ସ୍ବାମୀ ଦୁଆରେ ପୁଣି ଧାରଣା ଦେଲେ ତପସ୍ବିନୀ

ବ୍ରହ୍ମପୁର : କିଛିଦିନର ନ୍ୟାୟିକ ଲଢେଇ, ମିଳିମିଶି ରହଣୀ, ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ପରେ ପୁଣି ଧାରଣା ସ୍ଥଳକୁ ଫେରିଛନ୍ତି ତପସ୍ବିନୀ ଦାସ ଓରଫ ଡିମ୍ପଲ। ଶୁକ୍ରବ୍ରାର ରାତି ୯ଟା ବେଳେ ଅଦାଲତଙ୍କ ରାୟ ଶୁଣାଣି ପରେ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ବ୍ରହ୍ମାନଗରସ୍ଥିତ ନିଜ ସ୍ବାମୀ ତଥା ଡାକ୍ତର ସୁମିତ କୁମାର ସାହୁଙ୍କୁ ଘର ସମ୍ମୁଖକୁ ଯାଇ ଧାରଣା ଦେଇଛନ୍ତି। ସ୍ବାମୀ-ସ୍ତ୍ରୀଙ୍କ ଏହି ବହୁ ଚର୍ଚ୍ଚିତ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଥିବା ବେଳେ ଏହାର ପରିଣାମ କ’ଣ ହେବ ତାକୁ ରାଜ୍ୟବାସୀ ଚାତକ ଭଳି ଚାହିଁ ବସିଛନ୍ତି।
ପୂର୍ବରୁ ଶ୍ବଶୂର ଘର ସମ୍ମୁଖରେ ଧାରଣା ଦେଇଥିବା ବେଳେ ତାଙ୍କୁ ଶ୍ବଶୂର ଘର ଭିତରେ ରହିବାକୁ ଅନୁମତି ଦିଆଯାଉ ବୋଲି ତପସ୍ବିନୀ ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ। ସେହି ପିଟିସନର ଜବାବ ଦାଖଲ ପାଇଁ ଡା. ସୁମିତଙ୍କ ଓକିଲ ସେତେବେଳେ ଅଦାଲତଙ୍କୁ କିଛି ଦିନ ସମୟ ମାଗିଥିଲେ। ଆଜି ସେହି ପିଟିସନର ଶୁଣାଣି ଥିବାରୁ ତପସ୍ବିନୀ ଆସିକା ଚିନିଶିଳ୍ପ ଅତିଥିଭବନରୁ ବାହାରି ବ୍ରହ୍ମପୁରସ୍ଥିତ ଅଦାଲତକୁ ଆସିଥିଲେ। ଆଉ ଅଦାଲତ ପିଟିସନର ପରବର୍ତ୍ତୀ ଶୁଣାଣି ପାଇଁ ୨୦ ତାରିଖ ଧାର୍ଯ୍ୟ କରିଥିଲେ। ଏହା ଭିତରେ ଡା. ସୁମିତ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅତିଥିଭବନରେ ତପସ୍ବିନୀଙ୍କୁ ଏକୁଟିଆ ଛାଡି ଆଜକୁ କିଛି ଦିନ ହେବ କେଉଁଆଡେ ଚାଲି ଯାଇଥିଲେ। ଅଦାଲତଙ୍କ ନିର୍ଦେଶ ଥିବା ସତ୍ତ୍ବେ‌ ଆସିକାରେ ଘରଭଡା ନେଇନଥିଲେ କିମ୍ବା ତପସ୍ବିନୀଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିନଥିଲେ। ଯାହାକୁ ନେଇ ତପସ୍ବିନୀ ଆସିକା ଥାନା ଅଧିକାରୀଙ୍କୁ ଲିଖିତ ଜଣାଇବା ସହ ଡା. ସୁମିତ ଅଦାଲତଙ୍କ ନିର୍ଦେଶକୁ ଅବମାନନା କରିଛନ୍ତି ବୋଲି ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତଙ୍କୁ ଅବଗତ କରିଥିଲେ। ତେବେ ଆସିକା ଅତିଥିଭବନରୁ ମୋତେ ବାହାର କରି ଦିଆଯାଇଛି ଏବଂ ଆଜି ଅଦାଲତ ଯେଉଁ ରାୟ ପ୍ରକାଶ କରିଛନ୍ତି ସେଥିରେ ମୁଁ କେଉଁଠି ରହିବି ବୋଲି କିଛି ଉଲ୍ଲେଖ କରିନାହାନ୍ତି ବୋଲି ତପସ୍ବିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ା ନ୍ୟାୟ ନମିଳିବା ଯାଏଁ ମୁଁ ଶ୍ବଶୂର ଘର ସମ୍ମୁଖରେ ଧାରଣା ଦେବି ବୋଲି ସେ ଜଣାଇଛନ୍ତି। ଅନ୍ୟପକ୍ଷରେ ଡା. ସୁମିତ ପତ୍ନୀ ତପସ୍ବିନୀଙ୍କ ରହିବା ଓ ଖାଇବା କଥା ବୁଝିବେ ବୋଲି ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ ଯେଉଁ ରାୟ ଦେଇଥିଲେ ସେହି ରାୟକୁ ଚ୍ୟାଲେଞ୍ଜ କରି ଡା. ସୁମିତଙ୍କ ଓକିଲ ଆଜି ଜିଲା ଅଦାଲତରେ ପିଟିସନ ଦାଖଲ କରିଥିଲେ। ଆଜି ତପସ୍ବିନୀ ପୁଣିଥରେ ଧାରଣାସ୍ଥଳକୁ ଫେରିବା ପରେ ତାଙ୍କୁ ଦେଖିବାକୁ ବ୍ରହ୍ମାନଗର ଦ୍ବିତୀୟ ଗଳିରେ ଲୋକଙ୍କ ଗହଳି ଜମିଛି।
ଅନ୍ୟପକ୍ଷରେ ସୁମିତ ତାଙ୍କୁ ସୂଚନା ନଦେଇ ଆସିକା ଚିନିଶିଳ୍ପ ଅତିଥି ଭବନରୁ ଫେରାର ହୋଇଯାଇଥିବା ନେଇ ତପସ୍ବିନୀଙ୍କ ପକ୍ଷରୁ ଦାଖଲ ପିଟିସନକୁ ଅଦାଲତ ଖାରଜ କରିଛନ୍ତି। ଏହି ଅଭିଯୋଗକୁ ଆସିକା ଥାନା କିମ୍ବା ଅନ୍ୟ ଅଦାଲତରେ ଜଣାଇବାକୁ ବିଚାରପତି କହିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.