ଇଂଜିନିୟର ହେଲେ ଶିକ୍ଷକ

କରୋନା ମହାମାରୀ କାରଣରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ବର୍ତ୍ତମାନ ଅନ୍-ଲାଇନ୍‌ରେ ପାଠପଢ଼ା ଚାଲିଛି। ଭାରତର ମହାନଗରୀଗୁଡ଼ିକରେ ଛାତ୍ରଛାତ୍ରୀ ଏଇ ଜରିଆରେ ପାଠ ପଢ଼ୁଥିବାବେଳେ ଗ୍ରାମାଞ୍ଚଳର ସ୍ଥିତି ଭିନ୍ନ। କେଉଁଠାରେ ନେଟୱାର୍କ ନାହିଁ ତ’ ଅନ୍ୟ ସ୍ଥାନରେ ଗରିବ ବାପା, ମା’ ପିଲା ପାଇଁ ସ୍ମାର୍ଟଫୋନ୍‌ଟିଏ କିଣିପାରୁନାହାନ୍ତି। ଏହି ବର୍ଗର ପିଲାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ତାମିଲନାଡ଼ୁର ୪ ଯୁବ ଇଂଜିନିୟର ବନ୍ଧୁ। ଏହି ୪ଜଣ ହେଲେ ବିଘ୍ନେଶ, ଅରବିନ୍ଦ, ଭବାନୀ ଶଙ୍କର ଓ ସାର୍‌ଥସ। ତାମିଲନାଡୁର ପୁଡୁକୋଟ୍ଟାଇ ଜିଲା ଅନ୍ତର୍ଗତ ଏକ ଅଧ୍ୟୁଷିତ ଗ୍ରାମରେ ପାଖାପାଖି ୧,୫୦୦ ପରିବାର ବସବାସ କରନ୍ତି। ଲକ୍-ଡାଉନ୍ ଘୋଷଣା ପରେ ସେଠା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏକରକମ ପୂର୍ଣ୍ଣଚ୍ଛଦ ପଡ଼ିଥିଲା। କାରଣ ସେମାନଙ୍କ ପାଖରେ ଅନ୍-ଲାଇନ୍ ପାଠ ପଢ଼ିବା ନିମନ୍ତେ କୌଣସି ସୁବିଧା ନଥିଲା। ଲକ୍-ଡାଉନ୍ ପୂର୍ବରୁ ଗ୍ରାମ ପାଖରେ ଚାଲୁଥିବା କୌଣସି କାମ ପାଇଁ ଯୁବ ଇଂଜିନିୟରମାନେ ଆସିଥିଲେ। ମହାମାରୀ କାରଣରୁ ସେମାନେ ମଧ୍ୟ ନିଜ ଘରକୁ ଫେରି ନପାରି ସେଇଠାରେ ରହିଥିଲେ। ଗାଁ ଲୋକଙ୍କ ସହ ମିଳାମିଶା କରି ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଅସୁବିଧା ଜାଣିପାରି ସେମାନଙ୍କୁ ସାହାଯ୍ୟ କରିବାକୁ ୪ ଇଂଜିନିୟର ଆଗେଇ ଆସିଲେ। ଜୁଲାଇରେ ସେଠା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବହି ପତ୍ର ମଧ୍ୟ ଯୋଗାଇଲା। ଇଂଜିନିୟରମାନେ ପ୍ରଥମେ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ। ପରେ ସେମାନେ ଦିନ ନିର୍ଦ୍ଧାରଣ କରି ଷଷ୍ଠ-ଦଶମ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଖୋଲା ଆକାଶ ତଳେ ଶ୍ରେଣୀ ଗୃହ ଆରମ୍ଭ ହେବା ସହ ଗାଁ ପିଲାଏ ମଧ୍ୟ ଖୁବ୍ ଆଗ୍ରହରେ ପାଠ ପଢ଼ୁଥିବାର ସ୍ଥାନୀୟ ଲୋକ କହିଛନ୍ତି। ଲକ୍-ଡାଉନ୍ ସମୟରେ ଏହି ୪ ଯୁବ ଇଂଜିନିୟର ସେମାନଙ୍କ ଗାଁକୁ ଦେବଦୂତ ସାଜି ଆସିଛନ୍ତି ବୋଲି ସେଠା ଲୋକଙ୍କ ମତ।

Comments are closed.