ଗୁରୁ ଦିବସର ଅନୁଚିନ୍ତା

ଏକ ଆଦର୍ଶ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଏଭଳି ଭୂମିକା ନିଭାଉଥିବା ଗୁରୁ ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ପ୍ରାତଃ ସ୍ମରଣୀୟ ଏବଂ ବନ୍ଦନୀୟ। ସମାଜକୁ ଦିଗ୍‌ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା, ଜ୍ଞାନ, ବୁଦ୍ଧି ଏବଂ ଉତ୍ସୁକତାକୁ ଅବଦମିତ କରିବାକୁ ନଦେବା, ଆଦର୍ଶ ଶିକ୍ଷକମାନଙ୍କର ଧର୍ମ। ନିଃସନ୍ଦେହରେ ଏହି ଧରଣର ଶିକ୍ଷକଙ୍କୁ ସମ୍ମାନ ଦେବା, ଆଦର କରିବା, ସେମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବା ଏବଂ ସମାଜରେ ସେମାନଙ୍କ ପାଇଁ ସର୍ବୋଚ୍ଚ ସ୍ଥାନ ସୁରକ୍ଷିତ କରିବା ମଧ୍ୟ ଆଦର୍ଶ ସମାଜର ମୌଳିକ ଲକ୍ଷ୍ୟ ହେବା ଆବଶ୍ୟକ; କିନ୍ତୁ ସମୟକ୍ରମେ ଶିକ୍ଷକ ନିଜର ସ୍ଥାନ ଓ ଆଦର୍ଶ ବଜାୟ ରଖିବାରେ ସକ୍ଷମ ହୁଅନ୍ତି ନାହିଁ। କାରଣ ଉତ୍ଥାନ ଓ ପତନ ସମୟର ଶାଶ୍ୱତ ନିୟମ। ଏହି ପରିପ୍ରେକ୍ଷୀରେ ଗୁରୁଦିବସ ଏବଂ ରାଧାକୃଷ୍ଣନ୍‌ଙ୍କ ଭାରତୀୟ ସଂସ୍କୃତି ଓ ଶିକ୍ଷାଦାନ ପ୍ରତି ଅବଦାନ ତଥା ଗୁରୁ ପରମ୍ପରାର ସମ୍ୟକ୍‌ ଆଲୋଚନା ସମ୍ବନ୍ଧରେ ଅବତାରଣା କରିବା ପ୍ରାସଙ୍ଗିକ ମନେହୁଏ।

ଗୁରୁଦିବସର ପରିକଳ୍ପନା ଓ ଏହାର ପାଳନକୁ ଜାତୀୟ ଗୁରୁଦିବସ ଭାବେ ନିର୍ଦ୍ଧାରଣ କରିବା ପଛରେ ସାର୍‌ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଅବଦାନ ଅବିସ୍ମରଣୀୟ। ୧୯୬୨ ମସିହାରେ ଡ.ରାଧାକୃଷ୍ଣନ୍ ଭାରତର ରାଷ୍ଟ୍ରପତି ପଦ ମଣ୍ଡନ କରିବା ଅବସରରେ ତାଙ୍କର କେତକ ଶୁଭ ଚିନ୍ତକ ବନ୍ଧୁ ଓ ପୁରାତନ ଛାତ୍ର ତାଙ୍କ ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ସେ ଏହି ଦିନକୁ ଗୁରୁଦିବସ ଭାବେ ସମଗ୍ର ଭାରତବର୍ଷରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ସୁତରାଂ ସେପ୍ଟେମ୍ବର ୫ ତାରିଖ ୧୯୬୨ ମସିହା ଠାରୁ ତାଙ୍କର ପବିତ୍ର ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବରେ ଜାତୀୟସ୍ତରରେ ପାଳନ କରିବା ପାଇଁ ଭାରତ ସରକାର ଘୋଷଣା କରିଥିଲେ। ରାଧାକୃଷ୍ଣନଙ୍କ ଆଦର୍ଶ ଓ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କୁ ‘ଜାତୀୟ ଗୁରୁ’ ଭାବରେ ଗ୍ରହଣ କରିଥିଲେ। ଯେତେବେଳେ ରାଧାକୃଷ୍ଣନ୍ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ଦର୍ଶନ ଶାସ୍ତ୍ର ପଢାଉଥିଲେ, ତାଙ୍କର ଅଗାଧ ପାଣ୍ଡିତ୍ୟରେ ପ୍ରୀତ ହୋଇ ବ୍ରିଟିଶ ପାର୍ଲିଆମେଣ୍ଟ ତାଙ୍କୁ ‘ସାର୍’ ଉପାଧି ଦ୍ୱାରା ଅଳଂକୃତ କରିଥିଲେ।

