ଅଜବ ଟିକସ

କେରଳରେ ଫ୍ୟାଟ୍‌ ଟିକସ
୨୦୧୬ରେ କେରଳ ସରକାର ପିଜା, ବର୍ଗର ଓ ମେଦ ବୃଦ୍ଧି କରୁଥିବା ଖାଦ୍ୟ ପଦାର୍ଥ ଉପରେ ୧୪.୫ ପ୍ରତିଶତ ଟିକସ ଲଗାଇଥିଲେ। ଏହାକୁ “ଫ୍ୟାଟ୍‍ ଟ୍ୟାକ୍ସ’ କୁହାଯାଉଥିଲା । ନାଗରକିଙ୍କ ସ୍ୱାସ୍ଥ୍ୟ ଚିନ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ଟିକସ ଲାଗୁ କରିଥିଲେ।

ଚୀନ୍‌ରେ ସିଗାରେଟ ନ ଟାଣିଲେ ଟିକସ
(ସିଗାରେଟ ଟାଣିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ) ବିଶ୍ୱର ଅଧିକାଂଶ ଦେଶର ସରକାର ସିଗାରେଟ ଉପରୁ ଅଧିକମାତ୍ରାରେ ଟିକସ ଆଦାୟ କରିଥା’ନ୍ତି। ତେବେ ୨୦୦୯ରେ ଚୀନ୍‍ରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେବାରୁ ସେଠାକାର ସରକାର କେନ୍ଦ୍ର ଚୀନ ପ୍ରାନ୍ତର କେତେକ ଅଞ୍ଚଳରେ ସିଗାରେଟ ବିକ୍ରି ବୃଦ୍ଧି କରିବା ପାଇଁ ଏହା ଉପରୁ କର ଛାଡ଼ କରିଦେଇଥିଲେ। ନିର୍ଦିଷ୍ଟ ସଂଖ୍ୟକ ସିଗାରେଟ ବିକ୍ରିପାଇଁ ସରକାର ଏକ କୋଟା ପ୍ରଚଳନ କରିଥିଲେ।

ବ୍ରିଟେନ, ରୁଷ୍‌ରେ ଦାଢ଼ି ରଖୁଥିବା ବ୍ୟକ୍ତି ଟିକସ ଦେଉଥିଲେ
୧୭୦୫ରେ ରୁଷ୍‍ ଶାସକ “ପିଟର ଦ ଗ୍ରେଟ’ ଦାଢି ରଖୁଥିବା ବ୍ୟକ୍ତିଙ୍କ ନିକଟରୁ ଟିକସ ଆଦାୟ କରୁ ଥିଲେ। ପଞ୍ଚଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ବ୍ରିଟେନରେ ଦାଢି ରଖୁଥିବା ବ୍ୟକ୍ତିଙ୍କଠାରୁ ମଧ୍ୟ ଟିକସ ଆଦାୟ କରାଯାଉଥିଲା। ଦାଢି ବାରଣ କରିବା ପାଇଁ ସେତେବେଳେ ଏପରି ଟିକସ ଆଦାୟ କରାଯାଉଥିବା କୁହାଯାଏ। ଏହା ବ୍ୟତୀତ ସାବୁନ୍‍ ଓ ପାଉଡର ଲଗାଉଥିବା ଲୋକେ ମଧ୍ୟ ସରକାରଙ୍କୁ ଟିକସ ଦେଉଥିଲେ। ସେହିପରି ଆମେରିକାରେ ଶରୀରରେ ଟାଟୁ କଲେ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ।

ଜର୍ମାନୀରେ ଲାଞ୍ଚ ଦେଲେ ଟିକସମୁକ୍ତ
୨୦୦୨ରେ ଜର୍ମାନୀରେ କିଛି ବିଶେଷ ଧରଣର ପରିସ୍ଥିତି ପାଇଁ ଟିକସରେ ରିଆତି ବ୍ୟବସ୍ଥା ଥିଲା । କେତେକ କ୍ଷେତ୍ରରେ ଲାଞ୍ଚ ଦେବା ବୈଧ ଥିଲା। ଏଥିରେ ଲାଞ୍ଚ ଦେଉଥିବା ଲୋକ ଓ ଲାଞ୍ଚ ନେଉଥିବା ଲୋକଙ୍କ ନାମ ସରକାରୀ କାଗଜପତ୍ରରେ ପଞ୍ଜିକୃତ କରାଯାଉଥିଲା। ଉଭୟେ ଯେପରି କୌଣସି ଅପରାଧିକ କାଣ୍ଡ ନ ଭିଆଇବେ ସେଥିପାଇଁ ସେମାନେ ଏକ ସତ୍ୟପାଠ ଦାଖଲ କରୁଥିଲେ। ଯିଏ ଲାଞ୍ଚ ଦେଉଥିଲା ସେ ଟିକସମୁକ୍ତ ହେଉଥିବାବେଳେ ଯିଏ ଲାଞ୍ଚ ଗ୍ରହଣ କରୁଥିଲା ସେ ସରକାରଙ୍କୁ ଟିକସ ଦେଉଥିଲା ।

