ତସ୍ମୈ ଶ୍ରୀ ଗୁରବେ ନମଃ

ସାଧାରଣ ଶିକ୍ଷକ କେବଳ ପାଠ ପଢ଼ାନ୍ତି; କିନ୍ତୁ ଗୁରୁ ମଣିଷ ପରି ମଣିଷଟିଏ ହେବାର ଶିକ୍ଷା ଦିଅନ୍ତି, ବାଟ ଦେଖାନ୍ତି। ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ । ଯାହକୁ ଆମେ ଗୁରୁଦିବସ ଭାବେ ପାଳନ କରୁ । ଏହି ଉପଲକ୍ଷେ ଏଭଳି କେତେଜଣ ଗୁରୁଙ୍କ ବିଷୟରେ ଆସନ୍ତୁ ଜାଣିବା, ଯେଉଁମାନେ ସକଳ ପ୍ରତିକୂଳତା ଭିତରେ ଯଥାର୍ଥରେ ମଣିଷ ଗଢ଼ିବାର ପ୍ରଚେଷ୍ଟା ଜାରି ରଖିଛନ୍ତି ଓ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନୁହନ୍ତି, ସମଗ୍ର ସମାଜ ନିମନ୍ତେ ପାଲଟିଛନ୍ତି ମାର୍ଗଦର୍ଶକ।

ତିନି ପିଢ଼ିର ଗୁରୁ(ନନ୍ଦକିଶୋର ପୃଷ୍ଟି)

ବୟସ ତାଙ୍କର ୧୦୨। ସେ ଯେଉଁମାନଙ୍କୁ ପାଠ ପଢ଼ାଇଥିଲେ, ସେମାନଙ୍କ ଭିତରୁ କେତେକଙ୍କର ବୟସ ଏବେ ୬୦/୭୦। ଦୀର୍ଘ ସତୁରୀ ବର୍ଷ ଧରି ସେ ଶିକ୍ଷାଦାନ ଜାରି ରଖିଛନ୍ତି ଅବିଚ୍ଛିନ୍ନ। ସ୍ବାଧୀନତା ପୂର୍ବରୁ ଖୋଲାଯାଇଥିବା ତାଙ୍କ ଚାଟଶାଳୀ ଏବେ ବି ଚାଲିଛି ଓ ତିନି ପିଢ଼ିକୁ ପଢ଼ାଇ ଆସୁଛି। ତାଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଶିକ୍ଷକ ହୋଇସାରିଛନ୍ତି। ଏହି ଗୁରୁମାନଙ୍କ ଗୁରୁ ହେଉଛନ୍ତି ଶତାୟୁ ନନ୍ଦକିଶୋର ପୃଷ୍ଟି ଓରଫ୍ ନନ୍ଦ ସାର୍‌।

ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମରେ ନନ୍ଦ ସାର୍‌ଙ୍କ ଘର, ଯେଉଁଠି କେବଳ ତଫସିଲଭୁକ୍ତ ଉପଜାତିର କୈବର୍ତ୍ତ ଓ ହରିଜନ ଶ୍ରେଣୀର ଲୋକେ ବସବାସ କରନ୍ତି। ୧୯୩୯ ମସିହାର କଥା। କନ୍ତିରା ଗ୍ରାମର ନନ୍ଦକିଶୋର ନାମକ ଜଣେ ଛାତ୍ର ନିକଟସ୍ଥ ହାତିବାରୀ ଗ୍ରାମର ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କଲେ। ଦାରିଦ୍ର୍ୟର କଷାଘାତରେ ପାଠପଢ଼ାରେ ଡୋରି ବାନ୍ଧି ପରିବାର ପ୍ରତିପୋଷଣ ପାଇଁ ନଙ୍ଗଳ କଣ୍ଟି ଧରିବାକୁ ବାଧ୍ୟ ହେଲେ। ସେ ନିଜେ ଅଧିକ ପଢ଼ିପାରିଲେ ନାହିଁ ସତ, କିନ୍ତୁ ଗାଁ ପିଲାଙ୍କ ପାଠପଢ଼ା ଚିନ୍ତା ତାଙ୍କୁ ଘାରିଲା। ନିଜେ ଆରମ୍ଭ କଲେ ଏକ ଚାଟଶାଳୀ। ଏହା ୧୯୪୬ ମସିହାର କଥା; ଅର୍ଥାତ ୭୦ ବର୍ଷ ଧରି ସେ ନିରବଚ୍ଛିନ୍ନ ଭାବେ ଗ୍ରାମର ଛୋଟପିଲାଙ୍କୁ ପାଠ ପଢ଼ାଇ ଆସୁଛନ୍ତି। ତାଙ୍କର ପ୍ରଥମ ବ୍ୟାଚ୍‌ର ଛାତ୍ରଙ୍କ ମଧ୍ୟରୁ ଅନେକ ଏବେ ଆରପାରିକୁ ଚାଲିଗଲେଣି; ମାତ୍ର ନନ୍ଦ ସାର୍‌ ୧୦୨ ବର୍ଷରେ ବି ସାଧନା ଜାରି ରଖିଛନ୍ତି।

