୧୩ରେ ୮ ହଜାର ସ୍କୁଲରେ ଶିକ୍ଷକ-ଅଭିଭାବକ-ଛାତ୍ରଛାତ୍ରୀ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ସୂଚାରୁ ରୂପେ ପରିଚାଳନା କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ଆସନ୍ତା ୧୩ (ଶନିବାର)ରେ ଅନୁଷ୍ଠିତ ହେବ। ବିଭାଗ ଅଧୀନରେ ଥିବା ସମସ୍ତ ୮ ହଜାର ଉଚ୍ଚ ବିଦ୍ୟାଳୟରେ ଏହି ବୈଠକ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ), ସମସ୍ତ ଜିଲା ପ୍ରକଳ୍ପ ସଂଯୋଜକ,ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଅବଗତ କରାଯାଇଛି। ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ରସିଂହ ପୁନିଆ ଚିଠି ଲେଖି ଅବଗତ କରିଛନ୍ତି।

ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଦିନର ଏକାଡେମିକ୍ ଯୋଜନାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। କେବଳ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ୧୩ ଫେବୃଆରୀରେ ଅଭିଭାବକଙ୍କ ବୈଠକ ସ୍କୁଲ ପରିସରରେ ହେବ। ଏଥିରେ ବିଦ୍ୟାର୍ଥୀଙ୍କ ସହ ପିତାମାତା ମଧ୍ୟ ଯୋଗଦେବେ। ଅତି ବେଶିରେ ଦୁଇ ଘଣ୍ଟା ଧରି ବୈଠକ ହେବ। ବୈଠକର ୭ ଦିନ ପୂର୍ବରୁ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଅବଗତ କରିବେ। ବୈଠକରେ ଅଭିଭାବକଙ୍କ ସଂଖ୍ୟା ଶହେରୁ ଅଧିକ ହେଲେ ଦୁଇଟି ପର୍ୟ୍ୟାୟରେ ବୈଠକ କରାଯିବ। ବୈଠକରେ ମୁଖ୍ୟତଃ ବିଦ୍ୟାଳୟରେ ଶହେ ଦିନର ଏକାଡେମିକ୍ ଯୋଜନା, କୋଭିଡ୍‌-୧୯ ଉପରେ ସୁରକ୍ଷା ସତର୍କତା, ସ୍କୁଲ ଖୋଲିବା ଉପରେ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରଣାଳୀ (ଏସ୍‌ଓପି), ଛାତ୍ରଛାତ୍ରୀଙ୍କ ସାମାଜିକ-ଭାବପ୍ରବଣତା, ପରୀକ୍ଷା ଦର୍ପଣ ଉପରେ ଆଲୋଚନା କରାଯିବ।

Comments are closed.