ବ୍ରିଟେନରେ ଇଟା କାନ୍ଥ ଓ ଝରକା ରଖିଲେ ଟିକସ
୧୭୮୪ରେ ବ୍ରିଟେନରେ ଗୃହ ନିର୍ମାଣ ଉପରେ ଟିକସ ଜାରି କରାଯାଇଥିଲା । ଘର ନିର୍ମାଣରେ ଯିଏ ଯେତେ ଅଧିକ ସଂଖ୍ୟକ ଇଟା ବ୍ୟବହାର କରୁଥିଲା ସିଏ ସେତେ ଅଧିକ ଟିକସ ସରକାରଙ୍କୁ ଦେଉଥିଲା। ଯୁଦ୍ଧ ପରେ ତତ୍‍କାଳୀନ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିଥିଲା। ଏଥିରୁ ବର୍ତ୍ତିବା ପାଇଁ ସେତେବେଳର ସରକାର ଏପରି ନିୟମ ଲାଗୁ କରିଥିଲେ। ଲୋକମାନେ ଚାଲାକି କରି ମୋଟା ଓ ଓସାରିଆ ଇଟା ବ୍ୟବହାର କରିବାରେ ଲାଗିଲେ। ସରକାର ଏପରି ଚୋରି ଧରିବା ପରେ ଜୋରିମାନା ସହ ଅଧିକ ଟିକସ ଆଦାୟ କରିଥିଲେ।୧୬୯୬ରେ ଇଂଲଣ୍ଡରେ ଘରେ ଅଧିକ ଝରକା ଲଗାଇଲେ ଟିକସ ଆଦାୟ କରାଯାଉଥିଲା। ଯେଉଁ ବ୍ୟକ୍ତିର ଘରେ ଯେତେ ଅଧିକ ଝରକା ଥିଲା ସେ ସେତେ ଅଧିକ ଟିକସ ସରକାରଙ୍କୁ ଦେଉଥିଲା । ଫଳରେ ଲୋକମାନେ ଘରେ ଅଳ୍ପ ପରିମାଣରେ ଝରକା ଲଗାଇଲେ ଓ ରୋଗରେ ପଡ଼ିଲେ। ଏଣୁ ପରବର୍ତ୍ତୀ ସମୟରେ ଏହି ନିୟମକୁ ଉଠାଇ ଦିଆଯାଇଥିଲା ।

ୟୁରୋପରେ ଗାଈ ପାଳିଲେ ଟିକସ
ୟୁରୋପୀୟ ରାଷ୍ଟ୍ର ସଂଘରେ ଗାଈମାନଙ୍କ ଉପରୁ ଭିନ୍ନ ପ୍ରକାର ଟିକସ ଆଦାୟ କରିଥା’ନ୍ତି। ଯେଉଁମାନେ ଯେତେ ଅଧିକ ସଂଖ୍ୟକ ଗାଈ ରଖୁଥିଲେ ସେମାନେ ଅଧିକ ଟିକସ ସରକାରଙ୍କୁ ଦେଉଥିଲେ। ସେଠାକାର ସରକାରଙ୍କ ମତରେ ଗାଈ ରଖିବା ଯୋଗୁଁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇଥାଏ। ଏଥିପାଇଁ ପରିବେଶ ସନ୍ତୁଳନତା ହରାଇଥାଏ। ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଗାଈ ରଖିବା ଉପରେ ଟିକସ ଆଦାୟ କରିଥା’ନ୍ତି । ଡେନମାର୍କରେ ଗୋଟିଏ ଗାଈ ରଖିଲେ ବର୍ଷକୁ ପ୍ରାୟ ୭,୪୦୦ ଟଙ୍କା ଟିକସ ଦେବାକୁ ପଡ଼ିଥାଏ।

ସ୍ବିଡେନରେ ପିଲାର ନାମ ରଖିଲେ ଟିକସ
ସ୍ୱିଡେନର ନବ ଜାତକର ନାମ ତିନି ଜଣ ବ୍ୟକ୍ତି ସ୍ଥିର କରିଥା’ନ୍ତି। ସେମାନେ ହେଲେ ମାତା, ପିତା ଓ ଟିକସ ଆଦାୟ ଅଧିକାରୀ। କର ଆଦାୟକାରୀଙ୍କ ଅନୁମତି ନେଇ ପିତାମାତା ସେମାନଙ୍କ ପିଲାର ନାମକରଣ କରିଥା’ନ୍ତି। ଏହି ନିୟମ ଭାଙ୍ଗୁଥିବା ପିତାମାତାଙ୍କଠାରୁ ଅତି କମ୍‍ରେ ୫୦ ହଜାର ଟଙ୍କାର ଟିକସ ଆଦାୟ ହୋଇଥାଏ। କୌଣସି ରାଜପରିବାରର ନାମ ଯେପରି ସାଧାରଣ ଲୋକେ ରଖି ନ ପାରିବେ ସେଥିପାଇଁ ଏପରି ନିୟମ ସେଠାରେ ପ୍ରଚଳନ କରାଯାଇଛି।

Comments are closed.