ଲୋକସଭାରେ ଉପସ୍ଥାପିତ ହେଲା ଟିକସ ନିୟମ ସଂଶୋଧନ ବିଲ୍‍ ୨୦୧୯

ନୂଆଦିଲ୍ଲୀ : ଟିକସ ନିୟମ ସଂଶୋଧନ ବିଲ୍‍ ୨୦୧୯ ସୋମବାର ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଟିକସ ନିୟମ ସଂଶୋଧନ ବିଲ୍‍ ୨୦୧୯କୁ  ଲୋକସଭାରେ ଉପସ୍ଥାପନ କରିଛନ୍ତି। ଏହି ବିଲ୍‍ ଦେଶୀୟ କମ୍ପାନୀଗୁଡ଼ିକୁ ଶତକଡ଼ା ୨୨ଭାଗ ହାରର ଟିକସ ଦେବା ପାଇଁ ଏକ ନୂଆ ବିକଳ୍ପ ଯୋଗାଇବ। ଏଥିପାଇଁ ସେହି କମ୍ପାନୀମାନେ ଆୟକର ଆଇନ୍‍ ଅଧୀନରେ କିଛି ନିର୍ଦ୍ଦିଷ୍ଟ ରିହାତି ମାଗିବେ ନାହିଁ। ବର୍ତ୍ତମାନ ବାର୍ଷିକ ୪୦୦ କୋଟି ଟଙ୍କାର କାରବାର କରୁଥିବା ଦେଶୀୟ କମ୍ପାନୀମାନଙ୍କୁ ଶତକଡ଼ା ୨୫ ଭାଗ ଆୟକର ଦେବାକୁ ପଡ଼ୁଛି। ଅନ୍ୟ ଦେଶୀୟ କମ୍ପାନୀଗୁଡ଼ିକ ପାଇଁ ଟିକସ ହାର ଶତକଡ଼ା ୩୦ ଭାଗ ରହିଛି। ଏହି ନୂଆ ବିଲରେ ମଧ୍ୟ କଞ୍ଚାମାଲ୍‍ ଉତ୍ପାଦନ କରୁଥିବା ନୂଆ ଦେଶୀୟ କମ୍ପାନୀମାନଙ୍କୁ ଶତକଡ଼ା ୧୫ଭାଗ ଟିକସ ଦେବାର ବ୍ୟବସ୍ଥା ରହିଛି। ଏଥିପାଇଁ ସେମାନେ ଆୟକରରେ କିଛି ନିର୍ଦ୍ଦିଷ୍ଟ ରିହାତି ମାଗିବେ ନାହିଁ। ଆନ୍ତର୍ଜାତିକ ଆର୍ଥିକ ସେବା, କେନ୍ଦ୍ର କର୍ତ୍ତୃପକ୍ଷ ବିଲ୍‍ ୨୦୧୯, ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ସଂଶୋଧନ ବିଲ୍‍ ୨୦୧୯ ଓ ଜାହାଜଗୁଡ଼ିକର ଅବଶେଷର ପୁନବ୍ୟବହାର ବିଲ୍‍ ୨୦୧୯ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି।

Comments are closed.