ନନ୍ଦ ସାର୍‌ଙ୍କ ନିଆରା ଚାଟଶାଳୀରେ ଗୋଟିଏ ପରିବାରର ବାପ, ପୁଅ ଓ ନାତି ପାଠ ପଢ଼ିଥିବାବେଳେ ଅଗଣିତ ଛାତ୍ରଙ୍କୁ ସେ ମଣିଷ କରି ଗଢ଼ିଛନ୍ତି ବୋଲି କହନ୍ତି ଜଣେ ପୂର୍ବତନ ଛାତ୍ର ଯୁଗଳ କିଶୋର ବେହେରା, ଯିଏ ଏବେ ବରଡି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ନନ୍ଦ ସାରଙ୍କ ନିକଟରେ ପାଠ ପଢ଼ି ଆଜି କନ୍ତିରା ଗ୍ରାମର ବହୁ ବ୍ୟକ୍ତି ଇଂଜିନିୟର, ଶିକ୍ଷକ, ପୋଷ୍ଟମାଷ୍ଟର ଓ ଡାକ୍ତର ମଧ୍ୟ ହୋଇଛନ୍ତି। ତେବେ ଦେଶର ଭବିଷ୍ୟତକୁ ଗଢ଼ିଚାଲିଥିଲେ ମଧ୍ୟ ଏହି ମହାନ ଶିକ୍ଷକଜଣକ କାହାଠାରୁ ଟଙ୍କାଟିଏ ବି ଗୁରୁଦକ୍ଷିଣା ନିଅନ୍ତି ନାହିଁ। ଏବେ ତାଙ୍କ ଚାଟଶାଳୀରେ ପ୍ରଥମରୁ ସପ୍ତମ ଶ୍ରେଣୀର ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଗତ ସତୁରି ବର୍ଷ ଭିତରେ ନନ୍ଦ ସାର ୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି ବୋଲି ଗର୍ବର ସହିତ କହନ୍ତି ଗ୍ରାମବାସୀ। ଶତାୟୁ ଶିକ୍ଷକ ନନ୍ଦ ସାର୍‌ ଝଡ଼ତୋଫାନଠାରୁ ଆରମ୍ଭ କରି ଗ୍ରୀଷ୍ମର ୪୯ ଡିଗ୍ରୀ ଉତ୍ତାପକୁ ବେଖାତିର କରି ନିଜର ବିନା ଦେୟର ଚାଟଶାଳୀକୁ ଚଳାଇ ରଖିଛନ୍ତି।

ଦୃଷ୍ଟିହୀନଙ୍କ ଦ୍ରୋଣାଚାର୍ଯ୍ୟ (ତାପସ କୁମାର ମହାନ୍ତି)

ନିଜେ ଦୃଷ୍ଟିହୀନ ନୁହନ୍ତି, କିନ୍ତୁ ଦୃଷ୍ଟିହୀନଙ୍କ ପ୍ରେରଣାର ଉତ୍ସ। ଦୃଷ୍ଟିହୀନ ଛାତ୍ରଛାତ୍ରୀ ସିନା ଦେଖି ପାରନ୍ତି ନାହିଁ ହେଲେ ତାଙ୍କ ଚକ୍ଷୁରେ ସେମାନେ ଦେଖନ୍ତି ସାରା ଦୁନିଆ। ନିଜେ ପିତାମାତା ଓ ଅଭିଭାବକ ହୋଇ ସେମାନଙ୍କ ଆବଶ୍ୟକତାକୁ ବୁଝି ସବୁ ସମସ୍ୟାର ସମାଧାନ କରନ୍ତି ଓ ବଞ୍ଚିବାର କୌଶଳ ଶିଖାନ୍ତି। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହାୟତାରେ ପାଠ୍ୟସାମଗ୍ରୀ ପ୍ରସ୍ତୁତ କରିଛନ୍ତି, ଯାହା ସେମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି।

ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତପସ୍ୱିନୀ ଦାସ, ଅନନ୍ତ ନାୟକଙ୍କ ଭଳି ଛାତ୍ରଛାତ୍ରୀ ଓଏଏସ୍‍ ପାଇଛନ୍ତି। ମହମ୍ମଦ ଜାଫର ଇକ୍‍ବାଲ୍‍, ପଙ୍କଜ ଭୁଏ ଓ କାଳିଆ ପ୍ରଧାନଙ୍କ ଭଳି ତାଙ୍କ ଛାତ୍ର ଅନ୍ତର୍ଜାତୀୟ କ୍ରିକେଟ୍‍ ଖେଳିବାର ଗୌରବ ଲଭିଛନ୍ତି। ବିକ୍ରମାଦିତ୍ୟ ପ୍ରଧାନ ସଫ୍ଟୱେର୍‍ ଇଞ୍ଜିନିୟର ହୋଇପାରିଛନ୍ତି। ନିଜର ଦକ୍ଷତା ଓ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ବିନିଯୋଗ ସହିତ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଶିକ୍ଷାର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଦୃଷ୍ଟିହୀନମାନଙ୍କର ଏହି ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ତାପସ କୁମାର ମହାନ୍ତି। ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷର ଜାତୀୟ ପୁରସ୍କାର ପାଇଁ ମନୋନୀତ ଦେଶର ୪୭ଜଣ (ଓଡ଼ିଶାର ଦୁଇଜଣ) ଶିକ୍ଷକଙ୍କ ମଧ୍ୟରୁ ଜଣେ। ତାପସ ଭୁବନେଶ୍ୱରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।

ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ସିନା ବ୍ରେଲ୍‍ରେ ପଢୁଥିଲେ, ମାତ୍ର ସେମାନଙ୍କ ପାଇଁ ପଢ଼ିବାର ଆଉ କୌଣସି ସରଳ ଉପାୟ ନଥିଲା। ରାଜ୍ୟର ୮୦ ପ୍ରତିଶତ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେମାନଙ୍କୁ କିଭଳି ସାଧାରଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଭଳି ଶିକ୍ଷାଦାନ କରାଯାଇପାରିବ ତାହାର ଉପାୟ ବାହାର କରିଥିଲେ ତାପସ। ୨୦୦୨ ମସିହାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଡ଼ିଓ ରେକର୍ଡିଂ ପ୍ରସ୍ତୁତି ଆରମ୍ଭ କଲେ। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ପାଠକୁ ସେ ନିଜ କଣ୍ଠରେ ରେକର୍ଡିଂ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଯୋଗାଇଦେଲେ। ଏହାପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଟେଷ୍ଟପେପର୍‍ର ଅଡ଼ିଓ ପ୍ରସ୍ତୁତ କଲେ। ଛାତ୍ରଛାତ୍ରୀମାନେ ଯେପରି ବିଭିନ୍ନ ଶବ୍ଦକୁ ଗୋଟେ ବହିରୁ ବ୍ରେଲ୍‍ ଅକ୍ଷରରେ ପାଇପାରିବେ ସେଥିପାଇଁ ୨ଟି ‘ୱାର୍ଡ ବୁକ୍‍’ ପ୍ରସ୍ତୁତ କଲେ। ଏବେ ବି ପିଲାମାନେ ମାତ୍ର ୬୦ ଟଙ୍କାରେ ବ୍ରହ୍ମପୁରର ବ୍ରେଲ୍‍ ଛାପାଖାନାରୁ ସେଇ ବହିର ପ୍ରିଣ୍ଟ ନେଇ ପଢୁଛନ୍ତି।

କେବଳ ସେତିକି ନୁହେଁ ଅନେକ ଶିକ୍ଷକ ଓ ଦୃଷ୍ଟିହୀନ ପିଲାଙ୍କ ପିତାମାତା ନିଜ ପିଲାଙ୍କୁ ପଢ଼ାଇବା ପାଇଁ ବ୍ରେଲ୍‍ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବାରୁ ସେମାନଙ୍କ ପାଇଁ ୨ଟି ‘ଲର୍ଣ୍ଣିଙ୍ଗ ବ୍ରେଲ୍‍’ ବହି ମଧ୍ୟ ଲେଖିଛନ୍ତି। ଏସବୁ ପୁସ୍ତକ ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ବହୁଳ ଆଦୃତ ଓ ଅତ୍ୟାବଶ୍ୟକ ପାଲଟିଛି। ସ୍କୁଲ ଛୁଟି ହେବା ପରେ କିଏ ସିନା ଘରକୁ ଯାଇ ବିଶ୍ରାମ ନେବା କଥା ଭାବେ, କିନ୍ତୁ ତାପସ ସ୍କୁଲ ଛୁଟି ହେବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କୁଲରେ ରହି ତାଙ୍କ କାମରେ ଲାଗିଥାନ୍ତି। ଫଳସ୍ବରୂପ ତାଙ୍କ ଦ୍ବାରା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ପାଠ୍ୟ ଉପକରଣ ଉଚ୍ଚ ପ୍ରଶଂସିତ ହୋଇଛି। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନମନ୍ତେ ଅବଦାନ ଲାଗି ୨୦୧୫ରେ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।

ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଳଗଣ୍ଡି ସାହିର ଗୋବିନ୍ଦଚନ୍ଦ୍ର ମହାନ୍ତି ଓ ବୀଣାପାଣିଙ୍କ ସୁପୁତ୍ର ତାପସ କୁମାର ମହାନ୍ତିଙ୍କର ଜନ୍ମ ୧୯୬୬ ଜୁଲାଇ ୭ରେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିଏଡ୍‌ ଏବଂ ଇତିହାସରେ ଏମ୍‌ଏ ପାସ୍‌ କରିଛନ୍ତି। ପରେ ଉତ୍କଳ ଦୃଷ୍ଟିହୀନ ସଂଘର ଏକ ପ୍ରକଳ୍ପରେ ଭ୍ରାମ୍ୟମାଣ ଶିକ୍ଷକ ଭାବେ ଶିକ୍ଷକତା ଆରମ୍ଭ କରିଥିଲେ। ସାଧାରଣ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ କଣ୍ଟାପଡ଼ା ବ୍ଲକ୍‌ରେ ନିୟୋଜିତ ହୋଇଥିଲେ। ୧୯୯୭ ମାର୍ଚ୍ଚ ୧ରେ ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ୨୦୦୨ରେ ଭୁବନେଶ୍ବର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟକୁ ବଦଳି ହୋଇଆସିଥିଲେ ଏବଂ ଏଠାରେ ଆଜି ପର୍ଯ୍ୟନ୍ତ ଶିକ୍ଷକତା ଜାରି ରଖିଛନ୍ତି।

ବିଜ୍ଞାନ ଜ୍ଞାନର ପ୍ରେରକ (ରବୀନ୍ଦ୍ରନାଥ ସ୍ବାଇଁ)

ବିଜ୍ଞାନ ଶିକ୍ଷାକୁ ଅଧିକାଂଶ ଲୋକ କଷ୍ଟ ଭାବନ୍ତି। ଆଉ କେତେକ ଲୋକ ପରମ୍ପରାକୁ ଛାଡ଼ି ବିଜ୍ଞାନମନସ୍କ ହେବାକୁ ଚାହାନ୍ତି ନାହିଁ। ଏପରି ସ୍ଥଳେ ବିଜ୍ଞାନର ଶିକ୍ଷକଙ୍କ ଭୂମିକା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ। ତେବେ ବିଜ୍ଞାନ ବହିରୁ ଘୋଷାପାଠ ପଢ଼ାଇବା ଦ୍ବାରା ପିଲାଙ୍କ ଭିତରେ ପ୍ରକୃତ ବିଜ୍ଞାନର ଜ୍ଞାନ ଉଦୟ ହେବା ଅସମ୍ଭବ। ଏହାକୁ ଧ୍ୟାନରେ ରଖି ବିଜ୍ଞାନ କିପରି ସବୁ ପିଲାଙ୍କ ପାଇଁ ସହଜରେ ବୋଧଗମ୍ୟ ହେବ ଓ ସେମାନଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଆଜୀବନ ଚେଷ୍ଟା ଚଳାଇଛନ୍ତି ପୁରୀ ଜିଲା ନିମାପଡା ବ୍ଲକ ଧନୁଆଁ ଗ୍ରାମପଂଚାୟତ ଅନ୍ତର୍ଗତ ବଉଳପଦା ଗ୍ରାମର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ସ୍ୱାଇଁ। ସେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ କରିବା କ୍ଷେତ୍ରରେ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ରବୀନ୍ଦ୍ରନାଥ ୧୯୮୧ରେ ଖେଲାର ଚିନ୍ତାମଣି ବିଦ୍ୟାପୀଠରେ ବିଜ୍ଞାନ ଶିକ୍ଷକ ରୂପେ ନିଯୁକ୍ତି ପାଇ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରଠାରୁ ​‌େ​ସ ଆଉ ପଛକୁ ଫେରି ଚାହିଁନାହାନ୍ତି। ପୁରୀ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲା ବିଜ୍ଞାନ ସୁପରଭାଇଜର ଭାବେ କାର୍ଯ୍ୟ କରି ନିକଟରେ ଅବସର ନେଇଥିବା ରବୀନ୍ଦ୍ରନାଥ ଶିକ୍ଷକ ଜୀବନ ମଧ୍ୟରେ କେବଳ ପାଠ ପଢ଼ାଇନାହାନ୍ତି, ନିଜେ ମଧ୍ୟ ଗବେଷଣାରେ ମଗ୍ନ ହୋଇଛନ୍ତି। ଖଗୋଳୀୟ ଘଟଣାଗୁଡିକୁ ପ୍ଲାନେଟାରିୟମ ଓ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି। ୧୯୮୪ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଉପରେ ଗବେଷଣା ଲାଗି ରାଜସ୍ଥାନର ନିମକାଥାନା ଓ ୧୯୯୯ରେ ଗୁଜରାଟର ଭୁଜ୍ ଗସ୍ତ କରିଥିଲେ।