ପ୍ରାଚୀନ ଗୁରୁକୁଳର ଶିକ୍ଷା ପଦ୍ଧତି ସାଙ୍ଗକୁ ଏବେ ବଦଳି ଯାଇଛି ଗୁରୁଙ୍କ ସଂଜ୍ଞା, ତା’ ସହିତ ବଦଳିଛି ଗୁରୁ-ଶିଷ୍ୟ ଓ ଅଭିଭାବକଙ୍କ ମାନସିକତା। ପ୍ରାୟତଃ ଗୁରୁଙ୍କ ପାଖରୁ ସେବା, ନିଷ୍ଠା, ତ୍ୟାଗ ଓ ନୀତି ଆଦର୍ଶ ପରି ମହତ୍ ଗୁଣ ଯେପରି କ୍ରମଶଃ ଦୂରେଇ ଯାଉଛି। ବସ୍ତୁବାଦୀ ଦୁନିଆରେ ଶିକ୍ଷକ ବୃତ୍ତି ଆପଣେଇବା ପାଇଁ ମେଧାବୀ ଛାତ୍ରମାନେ ଆଗଭର ହେଉ ନାହାନ୍ତି। ସେହିପରି ଶିକ୍ଷକଙ୍କ ପାଖରେ ମେଧା, ଧୈର୍ଯ୍ୟ, ସଂଯମ, ଏକାଗ୍ରତା ଓ ସମ୍ମାନବୋଧର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି। ବର୍ତ୍ତମାନ ଶିକ୍ଷକତାକୁ ଏକ ପବିତ୍ର କାର୍ଯ୍ୟ ଓ ବ୍ରତ ବୋଲି ଭାବିବାକୁ ଅନେକ ମାନସିକ ସ୍ତରରେ ପ୍ରସ୍ତୁତ ନୁହନ୍ତି। ମୂଲ୍ୟବୋଧ ଶିକ୍ଷାର ଅଭାବ କାରଣରୁ ଗୁରୁ ନିଜେ ମଧ୍ୟ ସମ୍ମାନ ପାଇବାରୁ ବଞ୍ଚିତ। ନିଜ କାର୍ଯ୍ୟପାଇଁ କେବେ ଶିକ୍ଷକ ନିନ୍ଦିତ ହେଉଛନ୍ତି ତ କେବେ ଛାତ୍ରଛାତ୍ରୀ। ମେଧାବୀମାନେ ଶିକ୍ଷାଦାନ ଭଳି ପବିତ୍ର ବୃତ୍ତିକୁ ବାଛିନେବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଫଳରେ ଶିକ୍ଷା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବାରେ ଲାଗିଛି। ସଦ୍ୟ ପ୍ରକାଶିତ ଏକ ସମ୍ବାଦରୁ ଜାଣିବାକୁ ମିଳେ ଯେ ଜଣେ ଅବସରପ୍ରାପ୍ତ ଶିକ୍ଷକ ତା’ର ଅବସରକାଳୀନ ଭତ୍ତା ଓ ପେନ୍‌ସନ୍ ନ ପାଇ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି। ଏହା ଏକ ଲଜ୍ଜାକର ବିଷୟ।

ଦୀର୍ଘବର୍ଷ ଧରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ପଦପଦବୀକୁ ଖାଲି ରଖିବା ଏବଂ ଯେ କୌଣସି ଉପାୟରେ ଶିକ୍ଷାଦାନ ସମାପନ କରି ପରୀକ୍ଷା କରାଇନେବା ଏକ ନିତିଦିନିଆ କାର୍ଯ୍ୟକ୍ରମ ହୋଇ ସାରିଲାଣି। କୁଳପତି ମନୋନୟନରେ ରାଜନୈତିକ ଚାପ ଓ ଦୁର୍ନୀତିର ଗନ୍ଧ ବାରି ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ଏହା ଫଳରେ ଶିକ୍ଷାଦାନର ମାନ ରସାତଳକୁ ଯିବାରେ ଲାଗିଛି। ଯଦି ଏହି ବ୍ୟବସ୍ଥାର ପରିବର୍ତ୍ତନ ନହୁଏ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେବା ଅବଶ୍ୟମ୍ଭାବୀ। ଏହି ନୈରାଶ୍ୟ ଅବସ୍ଥାରୁ ବର୍ତ୍ତିବାକୁ ହେଲେ ଆମେ ଭାରତୀୟ ନାଗରିକ ଗୁରୁଦିବସର ମହତ୍ତ୍ବ ଓ ଉଦ୍ଦେଶ୍ୟକୁ ଫଳବତୀ କରିବାକୁ ପଡ଼ିବ। ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍, ରାଜନେତା ଓ ରାଜ୍ୟମୁଖ୍ୟ ସେମାନଙ୍କ ନିଷ୍ଠା ଓ ସାଧନା ଦ୍ୱାରା ଗୁରୁଙ୍କ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ପାଇବା ଅବଶ୍ୟମ୍ଭାବୀ। ଏହା ହିଁ ହେଉ ‘ଗୁରୁଦିବସ’ର ଅନୁଚିନ୍ତା।

ପୀତାମ୍ବର ପାଢ଼ୀ (ପୂର୍ବତନ ପ୍ରଫେସର) ପାଠାଗାର ଓ ସୂଚନା ବିଜ୍ଞାନ, ବାଣୀବିହାର, ଭୁବନେଶ୍ବର

Comments
Loading...