୪ରେ ତପସ୍ବିନୀ-ସୁମିତ ମାମଲାର ଚୂଡ଼ାନ୍ତ ରାୟ

ବ୍ରହ୍ମପୁର : ତପସ୍ବିନୀ ଦାସ ଓ ଡା. ସୁମିତ କୁମାର ସାହୁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ସୋମବାର ଗଞ୍ଜାମ ଜିଲାଦୌରାଜଜ୍‌ଙ୍କ ଅଦାଲତରେ ହୋଇଛି। ଆସନ୍ତା ୪ ତାରିଖରେ ଜିଲା ଅଦାଲତ ଉଭୟଙ୍କ ଆବେଦନ ଉପରେ‌ ଚୂଡ଼ାନ୍ତ ରାୟ ପ୍ରକାଶ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ନ୍ୟାୟ ନ ମିଳିବା ଯାଏ ଧାରଣା ଜାରି ରଖିବି ବୋଲି ତପସ୍ବିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ନିମ୍ନ ଅଦାଲତ ତଥା ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତଙ୍କ ରାୟ ବିରୋଧରେ ଉଭୟ ସ୍ବାମୀ-ସ୍ତ୍ରୀ ପୃଥକ୍‌ ଭାବେ ନିଜ ନିଜ ଓକିଲଙ୍କ ଜରିଆରେ ଜିଲା ଅଦାଲତରେ ଆବେଦନ ଦାଖଲ କରିଥିଲେ। ଘରଭଡ଼ା ନେଇ ତପସ୍ବିନୀଙ୍କୁ ରଖିବାକୁ ଗତ ୨ ଓ ୯ ତାରିଖରେ ନିମ୍ନ ଅଦାଲତ ଦେଇଥିବା ରାୟକୁ ବିରୋଧ କରି ଡା. ସୁମିତଙ୍କ ଓକିଲ ଜିଲା ଅଦାଲତରେ ଆବେଦନ ଦାଖଲ କରିଥିଲେ। ସେହିପରି ଗତ ୨୦ ତାରିଖରେ ନିମ୍ନ ଅଦାଲତ ନିଜ ରାୟରେ କହିଥିଲେ ଯେ ଡା. ସୁମିତ ଏକ ଭଡ଼ାଘର ନେଇ ତପସ୍ବିନୀଙ୍କୁ ରଖିବେ, ତାଙ୍କର ଖାଇବା ପିଇବା ଏବଂ ଔଷଧ ଖର୍ଚ୍ଚ ବୁଝିବେ ; ହେଲେ ଡା. ସୁମିତ ଘରଭଡ଼ା ନ ନେବା ପର୍ଯ୍ୟନ୍ତ ତପସ୍ବିନୀ କେଉଁଠି ରହିବେ ତାହା ଅଦାଲତ ସ୍ପଷ୍ଟ କରି ନ ଥିଲେ। ଆଉ ଏହି ରାୟ ବିରୋଧରେ ତପସ୍ବିନୀଙ୍କ ଓକିଲ ଜିଲା ଅଦାଲତରେ ଆବେଦନ ଦାଖଲ କରିଥିଲେ। ଜିଲା ଅଦାଲତ ଉଭୟ ପକ୍ଷର ଆବେଦନକୁ ଏକତ୍ର କରି ଆଜି ଶୁଣାଣି କରିଥିଲେ। ଉଭୟପକ୍ଷଙ୍କ ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ହୋଇଥିଲା। ଆସନ୍ତା ୪ ତାରିଖରେ ଜିଲା ଅଦାଲତ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକଙ୍କଠାରୂ ସୂଚନା ମିଳିଛି । ତପସ୍ବିନୀ ନିଜ ଶ୍ବଶୁର ଘର ସମ୍ମୁଖରେ ଧାରଣା ଦେବାର କିଛିଦିନ ପରେ ନିମ୍ନ ଅଦାଲତଙ୍କ ନିର୍ଦେଶ ଅନୁସାରେ ତପସ୍ବିନୀ ଓ ଡା. ସୁମିତ ଆସିକା ଚିନିଶିଳ୍ପ ଅତିଥିଭବନରେ ୨ ରୁ ୮ ତାରିଖ ଯାଏ ରହିଥିଲେ ା ସେଠାରେ ୭ ଦିନ ରହିବା ପରେ ଜିଲା ସୁରକ୍ଷା ଅଧିକାରୀ ଓ ଆସିକା ଥାନା ଅଧିକାରୀ ନିଜ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ ା ଏହି ଦୁଇ ସରକାରୀ ଅଧିକାରୀଙ୍କ ବିବରଣକୁ ଆଧାର କରି ଜିଲା ଅଦାଲତରେ ଆମେ ପ୍ରମାଣ ଦାଖଲ କରିଛୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏପଟେ ଜିଲା ଅଦାଲତଙ୍କ ରାୟ ଆସିବ ଯାଏ ସେ ଧାରଣା ଜାରି ରଖିବେ ବୋଲି ତପସ୍ବିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶ୍ବଶୁର ଘର ବାରଣ୍ଡା ଏବେ ମୋ ପାଇଁ ଘର ପାଲଟିଯାଇଛି ବୋଲି ତପସ୍ବିନୀ କହିଥିଲେ। ଅତିଥିଭବନ ରହଣି ଭିତରେ ଆସିକା ଥାନା ଅଧିକାରୀ ୪ଟି ଘର ଖୋଜିଥିଲେ। ହେଲେ ସୁମିତ ଆଉ ଟିକେ ଭଲ ଘର ଚାହଁୁଥିବାରୁ ଘର ଭଡା ନିଆଯାଇପାରି ନ ଥିଲା ବୋଲି ତପସ୍ବିନୀ ସୂଚନା ଦେଇଥିଲେ।

Comments are closed.