ମହାକାଶ ବିଜ୍ଞାନ ଗବେଷଣା ଜରିଆରେ ସେ ଭାରତର ତତ୍କାଳୀନ ରାଷ୍ଟ୍ରପତି ସ୍ୱର୍ଗତ ଡଃ.ଏପିଜେ ଅବଦୁଲ୍ କଲାମଙ୍କ ସମେତ ବହୁ ବୈଜ୍ଞାନିକଙ୍କ ସଂସ୍ପର୍ଶରେ ଆସି ଜ୍ଞାନ ଆହରଣ କରିଥିବା ରବୀନ୍ଦ୍ରନାଥ ପ୍ରକାଶ କରିଛନ୍ତି। ଏସବୁକୁ ନେଇ ସେ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ତନ୍ମଧ୍ୟରେ ଓଡିଶା ବୋର୍ଡର ଅଷ୍ଟମ ଶ୍ରେଣୀ ବିଜ୍ଞାନ ପୁସ୍ତକ, ଦଶମ ଶ୍ରେଣୀ ବିଜ୍ଞାନ ଲେସନ ପ୍ଲାନ, ନବମ ଓ ଦଶମ ଶ୍ରେଣୀର ଅପ୍ସନାଲ ପୁସ୍ତକ, ସୂର୍ଯ୍ୟ ଚନ୍ଦ୍ର ପୃଥିବୀର ଖେଳ, ଦେଖିବ ଆସ ଆମ ଆକାଶ ଆଦି ରହିଛି। ବିଜ୍ଞାନ ମେଳା ହେଉ କିମ୍ବା ବିଜ୍ଞାନ ସମ୍ବନ୍ଧୀୟ ଯେକୌଣସି କାର୍ଯ୍ୟକ୍ରମ, ସେଠାରେ ରବୀନ୍ଦ୍ରନାଥଙ୍କୁ ଖୋଜା ପଡିଥାଏ ଏବଂ ସେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି। ବୈଜ୍ଞାନିକ ଦିଲୀପ ସାଲୱିଲଙ୍କ ଦ୍ୱାରା ପ୍ରେରିତ ହୋଇ ତାଙ୍କ ନାମରେ ବଉଳପଦା ନିଜ ଘରେ ସେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଉଲ୍ଲେଖନୀୟ ଅବଦାନ ପାଇଁ ରବୀନ୍ଦ୍ରନାଥ ୨୦୧୩ରେ ଶ୍ରେଷ୍ଠବିଜ୍ଞାନ ଶିକ୍ଷକ ଭାବରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ରାଷ୍ଟ୍ରପତି ପୁରସ୍କାର ପାଇବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ରୂପେ ସମ୍ମାନିତ ହୋଇଛନ୍ତି।

କଣ୍ଢେଇ-ଶିକ୍ଷାପଦ୍ଧତିର ପ୍ରବର୍ତ୍ତକ (ବସନ୍ତ କୁମାର ସାହୁ)

