ଭିନ୍ନ ରୂପର ଚା’ ନୁନ୍ ଚା’

ଚା’ କିମ୍ବା କଫି ପାନୀୟ ଅଧିକ ପରିମାଣରେ ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦିନକୁ ଥରେ କିମ୍ବା ଦୁଇଥର ଚା ପିଇପାରନ୍ତି। ବଜାରରେ ବିଭିନ୍ନ ସ୍ବାଦର ଚା’ ମିଳୁଛି। ତନ୍ମଧ୍ୟରୁ ଅନ୍ୟତମ ହେଲା, ‘ନୁନ୍ ଚା’। କାଶ୍ମୀର ଘାଟି ଅଞ୍ଚଳରେ ଏଇ ବିଶେଷ ସ୍ବାଦ ତଥା ରୂପର ଚା’ର ଲୋକପ୍ରିୟତା ସର୍ବାଧିକ। ତୁର୍କୀରୁ ଏହି ଚା’ର ଉତ୍ପତ୍ତି ହୋଇଥିବାର ଅନୁମାନ କରାଯାଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବାବଦରେ ସ୍ପଷ୍ଟ ହୋଇନାହିଁ। ଲୁଣ, ଖିର ଓ କ୍ରିମ୍‌ର ଉପଯୋଗରେ ପ୍ରସ୍ତୁତ ଏହି ନୁନ୍ ଚା’ ଶୀତଦିନେ ସ୍ଥାନୀୟ କାଶ୍ମୀର ଲୋକେ ଅଧିକ ପିଉଥିବାର ଦେଖାଯାଏ। ଦ୍ବିପହର ଭୋଜନ ପରେପରେ ଏହି ଚା’ ପିଆଯାଉଥିବାରୁ ଏହାର ନାମକରଣ ‘ନୁ୍ନ୍ ଚା’ ହୋଇଥିବାର ଜଣାପଡ଼ିଛି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତରେ ନୁନ୍ ଚା’ ପିଇଲେ ତାହା ଶରୀରକୁ ଉଷ୍ଣତା ପ୍ରଦାନ କରେ। ଏଥିରେ ମହଜୁଦ୍ ଥିବା ସୋଡା ପାଚନତନ୍ତ୍ରକୁ ଉତ୍ତମ କରିବା ସହ ଅମ୍ଳ କମ୍ କରିବାରେ ସହାୟକ ହୋଇଥାଏ। ମାନସିକ ଚାପକୁ ମଧ୍ୟ ଅନେକାଂଶରେ ନିୟନ୍ତ୍ରଣ କରିପାରୁଥିବା ନୁନ୍ ଚା କାଶ୍ମୀର ଘାଟି ଅଞ୍ଚଳରେ ଚାଷ କରାଯାଇଥାଏ। ନୁନ୍‌ ଚା’ର ଫୁଲକୁ ଶୁଖାଇ ଚା’ ପତି ତିଆରି ହୁଏ। କାଶ୍ମୀର ଲୋକଙ୍କ କହିବାନୁସାରେ, ଏହାର ପ୍ରସ୍ତୁତି ମଧ୍ୟ ଭିନ୍ନ ଭାବେ ହୁଏ। ପାଣିକୁ ଅଳ୍ପ ଫୁଟାଇ ପ୍ରଥମେ ସୋଡା ମିଶାଯାଏ। ଚା’ର ରଙ୍ଗ ଏଇ ସମୟରେ ଲାଲ ହୋଇଯାଇଥାଏ, ଏଥିରେ ଖିର ମିଶାଯିବା ପରେ ଚା’ର ରଙ୍ଗ ସୁନ୍ଦର ଗୋଲାପୀ ରଙ୍ଗରେ ପରିବର୍ତ୍ତନ ହୋଇଥାଏ। ପରେ ନୁନ୍ ପତି ଓ ଚିନି ମିଶାଇ ୨-୩ ମିନିଟ୍ ଫୁଟାଇଲେ ପରେ ଚା’ ପ୍ରସ୍ତୁତ। ଗୋଲାପୀ ରଙ୍ଗର ଏଇ ଚା’କୁ କାଶ୍ମୀର ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ପିଇବାକୁ ପସନ୍ଦ କରିଥାନ୍ତି। କାଶ୍ମୀର ଲୋକଙ୍କ ମତରେ ନୁନ୍ ଚା’ ରଙ୍ଗ ଦେଖିଲେ ହିଁ ମାନସିକ ଶାନ୍ତି ମିଳେ।

Comments are closed.