିକ୍ଷକ ଧାରଣା ଦେଇଥିବାବେଳେ ପୂର୍ବାହ୍ନରେ ଧାରଣାସ୍ଥଳରେ ରାଜ୍ୟସଭା ସାଂସଦ ମୁନା ଖାଁ ଆସି ଶିକ୍ଷକ ମାନଙ୍କର ସହ ଆଲୋଚନା କରିଥିଲେ। ଅପରାହ୍ନରେ ବିଜେପି ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଯୁବ ନେତା କାହ୍ନୁଦାଶ, ନଗର ସଭାପତି ପିଣ୍ଟୁ ମିଶ୍ର, ଜିଲା ପଛୁଆ ବର୍ଗ ସଭାପତି ଦୈତାରୀ ମାଝୀ ଙ୍କର ସମତ ବହୁ ନେତା ପହଞ୍ଚି ଧାରଣାକୁ ସମର୍ଥନ କରି ବସିଥିଲେ। ତେବେ ଆନ୍ଦୋଳନ ଅଧିକ ତୀବ୍ର କରାଯିବାର ଆଶଙ୍କା ପ୍ରକାଶ ପାଇଥିଲା। ଏହା ପରେ ଅପରାହ୍ନ ୪ଟାରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ସାଂସଦ ପ୍ରତିନିଧି ପ୍ରହଲ୍ଲାଦ ତ୍ରିପାଠୀ ଆସି ଆଲୋଚନା କରିଥିଲେ । ଶିକ୍ଷକ ସଂଘର ଧାରଣାର ଗୁରୁତ୍ୱକୁ ଉପଲବ୍ଧି କରି ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର, ଓ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପହଞ୍ଚି ଆଲୋଚନା କରିଥିଲେ। ତେବେ ଧାରଣାରତ ଶିକ୍ଷକମାନେ ବ୍ଳକସ୍ତରରେ କାଉନସିଲିଂ କରାନଗଲେ ଧାରଣା ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କହିଥିଲେ।

ଏହାପରେ ଜିଲା ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟରେ ଜିଲାପାଳ ଡଃ.ମିଶ୍ର ଙ୍କର ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଶ୍ରୀ ପ୍ରଧାନୀ ଉପ ଜିଲାପାଳ ଶ୍ରୀ ଅଗ୍ରୱାଲ, ସାଂସଦ ପ୍ରତିନିଧି ଶ୍ରୀ ତ୍ରିପାଠୀ ଓ ଶିକ୍ଷକ ସଂଘ ପ୍ରତିନିଧି ମାନେ ଯୋଗଦେଇଥିଲେ । ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ ରାଜ୍ୟ ସରକାରଙ୍କର ସମସ୍ତ ବଦଳି ନିର୍ଦ୍ଦେଶ ଚିଠି ଉପସ୍ଥାପନ କରିଥିଲେ । ଏହାର ଆଲୋଚନା କରାଯିବା ପରେ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଜିଲାସ୍ତରୀୟ କାଉନସିଲିଂ ନିର୍ଦ୍ଦେଶକୁ ସ୍ଥଗିତ କରାଯାଇଥିଲା । ତେବେ ଶିକ୍ଷକ ସଂଘର ଦାବି ପ୍ରକାରେ ବୈଠକର ପ୍ରୋସିଡିଂ କରାଯାଇଥିଲା । ଜିଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ ଏହି ଜିଲାସ୍ତରୀୟ କାଉନସିଲିଂକୁ ସ୍ଥିଗତ କରାଯାଇଥିବା ଓ ଏସଂପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଠାରୁ ସ୍ପଷ୍ଟିକରଣ ମଗାଯାଇଥିବା ଏକ ଚିଠି କରି ଏହାର ନକଲ ଜିଲା ଶିକ୍ଷକ ସଂଘ ସମ୍ପାଦକ ସମସ୍ତବ୍ଳକ ଶିକ୍ଷା ଅଧିକାରୀ, ଜିଲାପାଳ, ଉପଜିଲାପାଳ ,ଗଣଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ସଚିବ, ସାଂସଦ ଓ ବିଧାୟକଙ୍କୁ ନକଲ ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀପ୍ରଧାନୀ ଏହି ନକଲ ଆଣି ଧାରଣାସ୍ଥଳରେ ପ୍ରଦାନ କରିବା ପରେ ଏହାକୁ ପାଠ କରାଯାଇଥିଲା । ଏହାପରେ ସନ୍ଧ୍ୟା ୬.୩୦ରେ ଶିକ୍ଷକ ସଂଘ ଧାରଣା ପ୍ରତ୍ୟାହାର କରାଯାଇଥିବା ଜିଲା ସଭାପତି ବିଷ୍ଣୁ ପ୍ରସାଦ ପାଣି ଗ୍ରାହୀ ଓ ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ ଘୋଷଣା କରିଥିଲୋ ଏହିଧାରଣାର ସଫଳତା କରିଥିବାରୁ ଶିକ୍ଷକ ସଂଘ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

 

Comments are closed.