ପିସି ମାଗି ହରଡ଼ଘଣାରେ ପ୍ରଧାନ ଶିକ୍ଷୟିତ୍ରୀ 

ନବରଙ୍ଗପୁର: ପର୍ସେଣ୍ଟେଜ୍‌ ମାଗି ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଏବେ ହରଡ଼ ଘଣାରେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ।

ନବରଙ୍ଗପୁର ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପିସି କାରବାରର ପର୍ଦାଫାସ ହୋଇଛି। ଦୋକାନ ମାଲିକଙ୍କୁ ପର୍ସେଣ୍ଟେଜ୍‌ ବାବଦ ଟଙ୍କା ପ୍ରଧାନ ଶିକ୍ଷୟିତ୍ରୀ ମାଗୁଥିବା ସମୟର ଭିଡିଓ ଭାଇରାଲ ହୋଇଛି। ଭିଡ଼ିଓରେ ଶିକ୍ଷୟିତ୍ରୀଜଣକ ଖୁଲମଖୁଲା କିଭଳି ନିଜ ପାଇଁ ଏବଂ ଅଫିସ କର୍ମଚାରୀଙ୍କ ପାଇଁ ପନ୍ଦର ହଜାର ଟଙ୍କା ପିସି ମାଗୁଛନ୍ତି ତାହା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟମାନଙ୍କରେ ପିସି କାରବରକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରୁଥିବା କହୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଦୋକାନକୁ ଯାଇ ବ୍ୟବସାୟୀଙ୍କୁ ୧୫ ପ୍ରତିଶତ ହିସାବରେ ୧୫ ହଜାର ଟଙ୍କା ଦେଲେ ଯାଇ ବ୍ୟବସାୟୀଙ୍କ ୧ ଲକ୍ଷ ୮ ହଜାର ଟଙ୍କା ବକେୟା ରାଶିର ଚେକ ପ୍ରଦାନ କରିବେ ବୋଲି କହୁଛନ୍ତି, ଯାହା ସବୁ ରେକର୍ଡ ହୋଇଛି ମୋବାଇଲ କ୍ୟାମେରା ଲେନ୍ସରେ। ଶିକ୍ଷୟିତ୍ରୀ ଜଣକ ମାଗୁଥିବା ୧୫ ହଜାର ଟଙ୍କାରେ ଅଫିସ ଷ୍ଟାଫ ସହ ଅଡିଟ ଓ ନିଜର ଖର୍ଚ୍ଚ ରହିଛି ବୋଲି କହୁଥିବା ଦେଖିବାକୁ ମିଳିଛି। ୧୫ ହଜାର ଟଙ୍କା ନ ଦେଲେ ଚେକ ଦେବେନାହିଁ ବୋଲି ସେ କହୁଛନ୍ତି।

ସୂଚନା ମୁତାବକ, ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁନିଗୁଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ହଳ ସ୍କୁଲ ୟୁନିଫର୍ମ, ଦୁଇଟି ମୋଜା ଓ ଗୋଟିଏ ହଳ ସ୍କୁଲ ବୁଟ ଏହିଭଳି ସମୁଦାୟ ୧ ଲକ୍ଷ ୮ ହଜାର ଟଙ୍କାର ଜିନିଷ ଡାବୁଗାଁ ସ୍ଥିତ ଗୋୟେଲ ଫୁଟ ୱେଆର ଆଣ୍ଡ ହୋମ ନୀଡ୍ସ ଦୋକାନରୁ ଡୁମୁନିଗୁଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କମିଟି ସଦସ୍ୟମାନେ ନେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଇ.ସରୋଜିନୀଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ କମିଟି ସଦସ୍ୟମାନେ ଦୋକାନରୁ ନେଇଥିଲେ। ସ୍କୁଲକୁ ଡ୍ରେସ ଯୋଗାଇ ଦେଇଥିବା ଦୋକାନ ମାଲିକ ଗୋବିନ୍ଦ ଗୋପାଳ ଅଗ୍ରୱାଲ ବକେୟା ଟଙ୍କା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ କଲେ ଟଙ୍କା ପ୍ରଦାନ ନକରି ତାଙ୍କୁ ବିଭିନ୍ନ ଆଳ ଦେଖାଇ ବିଳମ୍ବ କରୁଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଟଙ୍କା ନ ଦେବାରୁ ଦୋକାନୀ ସ୍କୁଲ କମିଟି ସଦସ୍ୟମାନଙ୍କୁ ବକେୟା ଟଙ୍କା ଦେବା ପାଇଁ କହିଥିଲେ। କମିଟି ସଭ୍ୟମାନେ ଏହି ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏକଥା ମୁଁ ବୁଝିଵି ବୋଲି କହି ଏହିଭଳି ଦେଢ଼ ମାସ ଚୁପ ରହିଲା ପରେ ଶିକ୍ଷୟିତ୍ରୀ ମାଡାମ ନିଜେ ଡ୍ରେସ ଯୋଗାଇ ଦେଇଥିବା ଦୋକାନକୁ ଯାଇ ଦୋକାନ ମାଲିକଙ୍କୁ ପିସି ବାବଦକୁ ୧୫ ହଜାର ଟଙ୍କା ଦେଲେ ୧ ଲକ୍ଷ ୮ ହଜାର ଟଙ୍କାର ଚେକ ଦେବେ ବୋଲି କହିଥିଲେ।

ଏହି ଲାଞ୍ଚ କାରବାର ଭିଡିଓର ସତ୍ୟତା ବିଷୟରେ ଦୋକାନ ମାଲିକ ଗୋବିନ୍ଦ ଗୋପାଳ ଅଗ୍ରୱାଲଙ୍କୁ ପଚାରିବାରୁ ସେ ଘଟଣାଟି ସମ୍ପୂର୍ଣ ସତ୍ୟ ବୋଲି ସ୍ୱୀକାର କରିଛନ୍ତି ଏବଂ ସେ ଭିଡ଼ିଓ ସେ ନିଜେ ରେକର୍ଡ କରିଥିବା କହିଛନ୍ତି। ଏଥି ସହ ଡୁମୁନିଗୁଡା ବିଦ୍ୟାଳୟ କମିଟି ସଭ୍ୟଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ୧୫ ହଜାର ଟଙ୍କା ପିସି ମାଗିବା ଘଟଣାଟି ସତ୍ୟ ବୋଲି କହିଛନ୍ତି। ଦୋକାନ ମାଲିକ ଏ ସମ୍ବନ୍ଧରେ ଏବିଇଓଙ୍କୁ ଜଣାଇବା ପରେ ସେ ତଦନ୍ତ ନ କରି ତମ ପାଖରେ ଟଙ୍କା ମାଗିବାର ପ୍ରମାଣ ଅଛିକି ବୋଲି ଘଟଣାକୁ ଚପାଇ ଦେବାପାଇଁ ମଧ୍ୟ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି ଏ ସମ୍ପର୍କରେ ଆମେ ଡାବୁଗାଁ ବ୍ଲକ ବିଇଓ ପ୍ରଶାନ୍ତ କୁମାର ହୋତାଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ଘଟଣା ବିଷୟରେ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ତେବେ ସମ୍ପୂର୍ଣ୍ଣ ବିଷୟରେ ପଧାନ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି ଘଟଣାକୁ ନେଇ ସ୍କୁଲ କମିଟି ସଦସ୍ୟ ଏବଂ ଦୋକାନୀଜଣକ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Comments are closed.