ତପସ୍ବିନୀ ମାମଲାରେ ଅଦାଲତ ରାୟ ; ୭ ଦିନ ଭଡ଼ା ଘରେ ରହିବେ ଦମ୍ପତି

ଭେଟି ପାରିବେନି ପରିବାର ସଦସ୍ୟ

ବ୍ରହ୍ମପୁର : ନ୍ୟାୟ ପାଇଁ ନିଜ ଶ୍ବଶୂର ଘର ସମ୍ମୁଖରେ ଆଜକୁ ୧୧ ଦିନ ହେବ ଧାରଣା ଦେଇଥିବା ତପସ୍ବିନୀଙ୍କ ମାମଲାର ଶୁଣାଣି କରୁଥିବା ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ ଗୁରୁବାର ରାତି ସାଢେ ୯ଟା ବେଳେ ନିଜ ରାୟ ପ୍ରକାଶ କରିଛନ୍ତି। ତପସ୍ବିନୀଙ୍କ ସ୍ବାମୀ ଡା. ସୁମିତ ସାହୁ ଚାକିରି କରୁଥିବା ଅଞ୍ଚଳରେ ଏକ ଭଡା ଘରେ ଉଭୟ ସ୍ବାମୀ-ସ୍ତ୍ରୀ ୭ ଦିନ ଯାଏଁ ମିଳିତ ଭାବେ ରହିବେ। ପୁଲିସ ଓ ସୁରକ୍ଷା ଅଧିକାରୀ ସମସ୍ତ ବ୍ୟବସ୍ଥା କରିବେ। ଏହି ୭ ଦିନ ଭିତରେ ଉଭୟ ପରିବାରର ଅନ୍ୟ କୌଣସି ସଦସ୍ୟ ସାକ୍ଷାତ କରିପାରିବେ ନାହିଁ ବୋଲି ଅଦାଲତ ରାୟ ଦେଇଥିବା ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।
ପତ୍ନୀର ମାନ୍ୟତା ସହ ଶ୍ବଶୂର ଘରେ ରହିବା ଦାବିରେ ଛତ୍ରପୁର ଅଞ୍ଚଳର ଉଚ୍ଚଶିକ୍ଷିତା ମହିଳା ତପସ୍ବିନୀ ଦାଶ ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଗଳିସ୍ଥିତ ନିଜ ଶ୍ବଶୂର ଘର ସମ୍ମୁଖରେ ଆଜକୁ ୧୧ ଦିନ ହେବ ଧାରଣା ଦେଇଥିଲେ। ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ସେ ରାସ୍ତା ଉପରେ ଧାରଣା ଦେବା ସହ ରାତିରେ ମଧ୍ୟ ସେଠାରେ ଶୋଇ ରହୁଥିଲେ ା ଏପଟେ ନିଜ ଶ୍ବଶୂର ଘର ଭିତରେ ରହିବାକୁ ଅନୁମତି ଦେବା ପାଇଁ ଜିଲା ସୁରକ୍ଷା ଅଧିକାରୀଙ୍କ ଜରିଆରେ ତପସ୍ବିନୀ ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି ପିଟିସନର ଶୁଣାଣି ୫ ଦିନ ହେବ ଅଦାଲତରେ ଚାଲିଥିଲେ ମଧ୍ୟ ଗଞ୍ଜାମ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଅନ୍ୟ କାରଣରୁ ୪ ଦିନ ହେବ ରାୟ ପ୍ରକାଶ ପାଇପାରି ନଥିଲା ା ଅଦାଲତଙ୍କ ନିର୍ଦେଶ ପ୍ରକାରେ ତପସ୍ବିନୀ, ତାଙ୍କ ସ୍ବାମୀ ଡା. ସୁମିତ ଓ ଶ୍ବଶୂର ପ୍ର​ମୋଦ ସାହୁ ଆଜି ମଧ୍ୟାହ୍ନରେ ଅଦାଲତରେ ହାଜର ହୋଇଥିଲେ। ଅଦାଲତ ଉଭୟ ପକ୍ଷର ମତାମତ ଶୁଣିବା ପରେ ରାତି ସାଢେ ୯ଟା ବେଳେ ରାୟ ପ୍ରକାଶ କରିଥିଲେ।