ଚଳିତବର୍ଷ ଜାତୀୟ ଶିକ୍ଷକ ସମ୍ମାନ ପାଇବା ପାଇଁ ଓଡ଼ିଶାର ଯେଉଁ ଦୁଇଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି, ତନ୍ମଧ୍ୟରେ ରହିଛନ୍ତି ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରାର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ। କଣ୍ଢେଇ ସାହାଯ୍ୟରେ ପିଲାଙ୍କୁ ଶିକ୍ଷା ପ୍ରଦାନର ନିଆରା ଶୈଳୀ ପାଇଁ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ବିଦ୍ୟାଳୟରେ ଶ୍ରୀ ସାହୁଙ୍କ ଶିକ୍ଷାଦାନ ପ୍ରଣାଳୀ ସଂପୂର୍ଣ୍ଣ ନିଆରା। ନିଜ ଉଦ୍ୟମରେ ଘରେ ବିଭିନ୍ନ ପ୍ରକାର କଣ୍ଢେଇ ନିର୍ମାଣ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ସେ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ଉଦାହରଣ।

୧୯୯୩ ମସିହାରୁ ସେ ଆରମ୍ଭ କରିଥିଲେ କଣ୍ଢେଇ ସହ ଏହି ଶିକ୍ଷାଦାନର ଯାତ୍ରା। ତାଙ୍କରି ନେତୃତ୍ୱରେ ଓସେପା ଓ ଇଗ୍ନୋ ସମ୍ମିଳିତ ଭାବେ ଶିକ୍ଷକଙ୍କ ପାଇଁ ‘ବିଭବ’ ନାମରେ ଏକ ପୁସ୍ତକ ପ୍ରକାଶ କରାଯାଇ କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ଆପଣାଇବାକୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ଶିଶୁଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ସଚେତନତା ସୃଷ୍ଟି କରିବାରେ ମଧ୍ୟ ଶ୍ରୀସାହୁଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି। ପ୍ରତିଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ନିଜର କୁମ୍ପିରେ ଅର୍ଥ ସଂଚୟ କରିବା ପରେ ବିଦ୍ୟାଳୟ ଜରିଆରେ ତାକୁ ବ୍ୟାଙ୍କ ସହିତ ଯୋଡାଯାଇଛି। ଜିଲାର ୯୫% ପ୍ରତିଶତ ଛାତ୍ରଛାତ୍ରୀଙ୍କ ନାମରେ ବ୍ୟାଙ୍କଖାତା ଖୋଲାଯାଇ ସେମାନଙ୍କ ଦ୍ୱାରା ସଂଗୃହୀତ ଅର୍ଥକୁ ସେହି ଖାତାରେ ବିଦ୍ୟାଳୟ ଜରିଆରେ ଜମା କରାଯିବାର ବ୍ୟବସ୍ଥା କରାଯାଇଛି। ସେହି ଅର୍ଥରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ ମଧ୍ୟ କରାଯାଇଛି। ବୌଦ୍ଧଜିଲାର ଏହି ଯୋଜନାକୁ ଅନ୍ୟଜିଲା ଅନୁସରଣ କରିବାପାଇଁ ତିନିବର୍ଷ ତଳେ ଏକ ଜିଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
କଣ୍ଢେଇ ମାଧ୍ୟମରେ ଅଭିନବ ଶୈଳୀରେ ଶିକ୍ଷାଦାନ ପାଇଁ ୨୦୧୮-୧୯ରେ ଏନ୍‌ସିଇଆର୍‌ଟି, ନୂଆଦିଲ୍ଲୀ ପକ୍ଷରୁ ତାଙ୍କୁ ଜାତୀୟ ସ୍କୁରସ୍କାର ପ୍ରଦାନ କରାଯାଇଥିଲା। ଏବେ ସେ ଜାତୀୟ ଶିକ୍ଷକ ପୁରସ୍କାର ପାଇବା ରାଜ୍ୟ ପାଇଁ ଗୌରବର ବିଷୟ।

ପରିବର୍ତ୍ତନର ଅଗ୍ରଦୂତ (ସଂଜୟ ସାମଲ)

ସରକାରୀ ବିଦ୍ୟାଳୟ ସମ୍ପର୍କରେ କଥା ପଡ଼ିଲେ ତା’ର ଅନୁନ୍ନତ ଅବସ୍ଥା ପ୍ରଥମେ ମନକୁ ଆସେ; କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଏକ ଅନାମଧେୟ ଗ୍ରାମ କୁମଝରିଆରେ ଥିବା ଉନ୍ନୀତ ଉଚ୍ଚବିଦ୍ୟାଳୟ ତା’ର ଉନ୍ନତ ଭିତ୍ତିଭୂମି ଓ ଶିକ୍ଷା ପାଇଁ କେବଳ ରାଜ୍ୟ ନୁହେଁ ବରଂ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହା ସମ୍ଭବ ହୋଇଛି କେବଳ ଜଣେ ଶିକ୍ଷକଙ୍କ ସମର୍ପିତ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ। ଏହି ଅନନ୍ୟ ଶିକ୍ଷକ ଜଣ ହେଉଛନ୍ତି ସଂଜୟ ସାମଲ।

