ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ନକଲେ ମାଟ୍ରିକ ଖାତା ଦେଖିବେନି ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ

ବୌଦ୍ଧ : ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାପାଇଁ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏନେଇ ଜାନୁୟାରୀ ୧୧ ତାରିଖରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ବ୍ୟତିକ୍ରମ ଦେଖାଯାଇଥିଲା। ସମସ୍ତ ବିଦ୍ୟାଳୟ ଶିକ୍ଷକଙ୍କୁ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ କରାନଯାଇ କେବଳ ଶତପ୍ରତିଶତ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ଏହା ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଗତ ଜାନୁୟାରୀ ଓ ଫେବୃୟାରୀ ଦୁଇମାସ ସପ୍ତମ ବେତନ ଆଧାରରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାର ଦରମା ପ୍ରଦାନ କରିବାପରେ ଗତ ମାର୍ଚ୍ଚ ମାସରୁ ପୁଣିଥରେ ନୂତନ ଦରମା ନୀତିକୁ ସ୍ଥଗିତ ରଖିଛନ୍ତି। ଫଳରେ ଦୁଇମାସ ପରେ ଗତ ମାର୍ଚ୍ଚ ମାସରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାର ଦରମା ପ୍ରଦାନ କରୁନାହାନ୍ତି କି ନିଜର ନୀତି ନେଇ ସ୍ପଷ୍ଟ କରୁନାହାନ୍ତି ବୋଲି ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଆଗାମୀ ୨୧ ତାରିଖଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ କରାନଗଲେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଟ୍ରିକ ପରୀକ୍ଷା ଖାତା ଦେଖିବେ ନାହିଁ ବୋଲି ବୌଦ୍ଧ ଜିଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ସଂଘର ଏକ ପ୍ରତନିଧି ମଣ୍ଡଳୀ ମଙ୍ଗଳବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିବା ସହ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ଜଣାଯାଇଛି।

Comments are closed.