ଭିଭୋ ସ୍ଥାନରେ ଟାଟା ଆଇପିଏଲ୍‌ର ପ୍ରାୟୋଜକ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ଆସନ୍ତା ୨ଟି ସଂସ୍କରଣ ପାଇଁ ନୂଆ ଶୀର୍ଷକ ବା ଟାଇଟଲ ପ୍ରାୟୋଜକ ପାଇଛି। ୨୦୨୨ ଓ ୨୦୨୩ ଆଇପିଏଲ୍‌ ସଂସ୍କରଣ ପାଇଁ ଟାଟା ଗ୍ରୁପ୍‌ ଶୀର୍ଷକ ପ୍ରାୟୋଜକ ହୋଇଛି ବୋଲି ଘୋଷଣା କରାଯାଇଛି। ଆହୁରି ୨ଟି ସଂସ୍କରଣ ଲାଗି ଚୁକ୍ତି ବାକିଥିବା ସତ୍ତ୍ବେ ଚୀନ୍‌ର ମୋବାଇଲ୍‌ ଫୋନ୍‌ ନିର୍ମାତା କମ୍ପାନୀ ଭିଭୋ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜନରୁ ଓହରିଯାଇଛି। ଫଳରେ ଭିଭୋ ସ୍ଥାନରେ ଟାଟାକୁ ଆଇପିଏଲ୍‌ର ଶୀର୍ଷକ ପ୍ରାୟୋଜକ ହେବା ପାଇଁ ବିସିସିଆଇ ୨ ବର୍ଷ ଲାଗି ଚୁକ୍ତି କରିଛି। ଆଗାମୀ ୨ ବର୍ଷ ଲାଗି ଏହି ଟି୨୦ ଲିଗ୍‌କୁ ଟାଟା ଆଇପିଏଲ୍‌ ବୋଲି କୁହାଯିବ।
ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ଭିଭୋ ସ୍ଥାନରେ ଟାଟାକୁ ଶୀର୍ଷକ ପ୍ରାୟୋଜକ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ୨୦୧୭ରେ ୫ ବର୍ଷ ଲାଗି ଆଇପିଏଲ୍‌ର ଶୀର୍ଷକ ପ୍ରାୟୋଜକ ହେବା ପାଇଁ ବିସିସିଆଇ ସହ ଭିଭୋ ୨୧୯୯ କୋଟି ଟଙ୍କାରେ ଚୁକ୍ତି କରିଥିଲା। ଏହି ଚୁକ୍ତି ଅନୁସାରେ ଭିଭୋ ବାର୍ଷିକ ୪୮୪ କୋଟି ଟଙ୍କା ଦେବାର ଥିଲା। ହେଲେ ଭାରତରେ ଚୀନ୍‌ର ଉତ୍ପାଦକୁ ବିରୋଧ କରାଯିବାରୁ ୨୦୨୦ରେ ଗୋଟିଏ ବର୍ଷ ପାଇଁ ଭିଭୋ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜନରୁ ଓହରି ଯାଇଥିଲା। ହେଲେ ୨୦୨୧ରେ ଏହା ପୁଣି ଆଇପିଏଲ୍‌ର ଶୀର୍ଷକ ପ୍ରାୟୋଜକ ଭାବେ ଫେରିଥିଲା। ତେବେ ୨୦୨୨ ଓ ୨୦୨୩ ସଂସ୍କରଣରେ ଆଉ ୨ଟି ନୂଆ ଦଳ ସାମିଲ ହୋଇଥିବାରୁ ଆସନ୍ତା ୨ ବର୍ଷ ଲାଗି ଏହା ୪୪୦ କୋଟି ବଦଳରେ ୪୮୪ କୋଟି ଓ ୫୧୨ କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଉ ୨ ବର୍ଷ ବାକିଥିବା ବେଳେ ଭିଭୋ ପ୍ରାୟୋଜନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଏଣେ ଟାଟା ଗ୍ରୁପ୍‌ ଆସନ୍ତା ୨ଟି ସଂସ୍କରଣ ଲାଗି ବାର୍ଷିକ ୩୩୫ କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ବୋଲି ଶୁଣିବାକୁ ମିଳିଛି। ପୁଣି ଚୁକ୍ତିରୁ ଓହରି ଯାଇଥିବାରୁ ବିସିସିଆଇକୁ ଭିଭୋ ୪୫୪ କୋଟି ଟଙ୍କା ଦେବାକୁ ପଡ଼ିବ। ଫଳରେ ବିସିସିଆଇ ଏହି ୨ ବର୍ଷରେ ୧୧୨୪ ଟଙ୍କା ଆୟକରିବ। ଫଳରେ ଏହା ଆଶା ରଖିଥିବା ୯୯୬ କୋଟି ଅପେକ୍ଷା ୧୨୮ କୋଟି ଟଙ୍କା ଅଧିକ ଆୟକରିବ। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ବର୍ତ୍ତମାନ ୨ ବର୍ଷ ଲାଗି ଆଇପିଏଲ୍‌ର ଶୀର୍ଷକ ପ୍ରାୟୋଜକ ହେବାକୁ ଟାଟା ରାଜି ହୋଇଥିବା ବେଳେ ଏହା ୫ ବର୍ଷ ଲାଗି ପ୍ରାୟୋଜକ ହେବାକୁ ଚାହୁଁଛି। ୨୦୨୪ରୁ ୨୦୨୮ ଆଇପିଏଲ୍‌ର ଶୀର୍ଷକ ପ୍ରାୟୋଜକ ହେବା ପାଇଁ ବିସିିସିଆଇ ସାନି ଟେଣ୍ଡର ଆହ୍ବାନ କରିବ। ସେତେବେଳେ ସର୍ବାଧିକ ଅର୍ଥ ପ୍ରଦାନ କରିବାକୁ ଦାବି ଉପସ୍ଥାପନ କଲେ ହିଁ ଟାଟାକୁ ଆଉ ୫ ବର୍ଷ ଲାଗି ଶୀର୍ଷକ ପ୍ରାୟୋଜକ ହେବାର ଅଧିକାର ମିଳିବ।

Comments are closed.