୧୯୫୬ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶ୍ରୀ ସାମଲ ଯୋଗ ଦେଇଥିଲେ ୨୦୦୪ରେ। ସେତେବେଳେ ବିଦ୍ୟାଳୟର ଭିତ୍ତିଭୂମି କିଛି ନଥିଲା କହିଲେ ଚଳେ। ଖପରା ଘର ଥିଲା। ବିଦ୍ୟାଳୟ ପରିସର କାଦୁଅ ସରସର ଥିଲା। ବିଦ୍ୟୁତ ଓ ପାଣି ବ୍ୟବସ୍ଥା ନଥିଲା। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଖୁବ୍ କମ ଥିଲା। ଏଠାରେ ଯୋଗଦେବା ପାଇଁ କୌଣସି ଶିକ୍ଷକ ଚାହୁଁନଥିଲେ। ଏହଭଳି ସମୟରେ କୁମଝରିଆ ବିଦ୍ୟାଳୟରେ ଶ୍ରୀ ସାମଲଙ୍କ ଯୋଗଦାନ ବରଦାନ ପାଲଟିଲା। ପ୍ରଥମେ ୨୦୦୪ରୁ ୨୦୦୮ ମଧ୍ୟରେ ବିଦ୍ୟାଳୟର ଶ୍ରେଣୀ ଗୃହ, ପାଇଖାନା, ଗେଟ୍‌, ପାଚେରି ଆଦି ନିର୍ମାଣ ସହିତ ସୁନ୍ଦର ପରିବେଶ ପାଇଁ ଉଦ୍ୟାନ ତିଆରି କଲେ। ବିଭିନ୍ନ ଫୁଲଗଛ, ଘାସର ଗାଲିଚା ତଥା ଚିର ସବୁଜ ବୃକ୍ଷରାଜି ଦେଖିଲେ ସହରାଞ୍ଚଳର କୌଣସି ଉଦ୍ୟାନର ଭ୍ରମ ହୁଏ।

ଏଥିପାଇଁ ୪ଜଣ ମାଳିକୁ ସ୍ୱତନ୍ତ୍ର ନିୟୋଜିତ କରାଯାଇଛି। ଏହାର ପରିବେଶକୁ ଦେଖିଲେ ସରକାରୀ ବିଦ୍ୟାଳୟ ବୋଲି ଅନେକ ସମୟରେ ଜାଣି ହୁଏ ନାହିଁ। ସରକାରୀ ଅନୁଦାନ ବିନା ଶ୍ରୀ ସାମଲ ଅନେକ କାର୍ଯ୍ୟ କରିଛନ୍ତି। ଶିକ୍ଷକଙ୍କ ପ୍ରତି ଥିବା ଗ୍ରାମବାସୀଙ୍କର ମାନସିକତାର ପରିବର୍ତ୍ତନ ପାଇଁ ସେ ଉଦ୍ୟମ ଆରମ୍ଭ କଲେ। ନିଜ ପଇସାରେ ରୋଗିଣା ଛାତ୍ରଛାତ୍ରୀଙ୍କର ଚିକିତ୍ସା କରାଇଲେ। ନିଜ ପିଲାଙ୍କ ପରି ଯତ୍ନ ନେଲେ। ପିଲାଙ୍କ ପୋଷାକ ଓ ମଧ୍ୟାହ୍ନ ଭୋଜନ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ। ଧୀରେଧୀରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଲା। ଏକଦା ୧୦୦ ଜଣ ଛାତ୍ରଛାତ୍ରୀ ନଥିବା ଏହି ବିଦ୍ୟାଳୟରେ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୫୧। ଛାତ୍ରାବାସ ଓ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀ ଉନ୍ନତ ଫଳାଫଳ କରିବାରେ ସଫଳ ହୋଇଛନ୍ତି। କେବଳ ସୁନ୍ଦରଗଡ଼ ଜିଲା ନୁହେଁ, ପଡ଼ୋଶୀ ଜିଲାର ଅଭିଭାବକ ସେମାନଙ୍କ ପିଲାଙ୍କୁ ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରିବା ସଫଳତାର ବଡ଼ ଦୃଷ୍ଟାନ୍ତ।
ସ୍ୱଚ୍ଛଭାରତ ଅଭିଯାନର ସଫଳ ରୂପାୟନ ପାଇଁ ଏହି ବିଦ୍ୟାଳୟ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ହାସଲ କରିଛି। ସେହିପରି ସଫଳ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମଧ୍ୟାହ୍ନ ଭୋଜନ’ ପୁରସ୍କାର ଲାଭ କରିଛନ୍ତି।

