ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ସଂଘର ଧାରଣା

ବ୍ଲକସ୍ତରୀୟ କାଉନସିଲିଂ କରିବା ପାଇଁ ଦାବି 

ନବରଙ୍ଗପୁର : ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ପ୍ରକାରେ ବ୍ଲକ ସ୍ତରରେ କାଉନସିଲିଂ କରି ଶିକ୍ଷକ ପଦୋନ୍ନତି ଓ ବଦଳି କାର୍ଯ୍ୟକାରୀ କରିବାକୁ ଦାବି କରି ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଠାରୁ ଅନର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ପ୍ରତୀକ ଧାରଣା ଦିଆଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠିନମ୍ବର- ୧୯୩୩୪, ତା ୭.୧୦.୨୧ରେ ଶିକ୍ଷକ ପଦୋନ୍ନତି ଓ ବଦଳି କରିବାକୁ କାଉନସିଲିଂ ମାଧ୍ୟମରେ କରାଯିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଜିଲାରେ ଏହି ନିର୍ଦ୍ଦେଶନାମାକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ । ଏହି ନିର୍ଦ୍ଦେଶ ଅନୁସାରେ ବ୍ଳକ ସ୍ତରରେ କାଉନସିଲିଂ କରି ବଦଳି କରିବାକୁ ଦାବି କରାଯାଉଛି । ଆସନ୍ତା ୩୦ .୧୦.୨୧ରୁ ୪.୧୧.୨୦୨୧ ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟୋଜିତ ହୋଇଛନ୍ତି । ଏପରିସ୍ଥଳେ କିପରି କାଉନସିଲିଂ ହେବ ବୋଲି ପ୍ରଶ୍ନ କରାଯାଉଛି । ଏହି ଦାବୀକୁ ହୃଦୟତାର ସହ ବିଚାର କରି ଜିଲା କାଉନସିଲିଂ ଚିଠିନମ୍ବର- ୬୧୭୦, ତା ୨୨.୧୦.୨୧କୁ ନାକଚ କରି ବ୍ଲକ ସ୍ତରୀୟ କାଉନସଲିଂ କରିବାକୁ ଦାବି କରାଯାଇଛି । ନଚେତ ପ୍ରତୀକ ଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏସଂପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହିତ ଏହାର ନକଲ ଜିଲାପାଳ ,ଉପ ଜିଲାପାଳ ଓ ରାଜ୍ୟ ଶିକ୍ଷକ ସଂଘକୁ ଅବଗତ କରଯାଇଛି । ଏହି ଧାରଣାରେ ଜିଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜିଲା ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ, ରାଜ୍ୟ ଉପ ସଭାପତି ସନନ୍ତ କୁମାର ପ୍ରହରାଜ, ଜିଲା ସଂଯୋଜିକା ପ୍ରତିମା ଯାଦବ, ଜିଲା ସଂଯୋଜକ କୃପାନିଧି ସିଂହଙ୍କ ସମେତ ପ୍ରଥମ ଦିନରେ ନବରଙ୍ଗପୁର, ରାଇଘର, ଉମରକୋଟ, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଳକର ଶିକ୍ଷକ ମାନେ ଧାରଣାରେ ବସିଥିଲେ।

Comments are closed.