ତୁଳସୀପୁର ଗ୍ରାମର ୨ ବରିଷ୍ଠ ଶିକ୍ଷାବିତ୍‍ ସମ୍ବର୍ଦ୍ଧିତ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ୨ବରିଷ୍ଠ ଶିକ୍ଷାବିତ୍‍ ତଥା ସୃଜନଶୀଳ ପ୍ରତିଭାଧାରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଗୁଣୀ ସାହୁ ଏବଂ ଅବସରପ୍ରାପ୍ତ ବିଦ୍ୟାଳୟ ଅନୁନିରୀକ୍ଷକ ଭୀମସେନ ନାୟକଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୬ଷ୍ଠ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଏହି ସମ୍ବର୍ଦ୍ଧନା ଉଭୟ ପ୍ରତିଭାଙ୍କୁ ପ୍ରଦାନ କରାଯାଇଛି। ଜଣେ କବି, ପ୍ରକୃତି ପ୍ରେମୀ ଏବଂ ବାଙ୍କୀ ଇତିହାସ ପୁସ୍ତକ ରଚନା କ୍ଷେତ୍ରରେ ଉଭୟଙ୍କ ଅବଦାନ ଅତୁଳନୀୟ। ସମଗ୍ର ବାଙ୍କୀ ତଥା ପାଖ ପାଡ଼ୋଶୀ ଅଞ୍ଚଳରେ ଜଣେ ବରିଷ୍ଠ ଶିକ୍ଷାବିତ୍‍ ଏବଂ ସାରସ୍ୱତ ସାଧନା କ୍ଷେତ୍ରରେ ବହୁ ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଥିବା ୨ବରିଷ୍ଠ ନାଗରିକ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଗ୍ରହଣ କରି ଖୁସି ଅନୁଭବ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ନବ ନିର୍ବଚିତ ଏନଏସି ଅଧ୍ୟକ୍ଷା ମାଣିକ ସାହୁଙ୍କ ସମେତ ସଂଘର ସଭାପତି ନୃସିଂହ ଚରଣ ପ୍ରଧାନ, ସମ୍ପାଦକ ବିପିନୀ ବିହାରୀ ମହାନ୍ତି, ସଂଗଠକ କେଶବ ଚନ୍ଦ୍ର ବେହେରାଙ୍କ ସମେତ ବହୁ ପରିଷ୍ଠ ଅତିଥି ଉପସ୍ଥିତ ଥିଲେ।

Comments are closed.