ଗଞ୍ଜାମରେ ବିକଳ୍ପ ଜୀବନଜୀବିକା ମାଧ୍ୟମକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍‍ର ପ୍ରୋତ୍ସାହନ, ଚାଷୀଙ୍କୁ ଅତିରିକ୍ତ ଆୟ ଯୋଗାଇବ ଦୁଗ୍ଧ ଏଟିଏମ୍‍

ବ୍ରହ୍ମପୁର : ଲୋକମାନଙ୍କୁ ସବୁ ସମୟରେ ସତେଜ ଦୁଗ୍ଧ ଯୋଗାଇବା ଲକ୍ଷ୍ୟରେ ରଥଯାତ୍ରା ଅବସରରେ ବ୍ରହ୍ମପୁରଠାରେ ଏକ ୨୪ ଘଣ୍ଟିଆ ଦୁଗ୍ଧ ଏଟିଏମ୍‍ ଉଦ୍‍ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‍କେସିଜି) ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅବସ୍ଥିତ ଏହି ଦୁଗ୍ଧ ଏଟିଏମ୍‍ ଟାଟା ଷ୍ଟିଲ ଫାଉଣ୍ଡେସନ୍‍ (ଟିଏସ୍‍ଏଫ୍‍) ଓ ଗ୍ରେଟର ଗଞ୍ଜାମ ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଜିଜିଜିଏମ୍‍ୟୁ)ର ଏକ ମିଳିତ ପଦକ୍ଷେପ। ଏହି ଏଟିଏମ୍‍ରେ ଏକସଙ୍ଗେ ୫୦୦ ଲିଟର ଦୁଗ୍ଧ ରହିପାରିବ। ପାର୍ଲରରେ ବିକା ଯିବାକୁଥିବା ଦୁଗ୍ଧ ସ୍ଥାନୀୟ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯିବ। ଜିଲ୍ଲାରେ ଥିବା କୁପୋଷଣ ସମସ୍ୟାର ସମାଧାନ ଲକ୍ଷ୍ୟରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ଼ ଓ ଟାଟା ଟ୍ରଷ୍ଟର ସହଯୋଗରେ ଏହି ଦୁଗ୍ଧକୁ ନିୟମାନୁଯାୟୀ ଭିଟାମିନ୍‍ ଏ ଓ ଡି ଯୁକ୍ତ କରାଯାଇ ଜୀବାଣୁମୁକ୍ତ ମଧ୍ୟ କରାଯିବ।

ଏହି ଦୁଗ୍ଧ ଏଟିଏମ୍‍ର ଉଦ୍‍ଘାଟନ ସମୟରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍‍ ଶ୍ରୀ ବିଜୟ ଅମ୍ରୁତ କୁଲାଙ୍ଗେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଉପ-ଜିଲ୍ଲାପାଳ ଶ୍ରୀ ସିନେ୍ଧ ଦତ୍ତାତ୍ରେୟ ଭାଉସାହେବ ଓ ଏମ୍‍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡଃ ସନ୍ତୋଷ କୁମାର ମିଶ୍ର ଏବଂ ଟିଏସ୍‍ଏଫ୍‍ ଟିମ୍‍ର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀ ପଣ୍ଡା କହିଥିଲେ ଯେ, “ଏହା ବ୍ରହ୍ମପୁର ସହରକୁ ପ୍ଲାଷ୍ଟିକ୍‍ ମୁକ୍ତ କରିବା ଦିଗରେ ମଧ୍ୟ ସହାୟକ ହେବ, କାରଣ କ୍ଷୀର ପ୍ୟାକେଟ୍‍ ବହୁମାତ୍ରାରେ ଜୈବିକ ଉପାୟରେ ନଷ୍ଟ ହୋଇପାରୁନଥିବା ଭଳି ବର୍ଜ୍ୟ ସୃଷ୍ଟି କରିଥାଏ”। ଏହି ସ୍ୱତନ୍ତ୍ର ଉଦ୍ୟମକୁ ପ୍ରଶଂସା କରି ଶ୍ରୀ କୁଲାଙ୍ଗେ କହିଥିଲେ ଯେ, “ସ୍ଥାନୀୟ ଦୁଗ୍ଧ ଚାଷୀମାନଙ୍କର ରୋଜଗାରର ମାଧ୍ୟମ ବୃଦ୍ଧି କରିବା ଦିଗରେ ଜିଲ୍ଲା ପ୍ରଶାସନ ସହିତ ମିଶି ଟିଏସ୍‍ଏଫ୍‍ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏହା ଜିଲ୍ଲାର ସବୁଠାରୁ ପ୍ରତିଷ୍ଠିତ ହସ୍ପିଟାଲ ହୋଇଥିବାରୁ ଦୂରଦୂରାନ୍ତରୁ ବହୁ ଲୋକ ଏଠାରେ ଚିକିତ୍ସା ହେବାକୁ ଆସିଥାନ୍ତି। ତେଣୁ, ଏହି ଦୁଗ୍ଧ ପାର୍ଲର ଦ୍ୱାରା ହସ୍ପିଟାଲ କର୍ମଚାରୀଙ୍କ ବ୍ୟତୀତ ରୋଗୀ ଓ ସେମାନଙ୍କ ପରିଚାରକ ଲାଭାନ୍ୱିତ ହୋଇପାରିବେ। ବର୍ତ୍ତମାନର ଏକ କଠିନ ପରିସ୍ଥିତିରେ ଏହା ବହୁ ଲୋକମାନଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହେବ”।

Comments are closed.