ସ୍କୁଲକୁ ଫେରିବୁନି, ଆନ୍ଦୋଳନ ଜାରି ରହିବ : ମିଳିତମଞ୍ଚ

0

ଭୁବନେଶ୍ୱର : ଓଡ଼ିଶା ସ୍କୁଲ୍‍ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଡାକରାରେ ଅହୋରାତ୍ର ଗଣଧାରଣା ଆଜକୁ ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ସରକାରଙ୍କର ଉଦାସୀନତା ମନୋଭାବ ଶିକ୍ଷକ ଅଧ୍ୟାପକଙ୍କୁ ମର୍ମାହତ କରିଛି।
ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବିବୃତ୍ତି କଟା ଘା’ରେ ଚୂନ ସଦୃଶ ହୋଇଥିବାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍କୁଲକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ମଞ୍ଚର ଶିକ୍ଷକ ନେତାମାନେ କହିଛନ୍ତି।
ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ୨୪ ବର୍ଷ ଧରି ଶିକ୍ଷକ ଅଧ୍ୟାପକମାନେ ସେହି ଗୋଟିଏ ଦାବି ରଖିଛନ୍ତି, ଯିଏ ଯେଉଁ ଦିନଠାରୁ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହେଲେ ସେହିଦିନ ଠାରୁ ତାକୁୁ ପୂର୍ଣ୍ଣଅନୁଦାନ ଦେବା ସହିତ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଯାହା ଚାକିରି ସର୍ତ୍ତାବଳୀ ଲାଗୁ କରାଯାଉ। ଏଥିରେ କେଉଁଠି ବୁଝିବାରେ ଅସୁବିଧା ରହିଲା ଯେ, ଏମାନଙ୍କର ଦାବି ବାରମ୍ବାର ବଦଳୁଛି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ଦେଉଛନ୍ତି।
ଓଡ଼ିଶାର ଶିକ୍ଷକ ଓ ଅଧ୍ୟାପକ ସେମାନଙ୍କ ପ୍ରାପ୍ୟ ପାଇଁ ରାଜରାସ୍ତାକୁ ଆସିବାକୁ ପଡୁଛି ଓ ମୁକ୍ତାକାଶ ତଳେ ଦିବାରାତ୍ର ବିତାଇବାକୁ ବାଧ୍ୟ କରିଛି। ଜନପ୍ରତିନିଧି ବିଧାୟକମାନେ ନିଜର ସୁବିଧା ପାଇଁ ନିର୍ବାଚିତ ହେବା ମାତ୍ରେ ପେନ୍‍ସନ୍‍ ପାଇବା ପାଇଁ ହକ୍‍ଦାର ହୁଅନ୍ତି, ମାତ୍ର ୨୫ ରୁ ୩୦ ବର୍ଷ ଧରି ଶିକ୍ଷକତାକୁ ବ୍ରତ ଭାବେ ଗ୍ରହଣ କରିଥିବା ଶିକ୍ଷକଙ୍କ ପାଇଁ ଉପଯୁକ୍ତ ଦରମା ନାହିଁ କି ପେନ୍‍ସନ୍‍ର ବ୍ୟବସ୍ଥା ନାହିଁ ବୋଲି ମିଳିତମଞ୍ଚ ସମାଲୋଚନା କରିଛି। ସେମାନଙ୍କ ପିଲାମାନେ ଏହି ଧରଣର ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ପଢ଼ନ୍ତି ନାହିଁ। ଫଳତଃ ଏଠାରେ ପାଠପଢ଼ା ହେଲେ କେତେ ନ ହେଲେ କେତେ ସେଥିପ୍ରତି ଏମାନଙ୍କର ସାମାନ୍ୟତମ ନିଘା ନାହିଁ ବୋଲି ମିଳିତମଞ୍ଚ ଅଭିଯୋଗ କରିଛି।

Leave A Reply