ରାୟ ପ୍ରକାଶ ପରେ ତପସ୍ବିନୀଙ୍କ ଓକିଲ ପ୍ରଦୀପ ଗଣମାଧ୍ୟମକୁ ସମସ୍ତ ସୂଚନା ଦେଇଥିଲେ। ଡା. ସୁମିତ ଆସିକା ବ୍ଳକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବାରୁ ଉଭୟ ସ୍ବାମୀ-ସ୍ତ୍ରୀ ଆସିକାରେ ହିଁ ଏକ ଭଡା ଘର ନେଇ ଆଗାମୀ ୭ ଦିନ ଯାଏଁ ଏକାଠି ରହିବେ। ଆସିକା ଥାନା ଅଧିକାରୀ ସେମାନଙ୍କ ପାଇଁ ଭଡା ଘର ଠିକ କରିବା ସହ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବେ ବୋଲି ଅଦାଲତ ନିଜ ରାୟରେ କହିଛନ୍ତି। ଏହି ୭ ଦିନ ଭିତରେ ତପସ୍ବିନୀଙ୍କ ରହିବା, ଖାଇବା, ଔଷଧ ଖର୍ଚ୍ଚ ସବୁକିଛି ଡା. ସୁମିତ ବହନ କରିବେ। ସ୍ବାମୀ-ସ୍ତ୍ରୀ ଯେଉଁଠି ରହିବେ ସେଠାକୁ ଉଭୟ ପରିବାରର କୌଣସି ସଦସ୍ୟ ଯାଇପାରିବେ ନାହିଁ କିମ୍ବା ତାଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ଜିଲା ସୁରକ୍ଷା ଅଧିକାରୀ ନିୟମିତ ବ୍ୟବଧାନରେ ତପସ୍ବିନୀଙ୍କ ଦାୟିତ୍ବ ତଦାରଖ କରିବେ। ୭ ଦିନ ପରେ ଅଦାଲତ ଯେଉଁ ତାରିଖ ଧାର୍ଯ୍ୟ କରିବେ ସେହି ଦିନ ଉଭୟ ଅଦାଲତରେ ହାଜର ହୋଇ ନିଜ ମତାମତ ଦେବେ ବୋଲି ରାୟ ପ୍ରକାଶ ପାଇଥିବା ଓକିଲ ଶ୍ରୀ ବେହେରା ଜଣାଇଛନ୍ତି।
ପ୍ରକାଶଥାଉକି, ଡା. ସୁମିତ ଓ ତପସ୍ବିନୀଙ୍କ ମଧ୍ୟରେ କିଛି ବର୍ଷ ତଳେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ଗତବର୍ଷ ଉଭୟ ଆଇନଗତ ବିବାହ କରିଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ କିଛି ମାସ ବାହାରେ ରହିବା ପରେ ବ୍ରହ୍ମାନଗର ଘରେ ଆସି ରହିଥିଲେ। ହେଲେ ହିନ୍ଦୁ ରିତୀନୀତୀ ଅନୁସାରେ ତାଙ୍କର ବିବାହ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଶ୍ବଶୂର ଘର ଲୋକେ ତପସ୍ବିନୀଙ୍କୁ ବାପ ଘରକୁ ପଠାଇ ଦେବା ପରେ ଆଉ ଧରାଛୁଆଁ ଦେଇନଥିଲେ। ସେହିପରି ଡା. ସୁମିତ ପରିବାର ଅଦାଲତରେ ବିବାହ ବିଚ୍ଛେଦ ମାମଲା ଦାୟର କରିଥିଲେ ା ଏହାର ପ୍ରତିବାଦରେ ତପସ୍ବିନୀ ନବବଧୂ ବେଶରେ ନିଜ ଶ୍ବଶୂର ଘର ସମ୍ମୁଖରେ ଧାରଣା ଦେଇଥିଲେ।

Comments are closed.