ଅବସର ପରେ ବି ଶିକ୍ଷକ (ରାଜେନ୍ଦ୍ର କୁମାର ପ୍ରଧାନ)

ବର୍ତ୍ତମାନର ସ୍ୱାର୍ଥସର୍ବସ୍ୱ ଦୁନିଆରେ ଯେତେବେଳେ ପ୍ରତିଟି ମଣିଷ ନିଜ ଲାଭକ୍ଷତିର ହିସାବରେ ବ୍ୟସ୍ତ ସେତେବେଳେ ଏଭଳି ଜଣେ ଶିକ୍ଷକ ଅଛନ୍ତି ଯିଏ ନିଃସ୍ୱାର୍ଥ ସେବାରେ ନିମଗ୍ନ। ଏହି ଶିକ୍ଷକଜଣକ ହେଲେ ବରଗଡ଼ ଜିଲା ଭଟଲିର ରାଜେନ୍ଦ୍ର କୁମାର ପ୍ରଧାନ। ବୟସ ୬୨। ଦୁଇ ବର୍ଷ ତଳୁ ଚାକିରିରୁ ଅବସର ନେଇଛନ୍ତି, କିନ୍ତୁ ସମାଜ ପ୍ରତି ନିଜର କର୍ତ୍ତବ୍ୟକୁ ସେ ଚାକିରିର ପରିସୀମା ମଧ୍ୟରେ ସୀମିତ ରଖିନାହାନ୍ତି। ଅବସର ନେଲା ପରେ ମଧ୍ୟ ନିଜ ସ୍କୁଲ ଭଟଲି ବ୍ଲକ ମୁଲବାର ଉଚ୍ଚ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଶିକ୍ଷାଦାନ ପ୍ରତି ନିଷ୍ଠା ଓ ସମର୍ପଣ ଭାବ ତାଙ୍କୁ ଆଜି ମଧ୍ୟ ବିଦ୍ୟାଳୟ ସହ ବାନ୍ଧି ରଖିଛି। ଅନ୍ୟ ଶିକ୍ଷକମାନଙ୍କ ଭଳି ସେ ମଧ୍ୟ ନିୟମିତ ସ୍କୁଲକୁ ଯାଉଛନ୍ତି। ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଭଟଲିରୁ ୭ କିଲୋମିଟର ଦୂର ମୂଲବାର ସ୍କୁଲକୁ ପ୍ରତିଦିନ ଚାଲିଚାଲି ଯାଆନ୍ତି। ପାଠ ପଢ଼ାଇ ସାରିଲେ ପୁଣି ୭ କିମି ଚାଲିଚାଲି ଘରକୁ ଫେରନ୍ତି। ପ୍ରତି ଦିନ ୧୪ କିଲୋମିଟର ପଦଯାତ୍ରା ଓ ନିଃଶୁଳ୍କ ଶିକ୍ଷାଦାନ ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ସେ କହନ୍ତି। ଶିକ୍ଷାଦାନ ପ୍ରତି ତାଙ୍କର ଏ ସମର୍ପଣ ଭାବ ଅନ୍ୟ ସମଗୋତ୍ରୀଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ। ରାଜେନ୍ଦ୍ର ପିଲାଙ୍କୁ ବିନା ପାରିଶ୍ରମିକରେ ପାଠ ପଢ଼ାନ୍ତି। ଶିକ୍ଷକତା ପ୍ରତି ଏହି ସମର୍ପଣ ଭାବ ହିଁ ତାଙ୍କୁ ଏକ ଭିନ୍ନ ମଣିଷର ପରିଚୟ ଦେଇଛି। ତାଙ୍କର ଏହି ମହନୀୟତା ଯୋଗୁ ମୂଲବାର ଗାଁରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ପାଇଁ ସେ ପାଲଟିଛନ୍ତି ସମ୍ମାନନୀୟ ଓ ଅନୁକରଣୀୟ।

Comments
Loading...